୪ଟି ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ: ମତ ଦେବେ ୧୦ ଲକ୍ଷ ୩୦ ହଜାର ଭୋଟର

ଖୋର୍ଦ୍ଧା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଘୋଷଣା ହୋଇଛି। ଏହା ସହିତ ନିୟମାନୁସାରେ ନିର୍ବାଚନ ଆଚରଣବିଧି ମଧ୍ୟ ଲାଗୁ ହୋଇଯାଇଛି। ୧୬ ଫେବ୍ରୁଆରିରୁ ୨୨ ଫେବ୍ରୁଆରି ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନରେ ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକର ୧୦ ଲକ୍ଷ ୩୦ ହଜାର ୬୦୯ ଜଣ ଭୋଟର ନିଜର ମତଦାନ କରିବେ। ପରିସଂଖ୍ୟାନ ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକର ୧୦ ଲକ୍ଷରୁ ଉର୍ଦ୍ଧ୍ବ ଭୋଟର ୩୦ ଜଣ ଜିଲ୍ଲା ପରିଷଦ ସଦସ୍ୟ, ୧୯୦ ସରପଞ୍ଚ ଓ ୨୫୨୨ ୱାର୍ଡ ସଭ୍ୟଙ୍କୁ ମନୋନୀତ କରିବେ।

ରାଜ୍ୟ ନିର୍ବାଚନ କମିସନ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲାରେ ୧୬ ଫେବ୍ରୁଆରୀରେ ଟାଙ୍ଗୀ ଓ ବୋଲଗଡ଼ ବ୍ଲକର ଯଥାକ୍ରମେ ୪ ଓ ୩ ଟି ଜିଲ୍ଲାପରିଷଦ ଆସନ, ୨୬ ଓ ୧୯ ଟି ସରପଞ୍ଚ ଓ ୩୪୫ ଓ ୩୧୬ ଟି ୱାର୍ଡ ସଭ୍ୟ ପାଇଁ ନିର୍ବାଚନ ହେବ। ୧୮ ଫେବ୍ରୁଆରୀରେ ବାଣପୁର ଓ ବେଗୁନିଆର ଯଥାକ୍ରମେ ୩ଟି ଲେଖାଏଁ ଜିଲ୍ଲାପରିଷଦ ଆସନ, ୧୭ ଓ ୨୧ ଟି ସରପଞ୍ଚ, ୨୩୩ ଓ ୩୩୨ ଟି ୱାର୍ଡ ସଭ୍ୟ, ୨୦ ଫେବ୍ରୁଆରିରେ ଚିଲିକା ଓ ଖୋର୍ଦ୍ଧା ବ୍ଲକର ଯଥାକ୍ରମେ ୩ଟି ଲେଖାଏଁ ଜିଲ୍ଲା ପରିଷଦ ଆସନ, ୧୭ ଓ ୨୨ ଟି ସରପଞ୍ଚ ପଦବି, ୨୨୫ ଓ ୩୨୫ ଟି ୱାର୍ଡ଼ ସଭ୍ୟ ଆସନ, ୨୨ ଫେବ୍ରୁଆରିରେ ବାଲିପାଟଣା ଓ ଭୁବନେଶ୍ୱର ବ୍ଲକର ଯଥାକ୍ରମେ ୩ଟି ଲେଖାଏଁ ଜିଲ୍ଲା ପରିଷଦ, ୧୭ ଓ ୨୨ ସରପଞ୍ଚ, ୨୪୫ ଓ ୨୫୬ଟି ୱାର୍ଡ ସଭ୍ୟ, ୨୪ ଫେବ୍ରୁଆରୀରେ ବାଲିଅନ୍ତା ଓ ଜଟଣୀ ବ୍ଲକର ଯଥାକ୍ରମେ ୩ ଓ ୨ ଟି ଜିଲ୍ଲା ପରିଷଦ ଆସନ, ୨୫ ଓ ୨୦ ସରପଞ୍ଚ, ୩୩୩ ଓ ୨୩୨ ଟି ୱାର୍ଡ ସଭ୍ୟ ପାଇଁ ନିର୍ବାଚନ ହେବ।

ପଞ୍ଚାୟତ ନିର୍ବାଚନରେ ଟାଙ୍ଗୀ ବ୍ଲକରେ ୧ ଲକ୍ଷ ୩୨ ହଜାର ୨୬୯ ଭୋଟର ରହିଥିବା ବେଳେ ବୋଲଗଡ଼ର ୧ ଲକ୍ଷ ୮ ହଜାର ୨୧୮, ବାଣପୁରର ୧ ଲକ୍ଷ ୩ ହଜାର ୮୧୩, ବେଗୁନିଆର ୧ ଲକ୍ଷ ୯ ହଜାର ୫୬୧, ଚିଲିକା ବ୍ଲକର ୯୬ ହଜାର ୨୨୯, ଖୋର୍ଦ୍ଧା ବ୍ଲକର ୧ ଲକ୍ଷ ୧୧ ହଜାର ୮୫୦, ବାଲିପାଟଣା ବ୍ଲକର ୯୬ ହଜାର ୨୭୫, ଭୁବନେଶ୍ୱର ବ୍ଲକର ୧ ଲକ୍ଷ ୧ ହଜାର ୪୯, ବାଲିଅନ୍ତା ବ୍ଲକର ୮୮ ହଜାର ୨୮ ଓ ଜଟଣୀ ବ୍ଲକର ୮୩ ହଜାର ୩୧୭ ଭୋଟର ଅଛନ୍ତି। ଜିଲ୍ଲାରେ ଟାଙ୍ଗୀ ବ୍ଲକରେ ସର୍ବାଧିକ ଭୋଟର ରହିଥିବା ବେଳେ ଜଟଣୀରେ ସର୍ବନିମ୍ନ ଭୋଟର ରହିଛନ୍ତି। ସୂଚନାଯୋଗ୍ୟ, ପ୍ରାର୍ଥୀପତ୍ର ଦାଖଲ ଠାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଅନ୍ତିମ ତାଲିକା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହେବ। ଭୋଟଗଣତି ଓ ଘୋଷଣା ବ୍ଲକ କାର୍ଯ୍ୟାଳୟରେ ହେବ।

ସମ୍ବନ୍ଧିତ ଖବର