ଡିଏଭି କଲେଜ୍‌ରେ ଅନଲାଇନ୍ ମାଧ୍ୟମରେ ପରୀକ୍ଷା ଦାବି, ଛାତ୍ର କ୍ରିୟାନୁଷ୍ଠାନ କମିଟିର ଧାରଣା

ଟିଟିଲାଗଡ଼: ସ୍ଥାନୀୟ ଡିଏଭି କଲେଜ‌ ଯୁକ୍ତତିନ ତୃତୀୟ ସେମିଷ୍ଟର ତଥା ଅନ୍ୟ ସେମିଷ୍ଟର୍ ପରୀକ୍ଷା ଅନ୍‌ଲାଇନ୍‌ରେ କରାଯିବା ଏବଂ ଅନ୍‌ଲାଇନ୍‌ କ୍ଲାସ୍‌ଗୁଡ଼ିକୁ ନିୟମିତ ଭାବେ କରାଯିବାକୁ ଦାବି ହୋଇଛି। ଏନେଇ ଶୁକ୍ରବାର କଲେଜର ଛାତ୍ର କ୍ରିୟାନୁଷ୍ଠାନ କମିଟି ତରଫରୁ ଧାରଣା ଦିଆଯାଇଥିଲା। କଲେଜର ମୁଖ୍ୟ ଫାଟକ ସାମ୍ନାରେ ଆନ୍ଦୋଳନ କରାଯାଇଥିଲା। ଉପସ୍ଥିତ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଯେ ଗତ କିଛିଦିନ ମଧ୍ୟରେ ଏହି କଲେଜର କିଛି ଅଧ୍ୟାପକ ଓ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କିନ୍ତୁ କଲେଜ ତରଫରୁ କୌଣସି ପ୍ରତିଷେଧକ ପନ୍ଥା ଗ୍ରହଣ କରାଗଲା ନାହିଁ।

କଲେଜ କର୍ତ୍ତୃପକ୍ଷ ଆମ ହାତରେ କିଛି ନାହିଁ ବୋଲି କହିଥିବାରୁ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ଶୁକ୍ରବାର ସକାଳୁ ଛାତ୍ର କ୍ରିୟାନୁଷ୍ଠାନ କମିଟିର ଶୁଭମ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଶତାଧିକ ଛାତ୍ରଛାତ୍ରୀ ମୁଖ୍ୟ ଫାଟକ ସାମନାରେ ଧାରଣା ଦେଇଥିଲେ। କଲେଜ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ ସେଠାରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଅନଲାଇନ୍ କ୍ଲାସ ନିୟମିତ ଭାବେ ହେବ ଏବଂ ଅନଲାଇନ୍ ପରୀକ୍ଷା ପାଇଁ ବିଶ୍ବବିଦ୍ୟାଳୟ ଭିସିଙ୍କ ସହିତ ଆଲୋଚନା ପରେ ହିଁ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ଆଜିର ଏହି ଆନ୍ଦୋଳନରେ ହିତେଶ ମିଶ୍ର, ପ୍ରଦୀପ ନାରାୟଣ ଦାଶ, ଅଜୟ ସାହୁ, ସୁଧୀନ୍ଦ୍ର ଭୋଇ, ଚନ୍ଦ୍ରାଂଶୁ ମିଶ୍ର, ସୋମନାଥ ପାଣିଗ୍ରାହୀ, ମହେଶ ବେହେରା, ରୋଶନ ସାହୁ, ଜଗଦୀଶ ରାଉତ, ବିକାଶ ବେନିଆ, ଆକାଶ ବେହେରା, ଚିନ୍ମୟ ଭୋଇ, ସୃଜନୀ ବେହେରା, ସ୍ଵାତୀ ଗୁପ୍ତ, ଅଂଚଳ ଅଗ୍ରୱାଲ, ଶ୍ରୀୟା ଶର୍ମା, ଅଙ୍କିତ ସିଂହ, ଶିବ ସାହ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର