ଜୟପୁର: ରୋଷେଇ ଘରେ ମହଙ୍ଗା ମାଡ଼ । ପରିବା ବଜାରରେ ନିଆଁ । କାର୍ତ୍ତିକ ମାସ ପୂର୍ବରୁ ଆକାଶଛୁଆଁ ପରିବା ଦର । ଫଳରେ ସାଧାରଣ ମଧ୍ୟବିତ୍ତ ଲୋକମାନେ ପନିପରିବା କିଣିବା ପାଇଁ ବଜାରରେ ଆଉ ପୂର୍ବଅପେକ୍ଷା ଭିଡ଼ ଜମାଉ ନାହାନ୍ତି। ନିତ୍ୟବ୍ୟବହାର୍ଯ୍ୟ ପରିବା ସହ, ପିଆଜ ଏବଂ ଆଳୁ ଦର ମଧ୍ୟ ବୃଦ୍ଧି ହୋଇଛି। ସହରର ଦୈନିକ ବଜାର, ଦ୍ବିତୀୟ ଦୈନିକ ବଜାର, ମୁଖ୍ୟରାସ୍ତା, ଜେଇଏଲସି କଂପ୍ଲେକ୍ସ ସମ୍ମୁଖ ସହ ସବୁ ସାହି ଛକରେ ପନି ପରିବା ପ୍ରତିଦିନ ବିକ୍ରି ହୋଇଥାଏ। ସକାଳୁ ସଞ୍ଜ ଯାଏଁ ଭିଡ଼ ଜମିଥାଏ ଏଠାରେ। ଗତ କିଛି ଦିନ ହେବ ପରିବା ଦର ଯାହା ଥିଲା ତାହା ଏବେ ଦୁଇ ଗୁଣ ବଢ଼ି ଯାଇଛି। ସେଭଳି ୧୫ଟଙ୍କା ଥିବା ପିଆଜ୍ କିଲୋ ୩୦ଟଙ୍କାରେ ପହଚିଂଥିଲା। ତେବେ ଆଜି ଜୟପୁର ଖୁଚୁରା ବଜାରରେ କିଲୋ ପିଆଜ୍ ୬୦ଟଙ୍କାରେ ପହଚିଂଛି। ଆଗକୁ ଆହୁରି ଦର ବୃଦ୍ଧି ପାଇବ ବୋଲି କହିଛନ୍ତି ଆଳୁ ପିଆଜ୍ ହୋଲସେଲ ବ୍ୟବସାୟୀ ଦେବେନ୍ଦ୍ର ଗୋଲାନି, ମୋହନ ରାଓ। ସେଭଳି ପରିବା ଦର ବି ୪୦ଉପରେ ରହିଛି।

Advertisment

ବଜାରରେ ଏବେ ବାଇଗଣ କିଲୋ ୨୦ଟଙ୍କା , ଟମାଟ କିଲୋ ୪୫, ପୋଟଳ କିଲୋ ୬୦, ଗାଜର କିଲୋ ୪୦, ସିମଳା ମରୀଚ ୧୦୦, ଛତୁ ପ୍ୟାକେଟ ୪୦, ଫୁଲ କୋବି କିଲୋ ୬୦, ବନ୍ଧା କୋବି କିଲୋ ୩୦, ଟମାଟୋ କିଲୋ ୩୫, କଲରା କିଲୋ ୮୦, ଭେଣ୍ଡି କିଲୋ ୩୦, ଶିମ୍ବ ୧୨୦,ସଜନା ଛୁଇଁ ୮୦, ବିନସ୍ କିଲୋ ୪୦, ବରବାଟି କିଲୋ ୩୦, କଲାର ୩୫, ଖମ୍ବ ଆଳୁ ୪୦, ଜହ୍ନି କିଲୋ ୫୦, କୁନ୍ଦ୍ରୁ କିଲୋ ୪୦ ଟଙ୍କାରେ, ଅଦା ୧୪୦ ଓ କଂଚା ମରୀଚ ୬୫ଟଙ୍କା ବିକ୍ରି ହେଉଛି। କାର୍ତିକ ମାସ ଆସୁଥିବାରୁ ବଢି ଯାଇଛି ଦର। ଫଳରେ ଗ୍ରାହକ ହାଣ୍ଡିଶାଳରେ ଏହାର ସିଧାସଳଖ ପ୍ରଭାବ ପଡିଛି। ପୂର୍ବରୁ ଶହେ ଟଙ୍କାରେ କିଣୁଥିବା ପରିବା ଏବେ ୫୦୦ ଟଙ୍କାରେ ବି ବ୍ୟାଗ ଭର୍ତ୍ତି ହେଉନାହିଁ। ସେଭଳି ସବୁ ବର୍ଗର ଲୋକଙ୍କ ଚାହିଦା ଥିବା ପିଆଜ କିଲୋ ୬୦ଓ ଆଳୁ କିଲୋ ୨୫ଟଙ୍କା ରହିଛି। ଏସମୟର ପାଗ ପରିବର୍ତ୍ତନ ପାଇଁ ନାସିକରୁ ଆସୁଥିବା ପିଆଜର ଦର ବୃଦ୍ଧି ପାଇଛି, ତାହା ଆଗାମୀ କିଛି ଦିନ ଦର ବୃଦ୍ଧି ରହିବ ବୋଲି କହିଛନ୍ତି ଉଭୟ ବ୍ୟବସାୟୀ। ହୋଲସେଲରେ ଆଣିଲେ ୪୮ଟଙ୍କା ପଡ଼ିଯାଉଛି। ତା ବାଦେ ପୁଣି ପରିବହନ ଖର୍ଚ୍ଚ ବି ଅଧିକା ରହିଛି ବୋଲି କହିଛନ୍ତି ହୋଲସେଲ୍ ବେପାରୀ।
ସେହିପରି ଜିଲ୍ଲାର ଜୟପୁର ଉପଖଣ୍ଡର ଯେଉଁସବୁ ସ୍ଥାନରେ ପନି ପରିବା ଅଧିକ ଉତ୍ପାଦନ ହୁଏ ସେଠାରୁ ଲଘୁଚାପ ଜନିତ ଓଅଦିନିଆ ଲଗାଣ ବର୍ଷା ପାଇଁ ତାହା ନଷ୍ଟ ହୋଇ ଯାଇଛି। ତେଣୁ ସହରବାସୀଙ୍କୁ ମିଳୁନି ନିଜ ଜିଲ୍ଲାର ପରିବା। ବାହାର ଜିଲ୍ଲା ତଥା ବାହାର ରାଜ୍ୟ ଛତିଶଗଡ,କର୍ଣ୍ଣାଟକ ଓ ଆନ୍ଧ୍ରରୁ ପନି ପରିବା ଆମଦାନୀ ହେଉଛି। ଫଳରେ ବଜାର ଦର ଅଧିକ ରହୁଥିବା କହିଛନ୍ତି ବ୍ୟବସାୟୀ ଅନିଲ ପାଣିଗ୍ରାହୀ। ଲୋକଙ୍କ ଆର୍ଥିକ ସ୍ଥିତିକୁ ଦେଖି ବଜାର ଦର ଓ ପନିପରିବା ଦର ଉପରେ ନିୟନ୍ତ୍ରଣ କରିବାକୁ ସାଧାରଣରେ ଦାବି ହେଉଛି। ଦର ଗୁଡିକର ତର୍ଜମା କରାଯାଉଛି କିଭଳି ନିୟନ୍ତ୍ରଣ କରାଯିବ ସେ ଯୋଜନା କରାଯାଉଛି ବୋଲି କହିଛନ୍ତି ମାର୍କେଟିଂ ନିରୀକ୍ଷକ ଆଦିତ୍ୟ ପ୍ରସାଦ ଦଳାଇ।