ମାଲକାନଗିରି ସୀମାନ୍ତରେ ଗୁଳିବିନିମୟ; ଜଣେ ନକ୍ସଲ ନିହତ, ବନ୍ଧୁକ ସହ ମାଓ ସାମଗ୍ରୀ ଜବତ

ମାଲକାନଗିରି: ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତାଗୁମ୍ଫା ଅଂଚଳରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ଜଣେ ନକ୍ସଲର ମୃତ୍ୟୁ ହୋଇଥିବା ବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଚିନ୍ତାଗୁମ୍ଫା ଥାନା ଅଧିକାରୀ ମନିଷ ମିଶ୍ରଙ୍କ ନେତୃତ୍ବରେ ଜିଲ୍ଲା ପୁଲିସ, ଏସଟିଏଫ, ସିଆରପିଏଫ ଯବାନ ଚିନ୍ତାଗୁମ୍ଫା ଅଂଚଳର ଟେକଲପାରା ପଦ୍ମାଗୁଡା, ଆଙ୍ଗୁଡଗିରି ଅଂଚଳରେ କମ୍ବିଂ ଅପରେସନ କରୁଥିଲେ।

ତେବେ ଆଜି ସକାଳେ ଯବାନ କମ୍ବିଂ ଅପରେସନ ସାରି ଫେରିଥିବା ବେଳେ ଟେକଲପାରା ଅଂଚଳରେ ନକ୍ସଲ ଆମ୍ବୁସ ଲଗାଇ ବସିଥିଲେ। ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ନିଜକୁ ସୁରକ୍ଷିତ ରଖି ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଯାହାଫଳରେ ନକ୍ସଲ ପୁଲିସ ଗୁଳିର ସାମ୍ନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ।

ଘଟଣାସ୍ଥଲରେ ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ନକ୍ସଲ ପୋଷାକଧାରୀ ନକ୍ସଲ ମୃତଦେହ ଉଦ୍ଧାର କରାଯିବା ସହ ବନ୍ଧୁକ ସହ ବିସ୍ଫୋରକ ଏବଂ ମାଓ ସାମଗ୍ରୀ ଜବତ କରାଯାଇଛି। ମୃତ୍ୟୁବରଣ କରିଥିବା ନକ୍ସଲ ଜଣକ ହେଲେ କୁଞ୍ଜାମ ଭୀମା ବୋଲି ଜଣାପଡିଛି। ସରକାର କୁଞ୍ଜାମ ଭୀମା ନାମରେ ୧ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଆଗକୁ ସହିଦ ସପ୍ତାହ ରହିଥିବା ବେଳେ ନକ୍ସଲ ହିଂସ୍ର ହେବେ। ତେଣୁ ପୁଲିସ ଜଂଗଲରେ କମ୍ବିଂ ଅପରେସନକୁ ଜୋରଦାର କରିବା ସହ ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିଛି।

ସମ୍ବନ୍ଧିତ ଖବର