ବାରିପଦା: କରୋନା କାରଣରୁ କୌଣସି ଚାଷୀ ସେମାନଙ୍କର ଉତ୍ପାଦିତ ଶସ୍ୟ ବିକ୍ରି କରିବାରୁ ବଞ୍ଚିତ ହେବେ ନାହିଁ। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରି ଟୋକନ ପାଇଥିବା ଚାଷୀଙ୍କ ନିକଟରୁ କରୋନା ନିୟମ ପାଳନପୂର୍ବକ ଧାନ କ୍ରୟ କରାଯିବ। ପ୍ରତି ମଣ୍ଡିରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବାକୁ ଜିଲ୍ଲାପାଳ ବିନୀତ ଭରଦ୍ବାଜ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଖରିଫ ଋତୁ ନିମନ୍ତେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ନିତୀ ନିର୍ଦ୍ଧାରଣ କମିଟି ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଥିଲା। କରୋନା କଟକଣା କାରଣରୁ ପ୍ରଥମଥର ପାଇଁ ଭର୍ଚୁଆଲ୍ ମୋଡରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ପ୍ରତି ମଣ୍ଡିରେ ଗତବର୍ଷଠାରୁ ବ୍ୟବହୃତ ହେଉଥିବା ଆଇରିସ୍ ସ୍କାନର(ଆଖି ସ୍କାନ୍) ଜରିଆରେ ଧାନ କିଣାଯିବ। ମଣ୍ଡିରେ ଚାଷୀ କୌଣସି ଦ୍ରବ୍ୟକୁ ନଛୁଇଁ କେବଳ ଆଇରିସ୍ ସ୍କାନର୍ ସହାୟତାରେ ହିଁ ଧାନ କ୍ରୟ କରାଯିବ।
ଏଥିନିମନ୍ତେ ପ୍ରତି ମଣ୍ଡିରେ ଟ୍ରାଇପଏଡ୍ ରଖାଯିବା ନିମନ୍ତେ ବ୍ୟବସ୍ଥା ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମଣ୍ଡିକୁ ଆସୁଥିବା ଚାଷୀଙ୍କ ସୁବିଧା ନିମନ୍ତେ ଆଶ୍ରୟସ୍ଥଳ ସହିତ ପାନୀୟ ଜଳ, ଶୌଚାଳୟର ସୁବନ୍ଦୋବସ୍ତ ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯାଇଛି। ଶିମିଳିପାଳ ଜୈବମଣ୍ଡଳ ମଧ୍ୟରେ ରହୁଥିବା ଚାଷୀଙ୍କ ଧାନ କ୍ରୟ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଧାନ ବିକ୍ରି ପରେ ମଣ୍ଡିରୁ ଉକ୍ତ ଦିନ ସନ୍ଧ୍ୟା ସୁଦ୍ଧା ହିଁ ଧାନ ଉଠାଇବାକୁ ମିଲରମାନଙ୍କୁ କୁହାଯାଇଛି। ୨୦୨୦-୨୧ କୃଷିବର୍ଷ ନିମନ୍ତେ ଜିଲ୍ଲାରୁ ୯୪ଲକ୍ଷରୁ ଊର୍ଧ୍ବ ଶସ୍ୟ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲାର ମୋଟ୍ ୫୨ଟି ଲ୍ୟାମ୍ପ୍ସ ଅଧିନରେ ଥିବା ୯୮ଟି ମଣ୍ଡି(ଧାନ ସଂଗ୍ରହ କେନ୍ଦ୍ର) ଖୋଲାଯାଇଛି। ଡିସେମ୍ବର ୧୭ରୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ। ଚଳିତ ବର୍ଷ ଧାନର ସହାୟକ ମୂଲ୍ୟରେ ବୃଦ୍ଧି ଘଟିଛି।
ସାଧାରଣ ଏଫ୍ଏକ୍ୟୁ ମାନ ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ୍ ପ୍ରତି ୧୮୬୮ ଥିବା ବେଳେ ଏଫଏକ୍ୟୁ ଗ୍ରେଡ ଏ ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ୍ ପ୍ରତି ୧୮୮୮ ଟଙ୍କା ରହିଛି। ଗତବର୍ଷ ଏହା ଯଥାକ୍ରମେ ୧୮୧୫ ଏବଂ ୧୮୩୫ ଟଙ୍କା ଥିଲା। ଚାଷୀଙ୍କୁ ଧାନ ବିକ୍ରି ଅର୍ଥ ସେମାନଙ୍କର ଆକାଉଣ୍ଟକୁ ୨୪ ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି। ପୂର୍ବରୁ ଏନେଇ ଆଧାର ସଂଯୋଗୀକରଣ ପ୍ରକ୍ରିୟା ସମାପ୍ତ ହୋଇସାରିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଜିଲ୍ଲାରେ ପଞ୍ଜିକୃତ ଚାଷୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଜିଲ୍ଲାରୁ ମୋଟ ୫୬ହଜାର ୯୫୪ଜଣ ଚାଷୀ ନାମ ପଞ୍ଜିକରଣ କରିଛନ୍ତି। ୨୧ହଜାର ୫୬୩ଜଣ ନୂତନ ଚାଷୀ ଚଳିତ ବର୍ଷ ଧାନ କିଣା ପ୍ରକ୍ରିୟାରେ ଯୋଡ଼ିହୋଇଥିବାବେଳେ ୩୫ହଜାର ୩୯୧ଜଣଙ୍କର ନାମ ନବୀକରଣ କରାଯାଇଥିବା ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ବର୍ଷା ଜନିତ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପତ୍ତିରୁ ଚାଷୀଙ୍କ ଧାନକୁ ରକ୍ଷା କରିବାକୁ ଚାଷୀଙ୍କ ମୋବାଇଲ୍କୁ ଧାନ ବିକ୍ରିର ଟୋକନ ୭ ଦିନ ପୂର୍ବରୁ ପଠାଯିବ। ଚାଷୀ ଏବଂ ସରକାରଙ୍କ ମଧ୍ୟରେ ଦଲାଲ୍ଙ୍କ ଉପସ୍ଥିତିକୁ କମ୍ କରିବା ପାଇଁ ଧ୍ୟାନ ରଖାଯିବ। ଏହି ଭର୍ଚୁଆଲ୍ ବୈଠକରେ ମୋରଡ଼ା ବିଧାୟକ ରାଜ କିଶୋର ଦାସ, ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ସମେତ ବିଧାୟକ ଏବଂ ସାଂସଦଙ୍କ ପ୍ରତିନିଧି, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ସୁରେନ୍ଦ୍ର ପାଢ଼ୀ, ଜିଲ୍ଲା ଯୋଗାଣ ଅଧିକାରୀ ରାଜ କିଶୋର ପାଣିଗ୍ରାହୀ, ଏସିଏସଓ ସର୍ବେଶ୍ବର ନାୟକ, ଡିଆର୍ସିଏସ୍ ଦମୟନ୍ତୀ ସିଂ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦାମୋଦର ସେଠୀ ଙ୍କ ସମେତ ଡିଆରସିଏସ୍ ଆରଏମ୍ସି ସମ୍ପାଦକ, ଜିଲ୍ଲାର ଏସିଓ, ମିଲର୍ସ ଓ ଚାଷୀ ପ୍ରତିନିଧି ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/paddy.jpg)