ପାଇକସାହି: ଅନୁଗୁଳ ଜିଲ୍ଲାର ନାକଚି-ଠାକୁରଗଡ଼ ପୂର୍ତ୍ତ ବିଭାଗ ରାସ୍ତାର ଜରପଡ଼ା ନିକଟରେ ବୁଧବାର ବାଇକ୍କୁ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁସାରେ ଠାକୁରଗଡ଼ ଥାନା ତିଳେଶ୍ୱର ଗ୍ରାମ ଧୋବେଇ ନାୟକଙ୍କର ମୃତ୍ୟୁ ଘଟିଥିବା ବେଳେ ଦାମବାହାଳ ନିବାସୀ ସନାତନ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି।
ଧୋବେଇ ଓ ସଦାନନ୍ଦ ବାଇକ୍ (ଓଆର ୧୯ ଏଲ୍ ୭୮୨୫)ରେ ତିଳେଶ୍ୱର ଠାରୁ ଠାକୁରଗଡ଼ ଅଭିମୁଖେ ଯାଉଥିବା ବେଳେ ଠାକୁରଗଡ଼ ରୁ ନାକଚି ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ‘ସିଟି ରାଇଡ’ (ଓଆର ୧୯ ଏଲ୍ ୪୮୦୦)କୁ ସାମ୍ନାରୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଉଭୟ ବାଇକ୍ ଆରୋହୀ ଆହତ ହୋଇଥିଲେ।
ଗ୍ରାମବାସୀଙ୍କ ସହାୟତାରେ ପୁଲିସ ଆହତ ୨ ବାଇକ ଆରୋହୀଙ୍କୁ ଉଦ୍ଧାର କରି ପ୍ରଥମେ ଆଠମଲ୍ଲିକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଧୋବେଇଙ୍କର ମୃତ୍ୟୁ ଘଟିଥିବା ବେଳେ ସନାତନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ବସ୍ ଜବତ କରି ଘଟଣାର ତଦନ୍ତ କରୁଛି।