ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ୧ ଲକ୍ଷ ଟଙ୍କା ଲୁଟ

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ସମରଖାଇ ଗ୍ରାମ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ସୋମବାର ୩ ଜଣ ଦୁର୍ବୃତ୍ତ ଜଣେ ଗୋରୁ ବ୍ୟବସାୟୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ, ଭୁଜାଲିରେ ଆକ୍ରମଣ କରି ୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଭୁଜାଲି ମାଡ଼ରେ ବ୍ୟବସାୟୀ ଜଣକ ଗୁରୁତର ଭାବେ ଆହତ ହୋଇଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ପ୍ରାପ୍ତ ସୂଚନାନୁସାରେ ସୁନ୍ଦରଗଡ ଜିଲ୍ଲାର ବଣାଇଁ ଥାନା ଅନ୍ତର୍ଗତ କିନ୍ଦିରିକଳା ଗ୍ରାମର ଗୋରୁ ବ୍ୟବସାୟୀ ସୁନ୍ଦରଲାଲ ପାତ୍ର ବଳଦ କିଣିବାକୁ ସୋମବାର ପୁଅ ଅଜିତ ପାତ୍ରଙ୍କ ସହ ବାଇକ୍‌ ଯୋଗେ ଦେବଗଡ଼ ଥାନା ଅନ୍ତର୍ଗତ ବଳମ ସାପ୍ତାହିକ ବଜାରକୁ ଆସୁଥିଲେ। ଅପରାହ୍‌ଣ ପ୍ରାୟ ୧ଟା ବେଳେ ୪୯ ନମ୍ବର ଜାତୀୟ ରାଜପଥର ସମରଖାଇ ଗ୍ରାମ ନିକଟରେ ପଛରୁ ଆସୁଥିବା ୩ ଜଣ ଦୁର୍ବୃତ୍ତ ତାଙ୍କ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲେ।

ପୁଅ ସହ ସୁନ୍ଦରଲାଲ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରି ବଳଦ କିଣା ପାଇଁ ରଖିଥିବା ନଗଦ ୧ ଲକ୍ଷ ଟଙ୍କା ଲୁଟି ଘଟଣାସ୍ଥଳରୁ ଫେରାର୍‌ ମାରିଥିଲେ। ସ୍ଥାନୀୟ ଲୋକେ ସୁନ୍ଦରଲାଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ବର୍ତ୍ତମାନ ସେ ଚିକିତ୍ସାଧୀନ ଅଛନ୍ତି। ଏ ନେଇ ଦେବଗଡ଼ ଥାନାରେ ଅଭିଯୋଗ ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କ ପତ୍ତା ମିଳି ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର