ଜନତା କର୍ଫ୍ୟୁକୁ ବର୍ଷେ: ଅଲୋଡ଼ା ପଡ଼ିଛି ସଂଗରୋଧ କେନ୍ଦ୍ର, ଖୋଜା ପଡ଼ିଲାଣି ଖଟିଆ
ଏରସମାରେ ଖତ ଖାଉଛି ଖଟ, ବେଡସିଟ୍ର ପତ୍ତା ନାହିଁ; ତାଲା ପଡ଼ିଛି ଗୋଦାମ ଘର
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ କରୋନା ମହାମାରୀ ଆତଙ୍କ ଖେଳାଇ ଦେଇଥିଲା। ଆଜି(ମାର୍ଚ ୨୨)ର ଦିନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ଜନତା କର୍ଫ୍ୟୁ କରାଯାଇଥିଲା। କରୋନା ଯୋଦ୍ଧାଙ୍କ ପାଇଁ ସାରା ଦେଶରେ ଘଣ୍ଟଘଣ୍ଟା ବଜାଇ ସେମାନଙ୍କ ପ୍ରତି ଦେଶବାସୀଙ୍କ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରାଯାଇଥିଲା। ଏହାର ଠିକ୍ ବର୍ଷକ ପରେ ଜଗତସିଂହପୁର ଜିଲ୍ଲାରେ ବିଳମ୍ବରେ ହେଉ ପଛେ ପ୍ରତି ବ୍ଲକ୍ ଓ ପଞ୍ଚାୟତସ୍ତରରେ ତତ୍କାଳ ସଂଗରୋଧ କେନ୍ଦ୍ରମାନ ଖୋଲାଗଲା। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଅସ୍ଥାୟୀ ସଂଗରୋଧ କେନ୍ଦ୍ରର ରଂଗ ଦେବା ସହିତ ଖଟିଆ, ଗଦି, ବେଡ୍ସିଟ୍, ତକିଆ, ବାଲଟି, ମଗ, ଆକ୍ବାଗାର୍ଡ଼, ସାନିଟାଇଜର୍ ଠାରୁ ଆରମ୍ଭ କରି ରହିବା, ଖାବଇବା ବନ୍ଦୋବସ୍ତ କରାଯାଇଥିଲା। ଜିଲ୍ଲାରେ କେଭିଡ୍ ୧୯ରେ ମୋଟ ୮ ହଜାର ୭୨୧ ଜଣ ଆକ୍ରାନ୍ତ ହୋଇଥିଲେ। ୩୧ ଜଣଙ୍କ ମୃତ୍ୟୁ ଘଟିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାୟ ଦେଢ଼ମାସ ପୂର୍ବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ହୋଇଯିବା ଆଶ୍ବସ୍ତି ଆଣି ଦେଇଥିଲା। କିନ୍ତୁ ଏହି କିଛି ଦିନ ହେଲା ଦ୍ବିତୀୟ ଦଫାରେ ଜଗତସିଂହପୁର ଜିଲ୍ଲାରେ ନୂ୍ଆ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଖୋଜାପଡ଼ିଲାଣି ସଂଗରୋଧ କେନ୍ଦ୍ର, ଖଟିଆ ଓ ଆନୁଷଙ୍ଗିକ ସୁବିଧା ସୁଯୋଗ। ସମସ୍ତ କଟକଣା ପାଳନକୁ ଗୁରୁତ୍ବ ଦିଆଯାଉଥିଲେ ମଧ୍ୟ ଏହି ମହାମାରୀ ଯେକୌଣସି ମୁହୂର୍ତରେ ଘାତକ ସାଜିପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଥିବା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନକୁ ମଧ୍ୟ ସଜାଗ ହେବାକୁ ପଡ଼ିବ। ତେବେ ଗତ ବର୍ଷ ଜିଲ୍ଲାପାଳଙ୍କ ଇ-ପ୍ରଶାସନର ପ୍ରୟୋଗ ଏବଂ ସୁପରିଚାଳନା ଯୋଗୁଁ ସଂଗରୋଧ କେନ୍ଦ୍ରଗୁଡ଼ିକର ଖର୍ଚ୍ଚ ଅନ୍ୟ ଜିଲ୍ଲା ତୁଳନାରେ ଢେର କମ୍ ରହିଥିଲା। କିନ୍ତୁ କ୍ରମେ ସଂଗରୋଧ କେନ୍ଦ୍ରଗୁଡ଼ିକ ବନ୍ଦ ହୋଇଯିବା କାରଣରୁ ସେସବୁ କେନ୍ଦ୍ରରେ ଗଚ୍ଛିତ ସ୍ବାସ୍ଥ୍ୟସେବା ପାଇଁ କିଣାଯାଇଥିବା ଆନୁଷଙ୍ଗିକ ସାମଗ୍ରୀ ଅବ୍ୟବହୃତ ହୋଇ ପଡ଼ିଛି। କେଉଁଠି ଖତ ଖାଇବା ପରିସ୍ଥିତିରେ ପହଞ୍ଚିଛି।
ଏରସମା: କରୋନା ଲକ୍ଡାଉନ୍କୁ ଯେତେବେଳେ ଆସିଲା, ବହୁତ କିଛି ପଦକ୍ଷେପ ନିଆଗଲା। ଦ୍ରୁତ ସ˚କ୍ରମଣକୁ ଲକ୍ଷ୍ୟ ରଖି ପ˚ଚାୟତ ସ୍ତରରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିଲା। ଲୋକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଖଟ, ବେଡସିଟ୍ଠାରୁ ଆରମ୍ଭ କରି ଶୁଦ୍ଧ ପାଣି ପିଇବା ନିମନ୍ତେ ଆକ୍ବାଗାର୍ଡର ବ୍ୟବସ୍ଥା କରାଯାଇଥିଲା। ମାତ୍ର କରୋନା ଟ୍ରେଣ୍ତ ଖସିବା ପରେ ଏବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଏହି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା ଅଲୋଡ଼ା ହୋଇପଡ଼ିଛି। ମିଳିଥିବା ତଥ୍ୟ ମୁତାବକ, କରୋନା ସମୟରେ ୩,୨୮୫ ଜଣ ପ୍ରବାସୀ ଏରସମା ବ୍ଲକ୍କୁ ଆସିଥିଲେ। ଏହି ବ୍ଲକ୍ରେ ପ୍ରବାସୀମାନଙ୍କୁ ଦୃଷ୍ଟିରେ ରଖି ୭୧ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଥିଲା। ସେଥିପାଇଁ ଦୁଇ ହଜାର ଖଟିଆ କିଣାଯାଇଥିଲା। ପ୍ରାୟ ସମସ୍ତ ଟିଏମ୍ସି ସେ˚ଟର ଗୁଡ଼ିକରେ ପ୍ରବାସୀ ରହୁଥିଲେ ଓ ଏହାକୁ ବ୍ୟବହାର କରୁଥିଲେ। ମାତ୍ର କରୋନା ଟ୍ରେଣ୍ତ୍ ଖସିବା ପରେ ଏ ସମସ୍ତ ସାମଗ୍ରୀ ଯେମିତି ଅଦରକାରୀ ହୋଇପଡ଼ିଛି। ଏହି ଖଟିଆ ଗୁଡ଼ିକ ସେମିତି ଟିଏମ୍ସି ସେ˚ଟରରେ ପଡ଼ି ଖତ ଖାଉଛି
। ବାଲ୍ଟି, ମଗ ଓ ବେଡସିଟ୍କୁ ଚୋର ନେଇଗଲେଣି। ଯେତିକି ବି ବେଡସିଟ୍ ରହିଛି, ସେସବୁର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ମୂଷା ଖାଇଗଲାଣି। କେତେକ ସ୍ଥାନରେ ଉଇ ଚରିଗଲାଣି। ମାତ୍ର ବିଡିଓ କହୁଛନ୍ତି ଏ ଗୁଡ଼ିକ ସରପଞ୍ଚଙ୍କ ଦାୟିତ୍ବରେ ରହିଛି। ସରପଞ୍ଚ ଏମିତି ଜଗିଲେ ଯେ, ସରକାରଙ୍କ ମାଲ୍ ଦରିଆ ମେ ଡାଲ ନ୍ୟାୟରେ ସେସବୁ ଖତ ହେବାରେ ଲାଗିଛି। ଯଦି ପୁଣି ଥରେ କରୋନା ଟ୍ରେଣ୍ତ ଫେରେ , ତେବେ ଜିଲ୍ଲା ପ୍ରଶାସନ କେମିତି ଏହାକୁ ମୁକାବିଲା କରିବ? ଏହା ନିଶ୍ଚିତ ଏକ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ଏବେଠୁ ଚର୍ଚ୍ଚା ହେଲାଣି। ତେଣୁ ବେଳ ଥାଉ ଥାଉ ସାବଧାନ ହେବା ନ୍ୟାୟରେ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଉ ବୋଲି ସାଧାରଣରେ ଦାବି ହୋଇଛି।
କୁଜଙ୍ଗ: କୋଭିଡ଼ ୧୯କୁ ଚାହୁଁ ଚାହୁଁ ବର୍ଷେ ବିତିଗଲାଣି। ପ୍ରାୟ ଦେଢ଼ ମାସ ପରେ ଦେଶରେ କରୋନା କଡ଼ ଲେଉଟାଇଛି। ତେବେ କୁଜଙ୍ଗ ବ୍ଲକ୍ ଅଞ୍ଚଳରେ ପୂର୍ବବର୍ଷ ଭଳି କରୋନା ଭୂତାଣୁର ଭୟନାହିଁ। ଅଧିକାଂଶ ସ୍ଥାନରେ କଟକଣାକୁ ଲୋକେ ଆଦୌ ମାନୁ ନଥିଲେ ହେଁ ଏବେ ପୁଣି ଅଜଣା ଭୟ ମାଡ଼ି ଆସିଲାଣି। ସତର୍କ ନରହିଲେ ସ୍ଥିତି ସଂଗିନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।
ତେବେ ପଞ୍ଚାୟତ ସ୍ତରରେ ବାହାର ରାଜ୍ୟ ତଥା ଦେଶବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କୁ ସଙ୍ଗରୋଧରେ ରହିବାକୁ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଖୋଲାଯାଇଥିଲା। ସେସବୁର ପରିଚାଳନା ପାଇଁ ତତ୍କାଳ କୋଟିକୋଟି ଟଙ୍କା ବ୍ୟୟ କରାଯାଇଥିଲା। ମାତ୍ର ସେସବୁ ସଙ୍ଗରୋଧ କେନ୍ଦ୍ରରେ ବ୍ୟବହୃତ ଖଟିଆ ସମେତ ଅନ୍ୟାନ୍ୟ ସରଞ୍ଜାମ ଏବେ ରକ୍ଷଣାବେକ୍ଷଣା ଅଭାବରୁ ଗୋଦାମ ଘରେ ପଡ଼ି ଖତ ହେଉଛି। ସେସବୁର ଉଫଯୁକ୍ତ ରକ୍ଷଣାବେକ୍ଷଣା ନିମନ୍ତେ ଦାବି ହୋଇଛି।
ପ୍ରକାଶଯେ, କୁଜଙ୍ଗରେ ୨୮ ପ˚ଚାୟତରେ ମୋଟ ୩୬ଟି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ପ୍ରତିଷ୍ଠା କରାଯାଇଥିଲା। ଏଥିରେ ମୋଟ ୭୭୪ଟି ଶଯ୍ୟା ରହିଥିଲା। ସେମାନଙ୍କ ମଧୢରୁ ପ୍ରାୟ ୮ଟି ପଞ୍ଚାୟତରେ ଦୁଇଟି ଲେଖାଏଁ ଟିଏମସି ରହିଥିବାବେଳେ ଅନ୍ୟ ସମସ୍ତ ପଞ୍ଚାୟତରେ ଗୋଟିଏ ଲେଖାଏଁ ସିଏମ୍ସି କରାଯାଇଥିଲା। ବାଲିକଣିରେ ୨୮ଟି ବେଡ୍ ବିଶିଷ୍ଟ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର କରାଯାଇଥିବାବେଳେ ବଡ଼ବାଲିକଣିରେ ୨୫, ବାଗୋଇ ୨୫, ବାଲିଆରେ ୩୧, ସାଇଲୋ ୨୫, ଭୂତମୁଣ୍ତାଇ ୧୧, ବିଶ୍ବାଳୀ ୧୧, ଗାରଇ ୨୫, ଗୋରଡ଼ ୩୧ ଆଦି ବେଡ୍ ରହିଥିଲା। ତେବେ ଟିଏମ୍ସି କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବାପରେ ରାଜ୍ୟ ସରକାର ବନ୍ଦ କରିଦେଇଥିଲେ। ମାତ୍ର ସେହି ସଂଗରୋଧକେନ୍ଦ୍ରର ୭୭୪ ଟି ଖଟିଆ ଏବେ ଅବ୍ୟବହୃତ ହୋଇ ପଞ୍ଚାୟତ ଗୋଦାମ ଘରେ ପଡ଼ି ରହିଛି। ସେଗୁଡିକ ମଧୢରୁ ଅନେକ ପଞ୍ଚାୟତରେ ଏହି ଖଟିଆ ଭଲ ଅବସ୍ଥାରେ ଥିବାବେଳେ କେତେକ ପଞ୍ଚାୟତରେ ଏହା ସମ୍ପୂର୍ଣ୍ଣଭାବେ ନଷ୍ଟ ହୋଇ ଯାଇଛି। ସେହିପରି ବେଡ୍ସିଟ୍, ଚେୟାର, ଆକ୍ବାଗାର୍ଡ଼, ବାଲ୍ଟି, ମଗ, ଇନଭର୍ଟର, ଖାଇବା ଥାଳି ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭାବେ ଚଢା ମୂଲ୍ୟରେ ପ୍ରଦାନ କରାଯାଇଥିଲା। କିନ୍ତୁ ସେସବୁର ଅଧିକାଂଶ ସ୍ଥାନରେ ଚିହ୍ନବର୍ଣ୍ଣ ନାହିଁ। ଗାଏବ୍ କରାଯାଇଛି। ତେବେ ବ୍ଳକ ପ୍ରଶାସନ ଏ ଦିଗରେ ତଦନ୍ତ କରିବା ସହିତ ସମସ୍ତ ସାମଗ୍ରୀ ଉଦ୍ଧାର କରି ସୁରକ୍ଷିତ ରଖିବାକୁ ଦାବି ହୋଇଛି।