ଶବ ଦାହ ପାଇଁ ଯାଇଥିଲେ, ନଦୀରେ ବୁଡ଼ି ଜଣେ ନିଖୋଜ

ରାଉରକେଲା: ଜଣେ ପଡ଼ୋଶୀଙ୍କର ଶବ ଦାହରେ ସାମିଲ ହେବାକୁ ଯାଇଥିବାବେଳେ ନଦୀରେ ବୁଡ଼ିଯାଇଛନ୍ତି ସ୍ଥାନୀୟ ଗାନ୍ଧି ରୋଡ୍‌ର ଗୋପାଳ ବୋଷ(୫୬)। ଗାଧେଇବାବେଳେ ଗୋଡ଼ ଖସିଯିବାରୁ ସେ ନଦୀରେ ବୁଡ଼ିଯାଇଥିଲେ। ଦୀର୍ଘ ସମୟଧରି ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିବାପରେ ମଧ୍ୟ ନିଖୋଜ ଗୋପାଳଙ୍କର କୌଣସି ପତ୍ତା ମିଳିପାରିନାହିଁ।

ସୂଚନାଅନୁସାରେ, ସ୍ଥାନୀୟ ଗାନ୍ଧୀ ରୋଡ୍‌ରେ ରୁହନ୍ତି ଗୋପାଳ। ନିଜର ଝିଅମାନଙ୍କୁ ବିବାହ କରିସାରିବାପରେ ସେ ରାଉରକେଲାରେ ଏକୁଟିଆ ରହୁଛନ୍ତି। ଆଜି ପୂର୍ବାହ୍ନରେ ଗାନ୍ଧୀ ରୋଡ୍‌ର ଜଣେ ପଡ଼ୋଶୀଙ୍କ ଅକାଳ ବିୟୋଗ ଘଟିଥିଲା। ତାଙ୍କର ଶବ ଦାହ କରିବାକୁ ଗୋପାଳ ଓ ଅନ୍ୟ କିଛି ଲୋକ ବେଦବ୍ୟାସ ଯାଇଥିଲେ। ପୂର୍ବାହ୍ନ ପ୍ରାୟ ଦେଢ଼ ଟା। ବେଦବ୍ୟାସ ଘାଟରେ ଅନ୍ତିମ ସଂସ୍କାର ସଂପନ୍ନ ହେବାପରେ ଗୋପାଳ ଗାଧେଇବାକୁ ଯାଇଥିଲେ। ଏତିକିବେଳେ ତାଙ୍କର ଗୋଡ଼ ଖସିଯିବାରୁ ନଦୀ ସ୍ରୋତରେ ଭାସିଯାଇଥିଲେ। ସେଠାରେ ଉପସ୍ଥିତ କିଛି ଲୋକ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା।

ପରେ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯିବାପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାୟ ୨ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଜାଖୋଜି କରିବାପରେ ମଧ୍ୟ ଗୋପାଳଙ୍କ କୌଣସି ସୁରାକ୍‌ ବି ମିଳିନଥିଲା। ସଂପ୍ରତି ନଦୀର ଜଳସ୍ତର ବେଶ୍‌‌ ଅଧିକ ଥିବାରୁ ସେ କୁଆଡ଼େ ଭାସିଯାଇଥିବା ସନ୍ଦେହ କରାଯାଉଛି। ଆସନ୍ତାକାଳି ସକାଳୁ ପୁନର୍ବାର ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବବୋଲି ବ୍ରାହ୍ମଣୀତରଙ୍ଗ ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର