ଯାଜପୁରରୁ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୭୬

କୋଲକାତାରୁ ଫେରିଥିଲେ ୫୮ ବର୍ଷିଅ ପୁରୁଷ

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ ଆଜି ରାତି ଆଉ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । କୋଲକାତା ଫେରନ୍ତା ୫୮ ବର୍ଷିଅ ପୁରୁଷଙ୍କ ନମୁନା ପରୀକ୍ଷା ରିପୋର୍ଟ ଆଜି ପଜିଟିଭ ଆସିଛି ।

ନୂଆ ବ୍ୟକ୍ତିଙ୍କୁ ମିଶାଇ ଯାଜପୁର ଜିଲ୍ଲାରେ ମୋଟ ୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାତ୍ର ଜଣେ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇଥିବା ବେଳେ ୫୨ ଜଣ ଚିକିତ୍ସାଧୀନ ଅଛନ୍ତି । ତେବେ ଆଜି ଗୋଟିଏ ଦିନରେ ଏପର୍ଯ୍ୟନ୍ତ ୭ ଜଣ କରୋନା ପଜିଟିଭ (ଗଂଜାମ, କଟକ, ଯାଜପୁର, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଓ ବାଲେଶ୍ୱର ଜିଲ୍ଲାରୁ ୩ ଜଣ) ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୬ରେ ପହଞ୍ଚିଛି ।

ରାଜ୍ୟରେ ଏପର୍ଯ୍ୟନ୍ତ ୪୪ ହଜାର ୬୬୩ଟି ଆରଟି ପିସିଆର ନମୁନା ପରୀକ୍ଷା ହୋଇଛି । ୧୬ଟି ଜିଲ୍ଲାରୁ ମୋଟ ୧୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ସର୍ବାଧିକ ୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୪୭ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୪ ଜଣ, ଭଦ୍ରକ ଜିଲ୍ଲାରୁ ୨୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨ ଜଣ, ଗଂଜାମ ଜିଲ୍ଲାରୁ ୩ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କେନ୍ଦ୍ରାପଡ଼ା, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦ ବ୍ୟତୀତ କୋରାପୁଟ, ଦେବଗଡ଼, ଢେଙ୍କାନାଳ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୧୨ ଜଣ ସକ୍ରିୟ ଆକାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କରୋନା ସଂକ୍ରମଣରେ କେବଳ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର