ଅନ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ଦାବି:ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାକୁ ଫୋଫାଡି ଦେଲେ ବିକ୍ଷୋଭକାରୀ

ଜୟପୁର,: ଅଫ୍‌ ଲାଇନ୍‌ରେ ସେମିଷ୍ଟାର ପରୀକ୍ଷା ହେବାକୁ ଥିବା ବେଳେ ଏହାକୁ ବିରୋଧ କରି ଜୟପୁର ସ୍ଥିତ ବିକ୍ରମଦେବ ସ୍ବଂୟଶାସିତ ମହାବିଦ୍ୟଳୟରେ ଛାତ୍ରଙ୍କ ଉନ୍ମୁକ୍ତ କାଣ୍ଡ ଦେଖିବାକୁ ମିଳିଛି। କଲେଜ କର୍ତ୍ତୁପକ୍ଷଙ୍କ ବିରୁଧରେ ନାରାବାଜି ଦେବା ସହ ଅନ୍‌ ଲାଇନ୍‌ରେ ପରୀକ୍ଷା କରିବାକୁ ଦାବି କରିଛନ୍ତି। ଏମିତିକି ଆଜି ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ଉତ୍ତର ଖାତାକୁ ବିକ୍ଷୋଭକାରୀ ଛାତ୍ରମାନେ ଛଡାଇ ନେଇ ବାହାରକୁ ଫୋଫାଡି ଦେଇଛନ୍ତି। ଛାତ୍ରମାନଙ୍କୁ ଏଭଳି କାଣ୍ଡ ଦେଖି ଟାଉନ୍ ପୁଲିସ୍ କଲେଜରେ ପହଞ୍ଚି ଛାତ୍ରମାନଙ୍କୁ ଅଟକାଇଥିଲେ। ଏଥିସହ ପୁଲିସ ମୁତୟନ ପରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ।

କରୋନା କଟକଣା ଯୋଗୁଁ ମହାବିଦ୍ୟାଳୟ ଶ୍ରେଣୀଗୃହରେ କ୍ଲାସ ନକରି ଅନ୍‌ଲାଇନ୍‌ରେ କ୍ଲାସ କରାଯାଉଛି। ଛାତ୍ରଛାତ୍ରୀମାନ‌େ ଘରେ ରହି ଅନ୍‌ଲାଇନରେ ପାଠ ପଢ଼ୁଛନ୍ତି। କିନ୍ତୁ ଏବେ ପରୀକ୍ଷା ସମୟ ଆସିଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗ ଅଫ୍‌ ଲାଇନ୍‌ରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ଛାତ୍ରମାନ‌େ ବିରୋଧ କରିଛନ୍ତି। ଏନେଇ ଗତକାଲି ଛାତ୍ରମାନେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଦାବିପତ୍ର ଦେଇଥିଲେ।

ଅନ୍‌ ଲାଇନ୍‌ ପରୀକ୍ଷା କରାନଗଲେ ଆଜି ଧାରଣା ଦେବ ବୋଲି ମଧ୍ୟ ଚେତାବନୀ ଦେଇଥିଲେ। ଏନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଗୋପାଳ ହାଲଦାର ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା କରିଥିଲେ। ସମସ୍ତ ପରୀକ୍ଷା ଅନ୍‌ଲାଇନ୍‌ରେ ହେବ ଅଫ୍‌ ଲାଇନ୍‌ରେ ନୁହେଁ, ଆଗକୁ କରୋନାର ସ୍ଥିତିକୁ ଦେଖି ପରୀକ୍ଷାକୁ ପରିବର୍ତ୍ତନ କରାଗଲେ ଅବଗତ କରାଯିବ ବୋଲି ସଚିବ କହିଥିବା ନେଇ ପ୍ରକାଶ କରିଥ‌ିଲେ। ଏହାକୁ ନେଇ ଛାତ୍ରମାନ‌େ ଆଜି ମଧ୍ୟାହ୍ନ ୧୨ଟା ବେଳେ ମହାବିଦ୍ୟାଳୟ ପରିସରରେ ପ୍ରାଶାସନିକ ଭବନ ସମ୍ମୁଖରେ ନାରାବାଜି ଦେଇଥିଲେ।

ଏଥିସହ ଯୁକ୍ତ ୩ ଦ୍ବିତୀୟବର୍ଷର ଛାତ୍ରଛାତ୍ରୀମାନେ ଇଣ୍ଟରନାଲ୍‌ ପରୀକ୍ଷା ଦେଉଥିବା ବେଳେ ସେହି କୋଠରୀରେ ‌ବିକ୍ଷୋଭକାରୀ ଛାତ୍ରମାନେ ପହଞ୍ଚି ପରୀକ୍ଷାର୍ଥୀମାନଙ୍କ ଉତ୍ତର ଖାତାକୁ ବାହାରକୁ ଫୋଫାଡ଼ି ଦେଇଥ‌ିଲେ। ଓଡିଆ, ଅର୍ଥଶାସ୍ତ୍ର ଓ ଇତିହାସ ବିଭାଗ ପରୀକ୍ଷା ହଲ୍‌ ଭିତରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। କିଛି ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ମିଳିଥିବା ବେଳେ ଆଉ କିଛିଙ୍କ ମିଳିପାରି ନଥିଲା। ଯାହାଫଳରେ ସେହି ପରୀକ୍ଷାର୍ଥୀମାନଙ୍କୁ ନୂତନ ଉତ୍ତର ଖାତା ଦେବାରୁ ସେମା‌ନ‌େ ଉତ୍ତର ଲେଖିଥିଲେ। ଖବର ପାଇ ଟାଉନ୍ ପୁଲିସ ପରୀକ୍ଷାକେନ୍ଦ୍ରରେ ପହଞ୍ଚି ବ‌ିକ୍ଷୋଭ ଛାତ୍ରକୁ ଅଟକାଉ ସେଠାରୁ ବାହାରକୁ କାଢ଼ିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ପୁଲିସର ବୁଝାସୁଝା ପରେ ଘଟଣା ଶାନ୍ତ ପଡ଼ିଥିଲା।

ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ହାଲଦାରଙ୍କ କହିବାନୁଯାୟୀ, ଏବେ ଯୁକ୍ତ ତିନି ଦ୍ବିତୀୟବର୍ଷ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ୍ ପରୀକ୍ଷା ଚାଲିଛି। ଆଜି ଇଣ୍ଟରନାଲ୍‌ ପରୀକ୍ଷା ଶେଷ ହେଉଥିବା ବେଳେ ଆସନ୍ତା ୧୯ ତାରୁଖରୁ ୩୦ ତାରିଖ ପର୍ଯ୍ୟନ୍ତ ତୃତୀୟ ସେମିଷ୍ଟାର ପରୀକ୍ଷା ହେବ। ସେହି ସେମିଷ୍ଟାର ପରୀକ୍ଷାକୁ ଅଫ୍‌ ଲାଇନ୍‌ ନକରି ଅନ୍‌ଲାଇନ୍ କରିବା ପାଇଁ ଦାବି କରିଥିବା ବେ‌ଳେ ଏନେଇ ସେ ଉଚ୍ଚ ଶିକ୍ଷା ବିଭାଗକୁ ଜଣାଇଛନ୍ତି।

ସମ୍ବନ୍ଧିତ ଖବର