କୋଇଲା ଟିପରରେ ପିଟି ହୋଇ ପେପରମିଲ୍ କର୍ମଚାରୀ ମୃତ

ଜୟପୁର: ଗତକାଲି ରାତି ୯ଟା ୪୫ରେ ଗାଗାନାପୁର ପେପରମିଲକୁ କୋଇଲା ଧରି ଆସିଥିବା ଗୋଟିଏ ଟିପରର ପଛରେ ପିଟି ହୋଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ଏହି ପେପରମିଲର ସ୍ଥାୟୀ କର୍ମଚାରୀ ଲକ୍ଷ୍ମଣ ହନ୍ତାଳ। ଜୟପୁର ଇରିଗେସନ୍ କଲୋନୀ ଘରୁ ନିଜ ବାଇକ ନେଇ ଗାଗାନାପୁର ପେପରମିଲକୁ ତୃତୀୟ ସିଫଟ୍ ଡ୍ୟୁଟି କରିବାକୁ ମୃତ ଲକ୍ଷ୍ମଣ ଯାଉଥିଲେ। ପେପରମିଲ୍ ସମ୍ମୁଖରେ ଥିବା ଧନପୁର ଶାଖା କେନାଲ ନିକଟରେ ଗୋଟିଏ ଲାଇନରେ କୋଇଲା ବୋଝେଇ ଟିପର ରହିଥିଲା। ଗୋଟିଏ ଟିପରର ପଛରେ କିଛି ସିଗନାଲ ପାର୍କିଂ ଲାଇଟ୍ ଲାଗି ନଥିଲା। ସାମାନ୍ୟ ଝିପି ଝିପି ବର୍ଷା ବି ହେଉଥିଲା। ସେ ଏହି ଟିପର ନିକଟକୁ ଆସିବା ବେଳେ ସମ୍ମୁଖ ପଟରୁ ଗୋଟିଏ ସ୍କୁଟିର ଲାଇଟ ତାଙ୍କ ଆଖି ଉପରେ ପଡ଼ିଥିଲା। ସେ ରାସ୍ତା ଦେଖି ନ ପାରି ଟିପରର ପଛ ପାର୍ଶ୍ବରେ ପିଟି ହୋଇଯାଇଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ଅନ୍ୟ ସହକର୍ମଚାରୀ ମାନେ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଆଣି ଭର୍ତ୍ତି କରାଇଥିଲେ। ତେବେ ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା କହିଛନ୍ତି ଜୟପୁର ସଦରଥାନା ଆଇଆଇସି ଇଶ୍ବର ତାଣ୍ଡି। ଜୟପୁର ସଦର ପୁଲିସ ଅପମୃତ ମାମଲା ରୁଜୁ କରି ଶବବ୍ୟବଛେଦ କରି ପରିବାରବର୍ଗକୁ ମୃତଦେହ ହସ୍ତାନ୍ତର କରିଛନ୍ତି। ତାଙ୍କ ଘର ଜଲାପୁଟ ନିକଟସ୍ଥ ଗାଁରେ ହୋଇଥିବାରୁ ତାଙ୍କ ପରିବାରବର୍ଗ ଗାଁକୁ ନେଇ ଶେଷକୃତ୍ୟ ସଂପନ୍ନ କରିଛନ୍ତି। ତାଙ୍କର ବଡ଼ ଝିଅକୁ ବାହା କରିଥିବା ବେଳେ ଆଉ ୨ଟି ପୁଅ ପଢ଼ୁଛନ୍ତି। ମୃତ ଲକ୍ଷ୍ମଣ ଜଣେ ଧର୍ମପରାୟଣ, ପରୋପକାରୀ, ମେଳାପି ଓ ମିଷ୍ଟଭାଷୀ ଭାବେ ପରିଚିତ ଥିଲେ। ଏହି ଖବର ପ୍ରଚାର ହେବା ପରେ ଆଜି କଂପାନୀର କର୍ମଚାରୀ ମାନେ ଶୋକ ପ୍ରକାଶ କରିଛନ୍ତି।

ସୂଚନା ପାଇବା ପରେ ପେପରମିଲ୍ କର୍ମଚାରୀ ସଂଘ ସମନ୍ବୟ ସମିତିର ଅମନଉଜ୍ଜିବନ ନାୟକ, ସ୍ବାରଜ ସୁଆର, ସଂଦୀପ ପଟ୍ଟନାୟକ, ପ୍ରଦୀପ ପାଞିଆ, ଧିରେନ୍ଦ୍ର ମହାନ୍ତି, ପ୍ରଦୀପ ରାୟ, ମଦର ଏର୍ଥ ରିସୋର୍ସେସ୍ ଲିମିଟେଡର ମାନବସମ୍ବଳ ବିଭାଗର ଶକ୍ତି ମିଶ୍ର, ମୁନ୍ନା ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ। ସମନ୍ବୟ ସମିତି ସହ କଂପାନୀର ପରିଚାଳନା କମିଟିର ସିଜିଏମ ଓଅନ୍ୟ ଅଧିକାରୀ ମାନେ ଆଲୋଚନା କରିବା ସହ କଂପାନୀ ପକ୍ଷରୁ ଶେଷକୃତ୍ୟ ସଂପନ୍ନ କରିବା ପାଇଁ ୨୫ହଜାର ଟଙ୍କା ଦେଇଥିଲେ। ବଡ଼ପୁଅ ମେକାନିକାଲ ଡିପ୍ଲୋମାର ଶେଷ ବର୍ଷରେ ପଢ଼ୁଥିବାରୁ ତାକୁ କଂପାନୀରେ ଚାକିରୀ ଦେବାକୁ ସମିତି ପକ୍ଷରୁ ଅନୁରୋଧ କରାଯାଇଥିଲା। ପରିଚାଳନା କତ୍ତୃପକ୍ଷ ଏଥିରେ ରାଜି ହେବା ସହ ଆଗାମୀ ଦିନରେ ପୁଅକୁ ଚାକିରୀ ଦେବାକୁ ପ୍ରତିଶ୍ରୃତି ଦେଇଥିଲେ।

ସମ୍ବନ୍ଧିତ ଖବର