ସମ୍ବଲପୁର: ଭିମସାରର ସମାଜସେବୀ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ବହୁଚର୍ଚ୍ଚିତ ଟଙ୍କିକିଆ କ୍ଲିନିକ୍ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି।

Advertisment

ଏହି ୧ ଟଙ୍କିଆ କ୍ଲିନିକ ଖୋଲିବା ପରେ ଡା. ରାମ୍‌ଚନ୍ଦାନୀ କିଛି ଦିନ ହେଲା ସାମାଜିକ ଗଣମାଧ୍ୟମରେ ବି ଟ୍ରେଣ୍ଡ କରୁଛନ୍ତି। ଆସିଷ୍ଟାଣ୍ଟ ପ୍ରଫେସର୍ ଭାବେ ଯୋଗ ଦେବା ପରେ ଗରିବ ରୋଗୀଙ୍କ ପାଇଁ କ୍ଲିନିକ୍ ଖୋଲି ୧ ଟଙ୍କାରେ ସେବା ଯୋଗାଇ ଦେବେ ବୋଲି ଡା. ରାମଚନ୍ଦାନୀ ପୂର୍ବରୁ ଘୋଷଣା କରିଥିଲେ।

ଗତ ମାସ ୨୩ ତାରିଖରେ ସେ ଆସିଷ୍ଟାଣ୍ଟ ପ୍ରଫେସର୍ ଭାବେ ଯୋଗ ଦେଇଥିବାବେଳେ ଗତ ଶୁକ୍ରବାରଠୁ ଏହି କ୍ଲିନିକରେ ଶୁଭାରମ୍ଭ କରିଥିଲେ। ତାଙ୍କ ମାତା ଲାଜବନ୍ତୀ ରାମଚନ୍ଦାନୀ କ୍ଲିନିକର ଉଦ୍‌ଘାଟନ କରିଥିଲେ। ଶଂକରଙ୍କ ପତ୍ନୀ ଡା. ଶିଖା ରାମଚନ୍ଦାନୀ ମଧ୍ୟ ସେଠାରେ ଦନ୍ତ ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଏହି କ୍ଲିନିକ୍ ଆର୍ଥିକ ଦୁର୍ବଳ ଶ୍ରେଣୀର ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ। ରୋଗୀମାନେ ଯେମିତି ଫି’ ଦେଇ ଚିକିତ୍ସା ସେବା ପାଇଛନ୍ତି ବୋଲି ଅନୁଭବ କରିବେ ସେହି ଉଦ୍ଦେଶ୍ୟରେ ସେ ସମସ୍ତଙ୍କଠାରୁ ଟଙ୍କାଏ ଲେଖାଏଁ ନେବେ ବୋଲି ଡା. ରାମଚନ୍ଦାନୀ କହିଛନ୍ତି।

ବୁର୍ଲା ବଜାରର ଉତ୍କଳ ଫର୍ନିଚର୍ ନିକଟରେ ଖୋଲିଥିବା ଭେଷଜ ବିଶେଷଜ୍ଞ ଡା. ରାମଚନ୍ଦାନୀଙ୍କ ଏହି ଟଙ୍କିକିଆ କ୍ଲିନିକ୍‌କୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।