ଧାର ଟଙ୍କା ଫେରାଇବାକୁ କହିବାରୁ ଗୁଳିମାଡ଼, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି

ବୀରମହାରାଜପୁର: ଧାର ଟଙ୍କା ଫେରାଇବାକୁ କହିବାରୁ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଆମ୍ବସରଭଟା ଗାଁରେ ହୋଇଥିବା ଏହି ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଆହତ ଯୁବକ ହେଲେ ପ୍ରଭଞ୍ଜନ ପ୍ରଧାନ (୩୨)। ଗୁରୁତର ହେବା ପରେ ସେ ବୀରମହାରାଜପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାଯାଇଛି।

ସୁବଳୟା ଥାନା ଅଡାଲ ଗାଁର ପ୍ରଭଞ୍ଜନ ଜଣେ ଜେସିବି ଡ୍ରାଇଭର। ପ୍ରଭଞ୍ଜନଙ୍କ କହିବା ଅନୁସାରେ ବୁଧବାର ପ୍ରାୟ ୯ଟା୩୦ମିରେ ଜେସିବି ନେଇ ଆସୁଥିଲେ। ଆମ୍ବସରଭଟା ଛକରେ ସେ କାସଲପୁର ଗାଁର ଚକ୍ର ପାତ୍ରଙ୍କୁ ଭେଟିଥିଲେ। ଚକ୍ର ତାଙ୍କଠାରୁ ନେଇଥିବା ଧାର ଟଙ୍କା ଫେରାଇବାକୁ ପ୍ରଭଞ୍ଜନ କହିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଚକ୍ର ନିଜ ପାଖରେ ରଖିଥିବା ରିଭଲଭର୍‌ରୁ ଗୁଳି ଚଳାଇ ଫେରାର୍‌ ହୋଇଯାଇଥିଲା।

ଖବର ପାଇ ସୁବଳୟା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଚେତ ଅବସ୍ଥାରେ ପ୍ରଭଞ୍ଜନଙ୍କୁ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପ୍ରଭଞ୍ଜନଙ୍କ ଏତଲା କ୍ରମେ ସୁବଳୟା ଥାନାରେ କେସ୍‌ ନମ୍ବର ୨୫/୨୦୨୧ ରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ କୁଶ କୁମାର ପାଣିଗ୍ରାହୀ ଅଧିକ ତଦନ୍ତ ଚଳାଇଛନ୍ତି। ଅଭିଯୁକ୍ତ ଚକ୍ର ନାମରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଥିବା ସୁବଳୟା ପୁଲିସ ଜାଣିବାକୁ ପାଇଛି। ସୁବଳୟା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର