ହଳଦୀକୁଣ୍ଡରେ ଅଜଣା ରୋଗର ଆତଙ୍କ: ପୁଣି ଜଣଙ୍କର ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ହଳଦୀକୁଣ୍ଡ ଗ୍ରାମରେ ଆଜି ପୁଣି ଅଜଣା ରୋଗରେ ଆଉ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି | ମୃତ୍ୟୁ ହୋଇଥିବା ଯୁବକଙ୍କ ନାମ ଲକ୍ଷ୍ମା ମାଡକାମୀ(୨୨) ବୋଲି ଜଣାପଡିଛି । ଗତ ୧୩ ତାରିଖରେ ମାଲକାନଗିରି ସଦର ମହାକୁମା ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ୫ ଦିନ ଚିକିତ୍ସା ପରେ ସାମାନ୍ୟ ଭଲ ହେବା ପରେ ଡାକ୍ତର ତାଙ୍କୁ ଘରକୁ ଚାଲିଯିବାକୁ ପରାମର୍ଶ ଦେଇଥିଲେ | ପ୍ରକାଶ ଥାଉକି ମେଡିକାଲରେ ୧୩ ଜଣ ରୋଗୀ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ। ସେମାନଙ୍କୁ ଔଷଧ ଦେଇ ଗାଁକୁ ଯିବା ପାଇଁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରି ପଠାଇ ଦିଆଯାଇଥିଲା | ୫ ଦିନ ଔଷଧ ଖାଇ ଚଲାବୁଲା କରୁଥିବା ଲକ୍ଷ୍ମା ମାଡକାମୀ ଗତକାଲି ରାତିରେ ପୁଣି ପେଟ ବ୍ୟଥା ହେଲା ପରେ ରାତି ୧୨ଟା ସମୟରେ ମୃତ୍ୟୁବରଣ କରିଥିଲେ। ଆଜି ଯାଏଁ ଏହି ଗ୍ରାମକୁ ସାଂସଦ, ବିଧାୟକ, ଜିଲ୍ଲାପାଳ, ସ୍ୱାସ୍ଥ୍ୟ ବିଭାଗର ପଦାଧିକାରୀ ଓ ଡାକ୍ତରମାନେ ଘନ ଘନ ଗସ୍ତ କରି ମଧ୍ୟ ଏହି ରୋଗର କାରଣ କଣ ନଜାଣି ମନଇଛା ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି। ରୋଗୀଙ୍କୁ ମେଡିକାଲରେ ଭର୍ତ୍ତି କରିଦେଇ ସେମାନଙ୍କର ଉତ୍ତମ ଚିକିତ୍ସା କରାଯାଇନଥିବା ଅଭିଯୋଗ କରାଯାଇଛି। ଅଳ୍ପ ସୁସ୍ଥ ହେବା ପରେ ସେମାନଙ୍କୁ ନିଜ ଗାଁକୁ ପୁଣି ଫେରାଇ ଦିଆଯାଇଛି।

ତେବେ ଲକ୍ଷ୍ମା ନିଜ ଗାଁକୁ ଆସିବା ପରେ ପୁଣି ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ଯାହାଫଳରେ ସେ ଗତକାଲି ରାତିରେ ମୃତ୍ୟୁବରଣ କରିଥିବା ଗାଁ ଲୋକେ କହିଥିଲେ।ସମାଜସେବୀ କେ.ଦେଶୀରାଜୁ ଆଚାରୀ ଏନେଇ ଆଗାମୀ ଦିନରେ ମାଥିଲି ବ୍ଲକରେ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି। ଜିଲ୍ଲା ସ୍ବାସ୍ଥ୍ୟବିଭାଗ ଏବଂ ଜିଲ୍ଲା ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ପୁଣି ଜଣକର ଜୀବନ ଚାଲିଯାଇଥିବା କୁହାଯାଇଛି। ଗତ ଏକ ମାସ ମଧ୍ୟରେ ୯ ଜଣଙ୍କର ଅଜଣା ରୋଗରେ ଜୀବନ ଚାଲିଗଲାଣି। ଏବେ ମଧ୍ୟ ଯେଉଁ ରୋଗୀ ମେଡିକାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି ,ସେମାନଙ୍କର ଅବସ୍ଥା କିପରି ରହିଛି ସ୍ବାସ୍ଥ୍ୟ ବିଭାଗ ଏହାର ତଦନ୍ତ କରୁନାହାନ୍ତି।ଯାହାଫଳରେ ସେହି ରୋଗୀମାନେ ପୁଣି ଗୁରୁତର ହୋଇ ମୃତ୍ୟୁବରଣ କରୁଛନ୍ତି। ଯଦି ସମ୍ପୂର୍ଣ୍ଣ ଭଲ ହେବା ଯାଏଁ ଡାକ୍ତର ଚିକିତ୍ସା କରିଥିଲେ ଆଜି ଲକ୍ଷ୍ମା ଙ୍କ ମୃତ୍ୟୁ ହୋଇ ନ ଥାନ୍ତା ବୋଲି କୁହାଯାଇଛି |

ଏହା ବଡ଼ ଦୁର୍ଭାଗ୍ୟ କଥା ମାଲକାନଗିରି ଜିଲ୍ଲାରେ ୭ ମହଲା ଡାକ୍ତରଖାନା ଥିବା ସହ ବଡ଼ ବଡ଼ ସୁପରସ୍ପେସିଆଲିଷ୍ଟ ଡାକ୍ତର ଥାଇ ମଧ୍ୟ ରୋଗ ଚିହ୍ନଟ କରି ନ ପାରିବା ଓ ଉତ୍ତମ ଚିକିତ୍ସା ଯୋଗେଇ ନ ଦେବା ଏକ ନିନ୍ଦନୀୟ ଘଟଣା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ତେବେ ଆଉ କେତେ ଲୋକଙ୍କର ଜୀବନ ଗଲେ ପ୍ରଶାସନ ଚେତିବ ବୋଲି ପ୍ରଶ୍ନ କରାଯାଇଛି। ଏକ ଡାକ୍ତରୀ ଟିମ ସେଠାରେ ରହି ରୋଗର କାରଣ ଖୋଜିବା ଏବଂ ଲୋକଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର