ଭଞ୍ଜନଗର: ଦିନକୁ ଦିନ ବଦଳୁଛି ଯୁଗ ଆଉ ତା ସହ ତାଳ ଦେଇ ବଦଳିବାରେ ଲାଗିଛି ଲୋକଙ୍କ ଜୀବନଶୈଳୀ। ଡିଜିଟାଲ୍ ଯୁଗରେ ଜିନିଷପତ୍ର କିଣିବିକା କରିବା ପାଇଁ ଅନ୍ଲାଇନ୍ ବ୍ୟପାରକୁ କରିଛନ୍ତି ମାଧ୍ୟମ। କିନ୍ତୁ ଆବଶ୍ୟକ ସଚେତନା ଓ ସର୍ତ୍ତକତା ଅଭାବରୁ ଏହି ଅନ୍ଲାଇନ କାରବାରରେ ବହୁ ନୀରିହ ଲୋକ ଅନ୍ଲାଇନ ଠକେଇର ଶିକାର ହେଉଛନ୍ତି। ଖାସ୍ କରି ଯୁବପିଢି ଏଥିରେ ଛନ୍ଦି ହେଉଥିବା ଖବର ପ୍ରତିଦିନ ଶୁଣିବାକୁ ମିଳୁଛି। ଚୋରୀର ନୂଆ ରାସ୍ତା ଆପଣାଇ ସାଇବର ଅପରାଧିମାନେ ଏଟିଏମରୁ ଟଙ୍କା ଗାଏବ କରୁଛନ୍ତି ତ କେତେ ବେଳେ ଲୋକଙ୍କୁ ଭୁଆଁ ବୁଲାଇ ଲୁଟି ନେଉଛନ୍ତି। ଆଖି ପିଛୁଳାକେ ଖାଲି କରି ଦେଉଛନ୍ତି କଷ୍ଟ ଅର୍ଜିତ ଧନସମ୍ପତି। ଏଭଳି ଏକ ଅନଲାଇନରେ ଠକେଇର ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ଥାନା ଅଧିନ ବଡ଼କୋଦଣ୍ଡା ଗ୍ରାମରେ।
ଗ୍ରାମର ଗଗନ ବିହାରୀ ପ୍ରଧାନଙ୍କ ପୁଅ ଅଯୋଧ୍ୟା ପ୍ରସାଦ ପ୍ରଧାନ (୨୬) ଓଏଲ୍ଏକ୍ସ୍ ମାର୍କେଟିଂ ଆପ୍ରେ ଥିବା ଏକ ପୁରୁଣା ସ୍କୁଟି କିଣିବାକୁ ଯାଇ ୫୧ହଜାର ଟଙ୍କାର ଠକେଇର ଶୀକାର ହୋଇଛନ୍ତି। ଗୋଟାଏ ପଟେ ଗାଡ଼ି ପାଇ ପାରିନଥିବା ବେଳେ ସଂପୃକ୍ତ ବ୍ୟକ୍ତି ବାରମ୍ବାର ଟଙ୍କା ପଠାଇବା ପାଇଁ କହୁଥିବାରୁ ଅଯୋଧ୍ୟାଙ୍କ ସନ୍ଦେହ ଯାତ ହେବାରୁ ସେ ଥାନାରେ ଏତଲା ଦେଇଛନ୍ତି।
ସୁଚନା ଅନୁଯାୟୀ,ଗତ ଗଣେଷ ପୂଜା ପୂର୍ବଦିନ ଅର୍ଥାତ୍ ଚଳିତ ମାସ ୨୧ ତାରିଖ ଦିନ ଅଯୋଧ୍ୟା ନିଜ ମୋବାଇଲ୍ର ଓଏଲ୍ଏକ୍ସ ଆପ୍ରେ ଏକ ହୋଣ୍ଡା କମ୍ପାନିର ଏଭିଏଟର୍ ପୁରୁଣା ସ୍କୁଟି ଦେଖିଥିଲେ। ସେଥିରେ ସ୍କୁଟିର ଦାମ୍ ୧୩ ହଜାର ୫ଶହ ଟଙ୍କା ଉଲ୍ଲେଖ କରାଯାଇଥିଲା। ଏହାପରେ ଅଯୋଧ୍ୟା ତାକୁ କିଣିବା ପାଇଁ ମନସ୍ଥ କରିଥିଲେ। ଓଏଲ୍ଏକ୍ସ ଆପ୍ରେ ଗାଡ଼ି କିଣିବା ନେଇ ଅଯୋଧ୍ୟା ମେସେଜ୍ କରିବା ପରେ ତାଙ୍କୁ ଏକ ଫୋନ୍ ନମ୍ବର ମେସେଜ୍ ଆସିଥିଲା ସେଥିରେ ୱାଟ୍ସଆପ୍ ମେସେଜ୍ କରିବା ପାଇଁ କୁହାଯାଇଥିଲା। ବ୍ୟକ୍ତି ଜଣକ ସେନାରେ ଚାକିରୀ କରୁଥିବା ପରିଚୟ ଦେଇ ଅଯୋଧ୍ୟା ସହ କଥାବାର୍ତ୍ତା ହୋଇଥିଲେ। ୧୨ ହଜାର ଟଙ୍କାରେ ଗାଡି କିଣିବେ ବୋଲି ଡିଲ୍ ଫାଇନାଲ୍ ହୋଇଥିଲା ତା ପରଦିନ ସକାଳୁ ଅଗ୍ରୀମ ୨ ହଜାର ଟଙ୍କା ଦେଲେ ଗାଡ଼ି ପଠାଇବି ବୋଲି ସଂପୃକ୍ତ ବ୍ୟକ୍ତି ଜଣକ କହିବାରୁ ଅଯୋଧ୍ୟା ତାଙ୍କର ଫୋନ୍ ପେ ଆକାଉଣ୍ଟକୁ ୨ ହଜାର ଟଙ୍କା ପଠାଇଥିଲେ। ଏହାପରେ ଭୂବନେଶ୍ବରରୁ ବ୍ରହ୍ମପୁର ଅର୍ମି କ୍ୟଣ୍ଟିନ୍କୁ ଗାଡି ପଠାଯାଇଥିବାର ଏକ ଡେଲିଭରି ରସିଦର କପି ଅଯୋଧ୍ୟାର ୱାଟ୍ସପ୍ ନମ୍ବରକୁ ସଂପୃକ୍ତ ବ୍ୟକ୍ତି ପଠାଇଥିଲେ।
ଏହାର କିଛି ସମୟ ପରେ ଆଉ ଏକ ନମ୍ବରରୁ ଅଯୋଧ୍ୟାକୁ କଲ୍ ଆସିବା ସହ ଗାଡିଟି ବ୍ରହ୍ମପୁରରେ ଅଛି ଏବଂ ଗାଡ଼ିର କାଗଜ ପତ୍ର କାମ ପାଇଁ ତାଙ୍କୁ ପୁରା ଟଙ୍କା ପୈଠ କରିବା ପାଇଁ କୁହାଯାଇଥିଲା ଏହାପରେ ଅଯୋଧ୍ୟା ଗାଡ଼ି କିଣିବା ପାଇଁ କଥା ହୋଇଥିବା ପୂର୍ବ ଲୋକଙ୍କ ସହ କଥାବାର୍ତ୍ତା ହୋଇ ପୁଣି ତାଙ୍କ ଫୋନ୍ ପେ କୁ ୧୦ ହଜାର ଟଙ୍କା ପଠାଇଥିଲେ। ଏହାପରେ ଗାଡ଼ିଟି ବ୍ରହ୍ମପୁର କ୍ୟଣ୍ଟିନ୍ରୁ ଜଣେ ସେନା କର୍ମଚାରୀ ତାଙ୍କ ପାଖକୁ ନେଇକି ଯିବେ ତାଙ୍କର ବୀମା ବାବଦକୁ ୯ ହଜାର୧୨୦ ଟଙ୍କା ପଠାଇବା ପାଇଁ ଗାଡ଼ି ପାଇବା ସମୟରେ ୧୨୦ ଟଙ୍କା କଟାଯାଇ ବାକି ୯ ହଜାର ଟଙ୍କା କେସ୍ ଦିଆଯିବ ବୋଲି ବ୍ୟକ୍ତି ଜଣଙ୍କ କହିଥିଲେ। ଏହି ଟଙ୍କା ମଧ୍ୟ ସେ ସେହି ଫୋନ୍ ପେ ଆକାଉଣ୍ଟକୁ ପଠାଇଥିଲେ। ପୁଣି କଲ୍ ଆସିବା ସହ ଏକାଥରକେ ୯୧୨୦ ଟଙ୍କା ପଠାଇଲେ ହେବ ନାହିଁ ୯ ହଜାର ଟଙ୍କା ଅଲଗା ଏବଂ ୧୨୦ ଟଙ୍କା ଅଲଗା ପଠାଇବା ପାଇଁ କୁହାଯାଇଥିଲା।
ଅଯୋଧ୍ୟାଙ୍କ ଆକାଉଣ୍ଟ୍ରେ ଟଙ୍କା ନଥିବାରୁ ସେ କ୍ୟାସ୍ ଡିପୋଜିଟ୍ ମେସିନ୍ରେ ଟଙ୍କା ନିଜ ଖାତାରେ ଜମାକରି ଟଙ୍କା ପଠାଇଥିଲେ। କିନ୍ତୁ ସେହି ବ୍ୟକ୍ତି ଜଣଙ୍କ ପୁଣି ଫୋନ୍ କରି କହିଥିଲେ ଯେ ଟଙ୍କା ପଠାଇବା ବଳିମ୍ବ ହୋଇଥିବାରୁ ମାଷ୍ଟର୍ ବେନ୍ ଫାଇନ୍ ଦେବାକୁ ପଡ଼ିବ। ଏଥିରେ ବିରକ୍ତ ହୋଇ ଅଯୋଧ୍ୟା ତାଙ୍କର ଟଙ୍କା ଫେରାଇ ଦେବା ପାଇଁ କହିଥିଲେ। ଏହାପରେ ବ୍ୟକ୍ତି ଜଣକ ଗାଡ଼ି ବ୍ରହ୍ମପୁର କ୍ୟଣ୍ଟିନ୍ ପଳାଇଆସିଛି। ଟଙ୍କା ନ ବାନ୍ଧିଲେ ଟଙ୍କା କିମ୍ବା ଗାଡ଼ି କିଛି ମିଳିବନି ବୋଲି କହିଥିଲେ। ଏହାପରେ ବାଧ୍ୟ ହୋଇ ଅଯୋଧ୍ୟା ଫାଇନ୍ ବାବଦକୁ ୧୨ ହଜାର ୭୦୦ ଟଙ୍କା ସେହି ନମ୍ବରକୁ ଫୋନ୍ ପେ ଦ୍ବାରା ଫଠାଇଥିଲେ। ଅପରାହ୍ନରେ ପୁଣି ଫୋନ୍ ଆସିବା ସହ ଗେଟ୍ ପାସ୍ ପାଇଁ ୮ ହଜାର ୧୨୧ ଟଙ୍କା ପଠାଇବାକୁ କହିଥିଲେ ଯାହାକି ଗାଡ଼ି ପାଇବା ସମୟେ ଫେରସ୍ତ କରାଯିବ। ସେହି ଟଙ୍କା ମଧ୍ୟ ଅଯୋଧ୍ୟା ପଠାଇଥିଲେ।
ଇତି ମଧ୍ୟରେ ଅଯୋଧ୍ୟା ପ୍ରାୟ ୫୧ ହଜାର ଟଙ୍କା ପଠାଇ ସାରିଥିଲେ। ପୁଣି ଫୋନ କରି ସଂପୃକ୍ତ ବ୍ୟକ୍ତି ବିଳମ୍ବରେ ଟଙ୍କା ପଠାଇଥିବାରୁ ଫାଇନ୍ ଦେବା ପାଇଁ କହିବାରୁ ସେଥିରେ ଆଉ ଅଯୋଧ୍ୟା ରାଜି ନହୋଇ ତାଙ୍କର ସବୁ ଟଙ୍କା ଫେରାଇବାକୁ କହିଥିଲେ। ନଚେତ ଥାନାରେ ଅଭିଯୋଗ କରିବେ କହିବାରୁ ଯେଉଁଠି ଅଭିଯୋଗ କରୁଛ କର କହି ଫୋନ୍ ନମ୍ବର ବ୍ଳକ୍ କରିଦିଅଯାଇଥିବା ଅଯୋଧ୍ୟା ଅଭିଯୋଗ କରିଛନ୍ତି। ଏନେଇ ସେ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଏତଲା ପ୍ରକାରେ ପୁଲିସ୍ କେସ୍ ନଂ ୪୭୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଓଲେକ୍ସେ ଠାରୁ ଅଯୋଧ୍ୟାକୁ ମେସେଜ ମଧ୍ୟ ଆସିଛି କି ସଂପୃକ୍ତ ବ୍ୟକ୍ତି ଜଣଙ୍କ ଠକ ଓ ତାଙ୍କ ସହ ବ୍ୟପାର ନକରିବା ପାଇଁ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି।