ସାମାନ୍ୟ କଥାକୁ ନେଇ ଛୁରାମାଡ: ଜଣେ ମୃତ, ୩ ଗୁରୁତର

ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ସହରର ପୁଟୁପଡାରେ ଏକ ଅଭାବନୀୟ ଘଟଣା ଘଟିଛି । ସାମନ୍ୟ କଥାକୁ ନେଇ ଗଣ୍ଡଗୋଳ ହେବା ସହ ପରେ ପ୍ରତିଶୋଧ ପରାୟଣ ହୋଇ ଛୁରାମାଡ କରିବାରୁ ପୁଟୁପଡାର ପ୍ରଭା ଶବର ନାମକ ଜନୈକ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଥିବା ଜଣାପଡିଛି । ଗୁରୁତରଙ୍କ ମଧ୍ୟରୁ ପୁଟୁପଡାର ଦୁଇ ଜଣ ସୁରେନ୍ଦ୍ର ଶବର ଏବଂ ଦେବେନ୍ଦ୍ର ଶବରଙ୍କୁ ଚିକିତ୍ସା ପାଇଁ ରାୟପୁର ଏବଂ ସାହୁପଡା ଗ୍ରାମର ସାଗର ସାହୁଙ୍କୁ ନୂଆପଡା ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଅଭିଯୋଗ ପାଇଁ ଖଡିଆଳ ପୁଲିସ ପକ୍ଷରୁ ଏସଡିପିଓ ସନ୍ତକ ଜେନା ଏବଂ ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଚିଂ ଘଟଣାର ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ସାହୁପଡାର ସାଗର ସାହୁ ଶୌଚ କରିବା ପାଇଁ ପୁଟୁପଡା ନିକଟରେ ଥିବା କେନାଲ୍ ନିକଟକୁ ଯାଇଥିଲେ ।

ରାସ୍ତାକଡରେ ସାଗର ଶୈାଚ କରୁଥିବାବେଳେ ପୁଟୁପଡାର ସୁରେନ୍ଦ୍ର ଏବଂ ଦେବେନ୍ଦ୍ର ଆସି ମନା କରିଥିଲେ | ଉକ୍ତ ଘଟଣାକୁ ନେଇ ଗଣ୍ଡଗୋଳ ହେବା ସହ ମାଡପିଟ ହୋଇଥିଲା । ତେବେ ଏହା ପରେ ସୁରେନ୍ଦ୍ର ଏବଂ ଦେବେନ୍ଦ୍ର ଆସି ଗାଁରେ ଥିବା ପ୍ରହରୀ ମଣ୍ଡପ ନିକଟରେ ବସିଥିବାବେଳେ ସାଗର ସାହୁ ପ୍ରତିଶୋଧ ନେବା ପାଇଁ ସାଙ୍ଗରେ ନିରାକାର ସାହୁ ଏବଂ ଅନ୍ୟ ଦୁଇ ଜଣଙ୍କ ସହ ଆସି ପୁଣି ଗଣ୍ଡଗୋଳ କରିଥିଲେ | ଏହି ସମୟରେ ସାଗର ସାହୁ ଛୁରୀରେ ଆକ୍ରମଣ କରୁଥିବାବେଳେ ସାଗରଙ୍କ କବଳରୁ ସୁରେନ୍ଦ୍ର ଏବଂ ଦେବେନ୍ଦ୍ରଙ୍କୁ ଛଡାଇବା ପାଇଁ ପ୍ରଭା ଆସିଥିବାବେଳେ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଗୁରୁତର ଅବସ୍ଥାରେ ପ୍ରଭାଙ୍କୁ ସ୍ଥାନୀୟ ମିଶନ ହସପିଟାଲରେ ଭର୍ତ୍ତି କରାଯାଇଥିଲା | ତେବେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର