ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣା : ମୃତ୍ୟୁକୁ ବର୍ଷେ ପୂରିଲା, ସତ କଣ…

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ଡିସେମ୍ବର ୨୮ ତାରିଖରେ ବର୍ଷେ ପୂରୁଛି। ବର୍ଷେ ପୂରିବାକୁ ଯାଉଥିଲେ ମଧ୍ୟ ମୃତ୍ୟୁର ରହସ୍ୟ ଆଜି ପର୍ଯ୍ୟନ୍ତ ଉନ୍ମୋଚନ ହୋଇପାରିଲା ନାହିଁ।ଏହି ମୃତ୍ୟୁକୁ ନେଇ ବହୁ ଆରୋପ ପ୍ରତ୍ୟାରୋପ ଚାଲିଛି।ଏହି ଘଟଣାକୁ ନେଇ ସେତେବେଳେ ମାଲକାନଗିରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଅନୁସନ୍ଧାନ ଚାଲିଥିଲା। କିନ୍ତୁ ମୃତକଙ୍କ ପରିବାର ବର୍ଗ ପ୍ରାୟ ୬ ମାସର ବ୍ୟବଧାନ ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସଂଦେହକରି ଏସଡିଜେଏମ କୋର୍ଟରେ ଫେରାଦ ହୋଇଥିଲେ।ଏଥିସହ କୋର୍ଟଙ୍କ ନିର୍ଦେଶକ୍ରମେ ମାଲକାନଗିରି ଥାନାରେ ପୂର୍ବତନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ୍ ସମେତ ତିନି ଜଣଙ୍କ ନାମରେ କେଶ ରୁଜୁ ହୋଇଥିଲା।

ଏହି କେଶକୁ ଏକ ଏସଆଇଟି ଟିମ ଗଠନ କରାଯାଇ ତଦନ୍ତ କରାଯାଉଛି। ବର୍ତ୍ତମାନ ଯାଏଁ ବିଶ୍ବସ୍ତ ସୂତ୍ରରୁ ଜଣାପଡୁଛି ଯେ ଗତ ଡିସେମ୍ବର ୨୭ ତାରିଖରେ ସ୍ବର୍ଗତ ପଣ୍ଡା ସବୁଦିନ ଭଳି ଅଫିସ ଯାଇଥିଲେ ଏବଂ ମଧ୍ୟାହ୍ନ ଭୋଜନ ପାଇଁ ଅଫିସରୁ ବାହାରି ଘରକୁ ଯାଇନଥିଲେ।ପରେ ସଂଧ୍ୟା ଯାଏଁ ନଫେରିବାରୁ ତାଂକ ପରିବାର ବର୍ଗ ତାଂକୁ ଖୋଜାଖୋଜି କରିଥିଲେ।ସେହି ଦିନ ଅପରାହ୍ନରେ ଶ୍ରୀ ପଣ୍ଡା ଡ୍ୟାମ ସାଇଡରେ ବସିଥିବା ସ୍ଥାନୀୟ ଲୋକ ଦେଖିଥିବା କୁହାଯାଇଛି।ସେଠାରେ କିଛି ପିଲା ଗାଧୋଉଥିବା ବେଳେ ସେଠାରୁ ଚାଲିଯିବାକୁ ମଧ୍ୟ ସେ କହିଥିବା ଜଣାପଡିଛି।ତାଂକର ମଟର ସାଇକେଲ,ଚପଲ,ହେଲମେଟ ଏବଂ ଅନ୍ୟ କିଛି ଜିନିଷ ତାପର ଦିନ ସକାଳୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ ବୋଲି ଜଣାପଡିଛି। ପୁଲିସ ଆସି ତାକୁ ଜବତ କରି ନେଇଥିଲା।

ସଂଦେହ ଘନୀଭୂତ ହେବାରୁ ପୁଲିସ ଓ ଦମକଳ ବାହିନୀ ସତୀଗୁଡା ଜଳଭଣ୍ଡାରରେ ଖୋଜାଖୋଜି କରିଥିଲେ।କିଛି ଘଣ୍ଟା ପରେ ଶ୍ରୀ ପଣ୍ଡାଙ୍କ ମୃତ ଦେହ ସେଠାରୁ ଉଦ୍ଧାର କରାଯାଇଥିଲା।ଏହି ସମୟରେ ସେଠାରେ ବହୁ ଜନଗହଳି ହୋଇଯାଇଥିଲା।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ବୋଲି ଜଣାପଡିଛି।ପୁଣି ଏହି ସମୟରେ ସ୍ବର୍ଗତ ପଣ୍ଡାଙ୍କର ବଡଭାଇ ମଧ୍ୟ ଉପସ୍ଥିତ ଥିଲେ ।ମୃତଦେହର ଉଦ୍ଧାର ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପଞ୍ଚନାମା ମଧ୍ୟ ହୋଇଥିବା ଜଣାପଡିଛି।ଶ୍ରୀ ପଣ୍ଡାଙ୍କ ଦେହରେ କ୍ଷତ ଚିହ୍ନ ନଥିବା ପଞ୍ଚନାମା ବେଳେ ସେତେବେଳେ ଜଣାପଡିଥିଲା।ଏହାପରେ ତାଂକର ମୃତଦେହକୁ ଏକ ଡାକ୍ତରୀ ଟିମ ଶବ ବ୍ୟବଛେଦ କରିଥିଲେ।

ଶବ ବ୍ୟବଛେଦ ରିପୋର୍ଟରେ ପାଣିରେ ବୁଡି ମରିଥିବାର ନେଇ ଉଲ୍ଲେଖ କରାଯାଇଛି।ତେବେ ଏସଆଇଟି ଟିମ କିନ୍ତୁ ଏହି ଘଟଣାରେ ପର୍ଦାଫାସ କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛି।ଏନେଇ ପରିବାର ଲୋକଙ୍କୁ ପଚରାଉଚରା ମଧ୍ୟ ଜାରି ରଖିଛି।ଅନ୍ୟଦିଗରେ କିନ୍ତୁ ପରିବାର ଲୋକେ ପୁଲିସ ଉପରେ ଆଣିଛନ୍ତି ପାଲଟା ଅଭିଯୋଗ। କିନ୍ତୁ ଏଯାଏଁ ପୁଲିସକୁ ପରିବାର ଲୋକେ କୌଣସି ଠୋସ ପ୍ରମାଣ ଦେଇପାରିନଥିବା ଜଣାପଡିଛି।ତେବେ ସାଧାରଣରେ ପ୍ରଶ୍ନ ଉଠିଛି ଯେ ସେହି ସମୟରେ କାହିଁକି କୌଣସି ବ୍ୟକ୍ତି କିମ୍ବା ଅଧିକାରୀ ନାମରେ ହତ୍ୟା ଅଭିଯୋଗ କଲେ ନାହିଁ।

ସୁଶାନ୍ତ ସିଂ ରାଜପୁତଙ୍କ ଘଟଣାର ପ୍ରଭାବ ପଡିଲା ଭଳି ଜଣାପଡୁଛି।ପୁଲିସ ଏବେ ଚାପରେ ରହିଥିବା ମଧ୍ୟ ଜଣାପଡିଛି।ଶ୍ରୀ ପଣ୍ଡାଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚା ହେବା ପରେ ପୁଲିସ ଏହାର ସତ୍ୟ ପର୍ଯ୍ୟନ୍ତ ପହଞ୍ଚି ଘଟଣାର ପର୍ଦାଫାସ କରିବାକୁ ନିରପେକ୍ଷ ଉଦ୍ୟମ କରୁଥିବା ଜଣାପଡିଛି।ତେବେ ଏହି ଘଟଣାର ସତ୍ୟ କଣ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।ଏହି ଘଟଣାର ସତ୍ୟାସତ୍ୟ କେବେ ଉନ୍ମୋଚନ ହେଉଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର