ଦିନ ଦ୍ବିପହରରେ ବନ୍ଧୁକ ଦେଖାଇ ୧ ଲକ୍ଷ ୨୫ ହଜାର ଟଙ୍କା ଲୁଟ

ଡ଼ାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମହେନ୍ଦ୍ରି ଗ୍ରାମ ରାଜ୍ୟ ରାଜପଥ ଉପରେ ଆଜି ଦିବା ୧୨ ଘଣ୍ଟା ସମୟରେ ଏକ ଦୁଗ୍ଧ ଗାଡ଼ି ଅଟକାଇ ୩ ଜଣ ଦୁର୍ବୃତ୍ତ ଗାଡ଼ି ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ଏକ ଲକ୍ଷ ୨୫ ହଜାର ଟଙ୍କା ଲୁଟ କରି ଆଖି ପିଛୁଳାକେ ଚାଲି ଯାଇଛନ୍ତି | ତେବେ କିଛି ମାସର ବ୍ୟବଧାନ ପରେ ଡାବୁଗାଁ ଥାନା ଅଞ୍ଚଳରେ ପୁଣି ଦୁର୍ବୃତ୍ତଙ୍କ ଆବିର୍ଭାବ ପୁଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି | ସୂଚନା ଅନୁଯାୟୀ ନବରଙ୍ଗପୁର ସହରର ଜଣେ ଦୁଗ୍ଧ ବ୍ୟବସାୟୀ ପ୍ରତିଦିନ ଏକ ଯାନରେ ପାପଡାହାଣ୍ଡି, ଜଟା ବାଲ, ଡାବୁଗାଁ, ଧୋଡରା ଓ ଉମରକୋଟ ଅଞ୍ଚଳକୁ ବିଶାଖା ଦୁଗ୍ଧ ସହ ଦହି ଓ ପନିର ଯୋଗାଣ କରିଥାନ୍ତି |

ଆଉ ସକାଳ ସମୟରେ ଏହି ଗାଡି ଦୋକାନମାନଙ୍କରୁ ଟଙ୍କା ଆଦାୟ କରି ପୁଣି ନବରଙ୍ଗପୁର ଫେରିଥାଏ | ପ୍ରତିଦିନ ପରି ଆଜି ମଧ୍ୟ ଦୁଗ୍ଧ ଗାଡ଼ିର ଡ୍ରାଇଭର ଶଙ୍କର ରାଓ ସାଥୀ ରକି ହରିଜନ ସହ ନବରଙ୍ଗପୁରରୁ ସକାଳେ ବାହାରି ଉମରକୋଟ ଯାଇଥିଲା | ଦୁଗ୍ଧ ଦେଇ ଟଙ୍କା ଆଦାୟ କରି ୧୨ ଘଟିକା ସମୟରେ ଫେରିବା ସମୟରେ ଡାବୁଗାଁ ଥାନା ମହେନ୍ଦ୍ରି ଗ୍ରାମ ନିକଟ ରାଜ୍ୟ ରାଜପଥ ଉପରେ ପରିଶ୍ରା ଯିବା ପାଇଁ ଦୁହେଁ ଡ୍ରାଇଭର ଓ ତା ସାଥୀ ଓହ୍ଲାଇ ଥିଲେ |

ଠିକ୍ ଏହି ସମୟରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ ରେ ଆସି ଦୁଇ ଜଣଙ୍କୁ କାବୁ କରିବା ସହ ଡ୍ରାଇଭରକୁ ବନ୍ଧୁକ ଦେଖାଇ ୧ ଲକ୍ଷ ୨୫ ହଜାର ଟଙ୍କା ଲୁଟ କରି ନେଇଯାଇଥିଲେ | ଖବର ଲେଖା ହେବା ସୁଦ୍ଧା ଏ ନେଇ ଡାବୁଗାଁ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ଦିନ ଦ୍ବିପହରରେ ରାଜ୍ୟ ରାଜପଥ ଉପରେ ଦୁର୍ବୃତ୍ତ ଏପରି ଲୁଟ କରିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଖେଳିଯାଇଛି |

ସମ୍ବନ୍ଧିତ ଖବର