ଏକତରଫା ପ୍ରେମ: ଯୁବତୀଙ୍କ ପିତାମାତାଙ୍କୁ ପିଟି ଯୁବକ ଗିରଫ

ଧମା: ଧମା ଥାନା ଅଞ୍ଚଳରେ ଏକତରଫା ପ୍ରେମ କରି ଜଘନ୍ୟ କାଣ୍ଡ ଘଟାଇଛନ୍ତି ଯୁବକ। ଏକତରଫା ଭାବେ ପ୍ରେମ କରୁଥିବା ଯୁବତୀଙ୍କ ଘରକୁ ଯାଇ ଯୁବତୀଙ୍କ ମା’ ଓ ଭଉଣୀଙ୍କୁ ମାରପିଟ୍‌ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ, ବାଉସନମୁରା ଗାଁର ଭରତ ଭୋଇ ଧମା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲେ। ଗୁରୁବାର ରାତି ୧୦ଟା ସମୟରେ ଯୁବତୀଙ୍କ ନମ୍ବରକୁ ଭରତ କଲ୍‌ କରିଥିବା ବେଳେ ଯୁବତୀଙ୍କ ଭାଇ ଫୋନ୍‌ ଉଠାଇଥିଲେ।

ଭରତ ଜବରଦସ୍ତି ଫୋନ୍‌ଟି ଯୁବତୀଙ୍କୁ ଦେବାକୁ କହିବାରୁ ଉଭୟଙ୍କ ମଧ୍ୟରେ ଫୋନ୍‌ରେ ପାଟିତୁଣ୍ଡ ହୋଇଥିଲା। ଶୁକ୍ରବାର ଭରତ ତାର ସାଙ୍ଗ ପଦ୍ମଲୋଚନ ଭୋଇକୁ ନେଇ ଯୁବତୀଙ୍କ ଘରକୁ ଯାଇଥିଲା। ଫୋନ୍‌ କାହିଁ ଉଠାଇଲୁ ନାହିଁ ବୋଲି କହି ଯୁବତୀଙ୍କୁ ଗାଳିଗୁଲଜ କରିବା ସହ ଉଭୟେ ଯୁବତୀଙ୍କ ଘରେ ପଶିଥିଲେ। ଉଭୟେ ଯୁବତୀଙ୍କ ମା’ ଓ ଭଉଣୀଙ୍କୁ ମାରପିଟ୍‌ କରିବା ସହ ଅସଦାଚରଣ କରିଥିଲେ। ଏ ନେଇ ଯୁବତୀଙ୍କ ମା’ ଧମା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ପୁଲିସ ଭରତ ଓ ପଦ୍ମଲୋଚନକୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର