ମଦ ବିକ୍ରିକୁ ବିରୋଧ କରି ହଣାକଟା, ଜଣେ ମୃତ 

ରାୟଗଡ଼ା: ମଦ ବିକ୍ରିକୁ କେନ୍ଦ୍ର କରି ହଣାକଟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏଥିରେ ଜଣେ ମୃତ୍ୟୁବରଣ କରିଛି। ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଗୁଡାରି ଥାନା ଅନ୍ତର୍ଗତ ସର୍ଗିଗୁଡା ଗ୍ରାମରେ। ସର୍ଗିଗୁଡା ଗ୍ରାମର ମଧୁ ଶବର ଗ୍ରାମରେ ଦୀର୍ଘ ଦିନ ଧରି ମଦ ବିକ୍ରୟ କରି ଆସୁଥିଲେ। କିନ୍ତୁ ତାଙ୍କ ପଡ଼ୋଶୀ ଭରତ ଶବର ସାହି ଭିତରେ ମଦ ବିକ୍ରିକୁ ବିରୋଧ କରି ଆସୁଥିଲେ। ତେବେ ଆଜି ଏହା ଉଗ୍ର ରୂପ ଧାରଣ କରିଥିଲା। ଭରତ ଆଜି ମଦ ବିକ୍ରିକୁ ବିରୋଧ ପରେ ମଧୁ ଏବଂ ଭରତଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ପରେ ଉଭୟେ ଧାରୁଆ ଅସ୍ତ୍ରରେ ଆକ୍ରମଣ ପ୍ରତି ଆକ୍ରମଣ କରିଥିଲେ।

ତେବେ ମଧୁ ଶବରର ସାନ ଭାଇ କାହ୍ନୁ ଶବର ରାଗିଯାଇ ଭରତ ଶବରକୁ ମୁଣ୍ଡରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଭରତ ଶବରର ମୃତ୍ୟୁ ଘଟିଥିଲା। ଘଟଣା ପରେ କାହ୍ନୁ ଶବର ଫେରାର ଥିବାବେଳେ ମଧୁ ଶବର ଗୁରୁତର ଭାବେ ଆହତ ହୋଇଥିବାରୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଗୁଡାରି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଭରତ ଶବରର ମୃତଦେହ ଜବତ କରିବା ସହ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ମୃତ ଭରତଙ୍କ ଝିଅ ଶାନ୍ତି ଶବର ଥାନାରେ ଏତଲା ଦେବା ପରେ ପୁଲିସ କେସ୍ ନଂ-୨୭/୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର