ବାଲେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୫

ବାଲେଶ୍ୱର ଜିଲ୍ଲାରୁ ଆଜି ସନ୍ଧ୍ୟାରେ ଚିହ୍ନଟ ହୋଇଥିଲେ ୨ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଆଜି ସନ୍ଧ୍ୟାରେ ପୁଣି ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି। ସଂପୃକ୍ତ ବ୍ୟକ୍ତିଙ୍କ ନମୁନା ପରୀକ୍ଷା ରିପୋର୍ଟ ଆଜି ପଜିଟିଭ ଆସିଛି । ନୂଆ ବ୍ୟକ୍ତିଙ୍କୁ ମିଶାଇ ବାଲେଶ୍ୱର ଜିଲ୍ଲାରେ ମୋଟ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବାଲେଶ୍ୱର ଜିଲ୍ଲାରେ ଏ ପର୍ଯ୍ୟନ୍ତ ୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଅପରାହ୍ନରେ ୨ ଜଣ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ବାଲେଶ୍ୱର ଜିଲ୍ଲାରେ ଏ ପର୍ଯ୍ୟନ୍ତ ୪ ଜଣ ସୁସ୍ଥ ହୋଇଥିବା ବେଳେ ୨୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ତେବେ ଆଜି ଗୋଟିଏ ଦିନରେ ଏ ପର୍ଯ୍ୟନ୍ତ ୬ ଜଣ କରୋନା ପଜିଟିଭ (ଗଂଜାମ, କଟକ, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଓ ବାଲେଶ୍ୱର ଜିଲ୍ଲାରୁ ୩ ଜଣ) ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୫ରେ ପହଞ୍ଚିଛି ।

ରାଜ୍ୟରେ ଏପର୍ଯ୍ୟନ୍ତ ୪୪ ହଜାର ୬୬୩ଟି ଆରଟି ପିସିଆର ନମୁନା ପରୀକ୍ଷା ହୋଇଛି । ୧୬ଟି ଜିଲ୍ଲାରୁ ମୋଟ ୧୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ସର୍ବାଧିକ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୪୭ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୪ ଜଣ, ଭଦ୍ରକ ଜିଲ୍ଲାରୁ ୨୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨ ଜଣ, ଗଂଜାମ ଜିଲ୍ଲାରୁ ୩ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କେନ୍ଦ୍ରାପଡ଼ା, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦ ବ୍ୟତୀତ କୋରାପୁଟ, ଦେବଗଡ଼, ଢେଙ୍କାନାଳ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୧୨ ଜଣ ସକ୍ରିୟ ଆକାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କରୋନା ସଂକ୍ରମଣରେ କେବଳ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର