ଗଂଜାମ ଉପକୂଳରେ ଅଲଭ୍‌ରିଡ଼ଲେଙ୍କ ମିଳନ ଆରମ୍ଭ, ଗୋଟିଏ କଇଁଛ ଦେଲା ୧୪୯ ଅଣ୍ଡା

ବ୍ରହ୍ମପୁର: ବିରଳ ଅଲିଭ୍‌ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡାଦାନ ପାଇଁ ପ୍ରସିଦ୍ଧ ଗଞ୍ଜାମ ଉପକୂଳ ବେଳାଭୂମି ପ୍ରସ୍ତୁତ। ଚଳିତ ବର୍ଷ ହଜାର ହଜାର ସଂଖ୍ୟାରେ ଅଲଭ୍‌ରିଡ଼ଲେ ମଝି ସମୁଦ୍ରରେ ଭାସମାନ ଅବସ୍ଥାରେ ଦେଖିବାକୁ ମିଳିଛି। ଏଥିସହ ଅଲିଭରିଡଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ପୁରୁଣାବନ୍ଧ-ଗୋଖରକୁଦା ମଧ୍ୟବର୍ତ୍ତୀ ବେଳାଭୂମିରେ ମଙ୍ଗଳବାର ଏକ ଅଲଭ୍‌ରିଡ଼ଲେ ୧୪୯ଟି ଅଣ୍ଡା ଦେଇଥିବା ଜଣାପଡ଼ିଛି। ଜଙ୍ଗଲ ବିଭାଗ ପକ୍ଷରୁ ଉକ୍ତ ଅଣ୍ଡାଗୁଡ଼ିକୁ ସଂଗ୍ରହ କରି ହ୍ୟାଚେରୀରେ ରଖାଯାଇଛି। ଗତ ୨ ମାସ ମଧ୍ୟରେ ୨ଟି କଇଁଛ ଅଣ୍ଡା ଦେଇଥିବା ଜଣାପଡ଼ିଛି।

ଗଞ୍ଜାମ ଉପକୂଳ ପ୍ରାୟାଗୀଠାରୁ ସୋନପୁର ପର୍ଯ୍ୟନ୍ତ ପ୍ରାୟ ୫୪ କିମି ଲମ୍ବ ବେଳାଭୂମି କିନ୍ତୁ ଅଲଭ୍‌ରିଡ଼ଲେ ଋଷିକୁଲ୍ୟା ମୁହାଣ ଉପକୂଳରେ ଗଣ ଅଣ୍ଡାଦାନ କରିଥାନ୍ତି। ପୂର୍ବରୁ ପୁରୁଣାବନ୍ଧ ଠାରୁ ଗୋଖରକୁଦା ବେଳାଭୂମିରେ ଗଣଅଣ୍ଡାଦାନ ହେଉଥିଲା। ଏବେ ପୁରୁଣାବନ୍ଧ ଠାରୁ ବଟେଶ୍ୱର ପର୍ଯ୍ୟନ୍ତ ପ୍ରାୟ ୬ କିମି ବେଳାଭୂମିରେ ଅଲଭ୍‌ରିଡ଼ଲେ ଗଣଅଣ୍ଡାଦାନ କରିଥାନ୍ତି। ଗତ ବର୍ଷ ତିତଲି ବାତ୍ୟା ଓ ଅସନ୍ତୁଳିତ ପାଣିପାଗ ଯୋଗୁଁ ଅଲଭ୍‌ରିଡ଼ଲେଙ୍କ ଗଣଅଣ୍ଡାଦାନରେ ବାଧାପ୍ରାପ୍ତ ହୋଇଥିଲା। ଚଳିତ ବର୍ଷ କଇଁଛଙ୍କ ଅଣ୍ଡାଦାନ ଲାଗି ବନ ବିଭାଗ ପ୍ରସ୍ତୁତି ଶେଷ କରିଛି।

ଋଷିକୁଲ୍ୟା ମୁହାଣର ଉଭୟ ପାର୍ଶ୍ଵରେ ଥିବା ସମୁଦ୍ର ବେଳାଭୂମିକୁ ସୁରକ୍ଷିତ ଜୋନ୍‌ ଭାବେ ଚିହ୍ନିତ କରାଯାଇଛି। ଖଲ୍ଲିକୋଟ ବନାଞ୍ଚଳ ଅଧିକାରୀ ଦିଲ୍ଲୀପ ମାର୍ଥା କହିଛନ୍ତି, ସମୁଦ୍ର ଉପୂକଳ ଠାରୁ ୫କିମି ଦୂରରେ ଅଲଭ୍‌ରିଡ଼ଲେ କଇଁଛ ଭାସମାନ ଅବସ୍ଥାରେ ରହିଛନ୍ତି। ଡିସେମ୍ବର ପ୍ରଥମ ସପ୍ତାହରୁ ଅଲଭ୍‌ରିଡ଼ଲେଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଛି। ମିଳନର ୫୦ ଦିନ ପରେ ଅଣ୍ଡାଦାନ କରିବାକୁ ବେଳାଭୂମିକୁ ଆସିଥାନ୍ତି। ଜାନୁଆରି ଶେଷ ଏବଂ ଫେବ୍ରୁଆରି ପ୍ରଥମ ସପ୍ତାହରୁ ଅଣ୍ଡାଦାନ ଆରମ୍ଭ ହୋଇଥାଏ।

ଅଲଭ୍‌ରିଡ଼ଲେଙ୍କ ସୁରକ୍ଷା ଲାଗି ବ୍ରହ୍ମପୁର ବନମଣ୍ଡଳ ପକ୍ଷରୁ ଗଞ୍ଜାମ ଉପୂକଳରେ ୧୧ଟି କଇଁଛ ସୁରକ୍ଷା କ୍ୟାମ୍ପ୍‌ କରାଯାଇଛି। ସେହିପରି ଖଲ୍ଲିକୋଟ ବନାଞ୍ଚଳ ଇଲାକାରେ ୬ଟି ଓ ବ୍ରହ୍ମପୁର ବନାଞ୍ଚଳ ଇଲାକାରେ ୫ଟି କ୍ୟାମ୍ପ୍‌ ହୋଇଛି। କ୍ୟାମ୍ପରେ ବନ କର୍ମଚାରୀ ୨୪ ଘଣ୍ଟା ନିୟୋଜିତ ହେବା ସହ ବେଳାଭୂମିରେ ପଇଁତରା ଓ ଅଲଭ୍‌ରିଡ଼ଲେଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର