ମେଲଣ ସରିବା ପରେ ଠାକୁର ବିମାନ ଓ ଭକ୍ତଙ୍କୁ ନେଇ ଫେରୁଥିବା ଡଙ୍ଗା ବିରୂପା ନଦୀରେ ବୁଡ଼ିଲା, ଜଣେ ଭକ୍ତଙ୍କ ମୃତ୍ୟୁ

କଟକ/ସାଲେପୁର: ମେଲଣ ମହୋତ୍ସବରୁ ଫେରୁଥିବା ଡଙ୍ଗା ଆଜି କଟକ ଜିଲ୍ଲାର ସାଲେପୁର ଥାନା ଅନ୍ତର୍ଗତ ନରଦା ପଞ୍ଚାୟତର ହରିପୁର ବିରୂପା ନଦୀ ଘାଟରେ ବୁଡ଼ିଯାଇଛି। ଫଳରେ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ରଶ୍ମି ରଞ୍ଜନ ବେହେରୋ। ସେ ଭୀବଦାସପୁର ପଞ୍ଚାୟତର କୁଣ୍ଡି ଗ୍ରାମର ନିବାସୀ।

ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଗୋବିନ୍ଦପୁର ମେଲଣ ମହୋତ୍ସବରେ ଯୋଗ ଦେବା ପରେ ପ୍ରାୟ ୧୦ ଜଣ ଲୋକ ବିରୂପା ନଦୀରେ ଏକ ଡଙ୍ଗାରେ ଫେରୁଥିଲେ। ହରିପୁର ଘାଟରେ ଡଙ୍ଗାଟି ଭାରସାମ୍ୟ ହରାଇବାରୁ ବୁଡ଼ିଯାଇଥିଲା। ଡଙ୍ଗା ବୁଡ଼ିବା ପରେ କିଛି ଲୋକ ଓ ଠାକୁରଙ୍କ ବିମାନ ମଧ୍ୟ ବୁଡ଼ି ଯାଇଥିଲା। ଏଥିରେ ରଶ୍ମି ରଞ୍ଜନ ନିଖୋଜ ହୋଇଯାଇଥିଲେ। ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରଶ୍ମି ରଞ୍ଜନକୁ ଉଦ୍ଧାର କରିଥିଲା।

ଉଦ୍ଧାର ପରେ ରଶ୍ମୀ ରଞ୍ଜନଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରଶ୍ମି ରଞ୍ଜନକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦୋଳ ପୂର୍ଣ୍ଣିମା ପୂର୍ବ ଦିନ ଏଭଳି ଏକ ଅଭାବନୀୟ ଘଟଣାକୁ ସ୍ଥାନୀୟ ଲୋକେ ଗ୍ରହଣ କରିପାରୁ ନାହାନ୍ତି। ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର