‘ନାପ୍‌ଟୋଲ୍‌’ ନାଁରେ ଅନ୍‌ ଲାଇନ୍‌ ଠକେଇ; କୁପନ୍‌ ସ୍କ୍ରାଚ୍‌ କର, ସାଢ଼େ ୭ଲକ୍ଷ ନିଅ 

ରାଉରକେଲା: ‘ ମୁଁ ସୋମନାଥ ଶର୍ମା ନାପ୍‌ଟୋଲ୍‌ ଅନ୍‌ଲାଇନ୍‌ ସପିଂ ପ୍ରାଇଭେଟ୍‌ ଲିମିଟେଡ୍‌ ନୂଆଦିଲ୍ଲୀ ଅଫିସ୍‌ରୁ କହୁଛି। ଆପଣ ରାଉରକେଲା ସାରନଗରୀରୁ ସନ୍ତୋଷ କୁମାର ଦାସ କହୁଛନ୍ତି। ‘ରାନ୍‌ଡମ୍‌ ଲକି ଡ୍ର କଣ୍ଟେଷ୍ଟ’ରେ ଆପଣ ହେଉଛନ୍ତି ଜଣେ ଭାଗ୍ୟଶାଳୀ ବିଜେତା। ପଠାଯାଇଥିବା ଲକି ଡ୍ର କୁପନ୍‌ରୁ ଆପଣ ସାଢ଼େ ୭ ଲକ୍ଷ ଟଙ୍କା ଜିତିଛନ୍ତି। ଆପଣଙ୍କୁ ଦିଆଯାଇଥିବା ଫର୍ମ ପୂରଣ କରି ୱାଟସ୍‌ଆପ୍‌ ନଂ ୮୬୯୭୧୩୯୫୫୬ରେ ପଠାନ୍ତୁ। ୨୪ ଘଣ୍ଟା ମଧ୍ୟରେ ଆପଣଙ୍କ ଆକାଉଣ୍ଟକୁ  ସାଢ଼େ ୭ ଲକ୍ଷ ଟଙ୍କା ଟ୍ରାନ୍ସଫର କରି ଦିଆଯିବ।’

ନାପ୍‌ଟୋଲ୍‌ କମ୍ପାନୀ ଅଧିକାରୀଙ୍କ ଠାରୁ ଏମିତି କଥା ଶୁଣିବା ପରେ ବେଶ୍‌ ଖୁସି ହୋଇଯାଇଥିଲେ ସନ୍ତୋଷ। କେବଳ ସନ୍ତୋଷ ନୁହେଁ ତାଙ୍କ ପରିବାର ଲୋକ ଆହୁରି ଖୁସି ହୋଇଯାଇଥିଲ। ତୁରନ୍ତ ସ୍ପିଡ୍‌ପୋଷ୍ଟରେ ଆସିଥିବା ଲକି ଡ୍ର କୁପନ୍‌କୁ ସ୍କ୍ରାଚ୍‌ କରିଥିଲେ। ଯେଉଁଥିଲେ ଲେଖାଥିଲା  ସାଢ଼େ ୭ ଲକ୍ଷ ଟଙ୍କା। ସନ୍ତୋଷ ଫର୍ମରେ ଦିଆଯାଇଥିବା ସହାୟତା ନମ୍ବରରେ ସନ୍ତୋଷ  ନାପ୍‌ଟୋଲ୍‌ ଅଧିକାରୀ ସୋମନାଥ ସହ ପୁଣି କଥା ହୋଇଥିଲେ। ନାପ୍‌ଟୋଲର ତଥାକଥିତ ଅଧିକାରୀ ସୋମନାଥ ସନ୍ତୋଷଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇବାକୁ କମ୍ପାନିର ବିଷୟରେ ଅନେକ କଥା କହିଥିଲେ। ସନ୍ତୋଷ ଟଙ୍କା ପାଇବାକୁ କ’ଣ କ’ଣ କରିବାକୁ ହେବ ବୋଲି ସୋମନାଥଙ୍କୁ ପଚାରିଥିଲେ। ସୋମନାଥ ଫର୍ମରେ ଦିଆଯାଇଥିବା ନାମ, ବ୍ୟାଙ୍କ ଆକାଉଣ୍ଟ ନମ୍ବର, ଆଇଏଫ୍‌ଏସ୍‌ସି କୋଡ୍‌ ନଂ,  ଶାଖାର ନାମ, ମୋବାଇଲ ନମ୍ବର, ବ୍ୟାଙ୍କର ନାମ୍‌, ଆଧାର ଓ ପ୍ୟାନ୍‌ ନମ୍ବର ପୂରଣ କରି ଆସନ୍ତାକାଲି (ମଙ୍ଗଳବାର) ସୁଦ୍ଧା ଦିଆଯାଇଥିବା ୱାଟ୍‌ସ ଆପ୍‌ ନମ୍ବରରେ ପଠାନ୍ତୁ।

ଏହି ଫର୍ମକୁ କମ୍ପାନି ଉଚ୍ଚ ଅଧିକାରୀଙ୍କ ନିକଟରେ ପ୍ରୋସେସିଂ କରିବାକୁ ଦାଖଲ କରାଯିବ। ଅଧିକାରୀଙ୍କ ନିକଟରେ ଦାଖଲ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଲକି ଡ୍ର କୁପନ୍‌ରେ ଜିତିଥିବା ସାଢ଼େ ୭ ଲକ୍ଷ ଟଙ୍କା ଆପଣଙ୍କ ଆକାଉଣ୍ଟରେ ଜମା କରି ଦିଆଯିବ ବୋଲି କହିଥିଲେ। ବିସ୍ତୃତ ତଥ୍ୟ ମାଗିବାରୁ ସନ୍ତୋଷଙ୍କ ସନ୍ଦେହ ହୋଇଥିଲା। ଠକାମିରେ ଶିକାର ହୋଇଥିବା ସନ୍ଦେହ କରି ଉପସ୍ଥିତି ବୁଦ୍ଧି ଖଟାଇଥିଲ। ସେ ନୂଆଦିଲ୍ଲୀ ଅଫିସ୍‌କୁ ଯାଇ ଆବଶ୍ୟକ କାଗଜପତ୍ର ଜମା କରିବେ ବୋଲି ସୋମନାଥକୁ କହିଥିଲେ। ସନ୍ତୋଷଙ୍କ ଠାରୁ ଏମିତି କଥା ଶୁଣିବା ପରେ ନାପଟୋଲର ତଥାକଥିତ ଅଧିକାରୀ ସୋମନାଥ କଲ୍‌ କାଟି ଦେଇଥିଲେ। ଫଳରେ ସନ୍ତୋଷ ଲକ୍ଷାଧିକ ଟଙ୍କା ଠକେଇରୁ ବର୍ତ୍ତି ଯାଇଛନ୍ତି। କେବଳ ସାରନଗରୀର ସନ୍ତୋଷ ନୁହେଁ ସାଇବର ଠକ୍‌ମାନେ ବିଭିନ୍ନ ଉପାୟରେ ନିରୀହ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ‌ନେଉଛନ୍ତି। ଏଭଳି ଫୋନ୍‌ କଲ୍‌, ଲକି ଡ୍ରକ୍‌ ସ୍କ୍ରାଚ୍‌ କୁପନ୍‌ ଓ କମ୍ପାନିର ସ୍ପିଡ୍‌ ପୋଷ୍ଟ ‌ଚିଠିକୁ ଆଦୌ ବିଶ୍ବାସ କରନ୍ତୁ ନାହିଁ ବୋଲି ସନ୍ତୋଷ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର