ବୁଗୁଡ଼ା/ଆସିକା: ଗଞ୍ଜାମ ଜିଲ୍ଲାରେ ଗୁରୁବାର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଜଣେ ଚାଷୀଙ୍କ ଜୀବନ ନେଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ଆସିକା ବ୍ଲକ୍ ଓ ବାଲିପଦର ଫାଣ୍ଡି ଏବଂ ବୁଗୁଡ଼ା ଥାନା ଅଧୀନ ଗହଙ୍ଗୁ ଗ୍ରାମରେ ଜଣେ ଚାଷୀ ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଟଳି ପଡ଼ିଛନ୍ତି। ମୃତକଜଣକ ହେଉଛନ୍ତି, ସାନୁଜ ପାତ୍ର (୪୦) ଓ ସେ ଦିବ୍ୟାଙ୍ଗ। ଗୁରୁବାର ସକାଳୁ ବର୍ଷା ଆରମ୍ଭ ହେବାରୁ ସାନୁଜ ଗାଁ ନିକଟରେ ଥିବା ନିଜ ବିଲକୁ କାମ କରିବାକୁ ବାହାରି ପଡ଼ିଥିଲେ। ସକାଳ ପ୍ରାୟ ୧୦ଟାରେ ବିଲରେ ହିଡ଼ କତି କରୁଥିବା ବେଳେ ହଠାତ୍ ବଜ୍ରାଘାତରେ ଟଳି ପଡ଼ିଥିଲେ। ନିକଟରେ କାମ କରୁଥିବା ଅନ୍ୟ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଲିପଦର ଫାଣ୍ଡି ଅଧିକାରୀ ପହଞ୍ଚି ଶବକୁ ଜବତ କରିଥିଲେ। ବୁଗୁଡ଼ା ଥାନାରେ ଏନେଇ କେସ୍ ନମ୍ବର ୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଆସିକା ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି। ସେହିପରି ଆସିକା ବ୍ଲକ୍ ଗହଙ୍ଗୁ ପଞ୍ଚାୟତ ଫାପଲପୁର ଗ୍ରାମରେ ବଜ୍ରାଘାତରେ ସୁମା ନାୟକ (୬୦) ଗୁରୁତର ହୋଇଛନ୍ତି। ଆସିକା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।