ବୋଲେରୋ-ଅଟୋ ମୁହାଁମୁଁହି ଧକ୍କା ଘଟଣା: ଆଉ ଜଣେ ମହିଳାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହରର ୧ନଂ ୱାର୍ଡସ୍ଥିତ ଦୁଗୁଡ଼ି ଠାରେ ସୋମବାର ହୋଇଥିବା ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ଜଣେ ମହିଳାଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ମହିଳା ହେଲେ ମିଳିମା ମଲିକ।

ମହିଳାଙ୍କ ମୃତ୍ୟୁ ନେଇ ଆଜି ଖବର ମିଳିବା ପରେ ନନ୍ଦଗିରି ଗ୍ରାମରେ ଶୋକର ଛାୟା ଖେଳି ଯିବା ସହ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମର ଆବାଳ ବୃଦ୍ଧବନିତା ରାଜରାସ୍ତା ଉପରକୁ ଆସି ଟାୟାର ଜାଳିଥିଲେ। ଉତ୍ତେଜିତ ଲୋକେ ଗଛ କାଟି ରାସ୍ତାରେ ପକାଇବା ପରେ କଳିଙ୍ଗା ଘୁ.ଉଦୟଗିରି ମୁଖ୍ୟ ସଡକ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା।

ଖବର ପାଇ ସ୍ଥାନୀୟ ଆଇଆଇସି ଧିରାଜ ଲେଙ୍କା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ବିଫଳ ହେବାପରେ ସ୍ଥାନୀୟ ଏସଡିପିଓ ଜୟକୃଷ୍ଣ ବେହେରା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ କରୁଥିବା ଜନତାଙ୍କ ସହ ବହୁ ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ।

ଆନ୍ଦୋଳନକାରୀଙ୍କ ଦାବି ଥିଲା ଯେ, ମୃତ ମିଳିମାଙ୍କୁ କ୍ଷତିପୂରଣ ଦେବା ସହ ତାଙ୍କର ଛଅ ବର୍ଷର ଶିଶୁ କନ୍ୟାର ପାଠପଢିବା ଦାୟିତ୍ୱ ସରକାର ବହନ କରନ୍ତୁ। ଦୀର୍ଘ ତିନି ଘଣ୍ଟା ପରେ ବୋଲେରୋ ମାଲିକ ମୃତ ମିଳିମାଙ୍କ ପରିବାରକୁ ୨୦ ହଜାର ଟଙ୍କା ସହାୟତା ଦେବା ନିମନ୍ତେ ରାଜି ହେବା ଓ ସରକାରୀ ସହାୟତା ପ୍ରଦାନ ନିମନ୍ତେ ପୁଲିସ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଲୋକେ ରାସ୍ତାରୁ ଉଠିଥିଲେ।

ଅନ୍ୟପଟେ ଅଟୋ ଚାଳକ ପଙ୍କଜ ପଟ୍ଟନାୟକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତକାଲି ବ୍ରହ୍ମପୁରରୁ ବିଶାଖାପାଟଣା ରେଫର କରାଯାଇଛି। ପଙ୍କଜଙ୍କ ଚିକିତ୍ସା ପାଇଁ ଅର୍ଥର ଅଭାବ ଥିବା ଯୋଗୁଁ ଆଜି ଅଟୋ ମାଲିକ ସଂଘ ପକ୍ଷରୁ ସହରର ସମସ୍ତ ଅଟୋ ମାଲିକଙ୍କୁ ଆର୍ଥିକ ସାହାଯ୍ୟ ମଗୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ପଙ୍କଜ ରହୁଥିବା ପଦାସାହିର ଯୁବକମାନେ ପଙ୍କଜର ଚିକିତ୍ସା ପାଇଁ ସାହି ଭାଇ ମାନଙ୍କୁ ଆର୍ଥିକ ସହଯୋଗ ମାଗି ସହଯୋଗର ହାତ ବଢେଇଛନ୍ତି। ପୁଲିସ ବୋଲେରୋ ଚାଳକ ସତ୍ୟବ୍ରତ ଦିଗାଲକୁ ଗିରଫ କରିଛି।

ସୂଚନାଯୋଗ୍ୟ ସୋମବାର ଅପରାହ୍ନରେ ଏକ ବୋଲରୋ ଏବଂ ଏକ ଯାତ୍ରୀବାହୀ ଅଟୋ ମଧ୍ୟରେ ମୁହାଁମୁଁହି ଧକ୍କା ହେବା ଫଳରେ ଅଟୋରେ ବସିଥିବା ଆଡାସିକୁପା ଗ୍ରାମର କିଶୋର ପ୍ରଧାନଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଅଟୋ ଚାଳକ ପଙ୍କଜ ପଟ୍ଟନାୟକ, ମିଳିମା ମଲିକ ଏବଂ ସାଗରିକା ମଲିକ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲକୁ ରେଫର ହୋଇଥିଲେ।

ସମ୍ବନ୍ଧିତ ଖବର