ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତିମୁର ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲକୁ ଶୁକ୍ରବାର ଜଣେ ମାତ୍ର ଛାତ୍ରୀ ପାଠ ପଢ଼ି ଆସିଥିଲେ। ପ୍ରଧାନ ଶିକ୍ଷକ ପଦ ଖାଲି ଥିବା ପ୍ରତିବାଦରେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଅଭିଭାବକମାନେ ସ୍କୁଲ ଛାଡ଼ି ନଥିଲେ। ଏହା ଜାଣିବା ପରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟରୁ ଅଧିକାରୀମାନେ ପହଞ୍ଚି ବୁଝାସୁଝା କରିଥିଲେ।

Advertisment

ସୂଚନା ଅନୁସାରେ ଗତ ୧୧ ତାରିଖ ଦିନ ସ୍କୁଲରେ ଦୁଇ ଛାତ୍ରଙ୍କ ଝଗଡ଼ାକୁ ନେଇ ଶିକ୍ଷକ ପ୍ରବୋଧ ପ୍ରଧାନ ଓ ସ୍କୁଲ ପରିଚାଳନା କମିଟି ସଭାପତି ଚିଲାଣ୍ଟୁ ପ୍ରଧାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ଏହି ମାମଲାର ସମାଧାନ ହୋଇଥିଲା। ତେବେ ସ୍କୁଲରେ ପ୍ରଧାନ ଶିକ୍ଷକ ନ ଥିବାରୁ ସମସ୍ୟା ସୃଷ୍ଟି ହେଉଥିବା ଅଭିଭାବକ ଅଭିଯୋଗ କରିଥିଲେ। ୨୦୧୮ ମସିହାରୁ ସ୍କୁଲରେ ପ୍ରଧାନ ଶିକ୍ଷକ ପଦ ଖାଲି ପଡ଼ିଛି। ତୁରନ୍ତ ଜଣେ ପ୍ରଧାନ ଶିକ୍ଷକ ନିଯୁକ୍ତି ଦାବିରେ ଅଭିଭାବକମାନେ ଶୁକ୍ରବାର ନିଜ ପୁଅଝିଅଙ୍କୁ ସ୍କୁଲକୁ ପଠାଇ ନ ଥିଲେ। ଖବର ପାଇ ଏବିଇଓ ସଞ୍ଜୁକ୍ତା ସାମଲ,ଏବିଓ ବନିତା ବେହେରା, ସିଆର୍‌ସିସି ଘନଶ୍ୟାମ ସାହୁ ଓ ପ୍ରମୋଦ ପ୍ରଧାନ, ବରିଷ୍ଠ ଲିପିକ ଯୋଗେଶ ବେହେରା ସ୍କୁଲକୁ ଆସି ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ତୁରନ୍ତ ଜଣେ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ଲିଖିତ ଭାବେ ପ୍ରତିଶ୍ରୁତି ଦେବା ପରେ ଦିନ ୧ଟାରେ ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଆସିଥିଲେ। ସୂଚନା ଥାଉ କି ପୂର୍ବରୁ ମଧ୍ୟ ପ୍ରଧାନ ଶିକ୍ଷକ ଦାବିରେ ଅଭିଭାବକମାନେ ସ୍କୁଲରେ ତାଲା ପକାଇ ଥିଲେ।