ସୁନ୍ଦରଗଡ଼: ଛତିଶଗଡ଼ର କୁନ୍କୁରିରୁ ବାହାରି ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଠାରେ ମହାନଦୀରେ ମିଶିଥିବା ଇବ୍ ନଦୀକୁ ଏ ଦୁଇ ଜିଲ୍ଲାର ଜୀବନରେଖା କୁହାଯାଏ। ଏହି ନଦୀ ସୁନ୍ଦରଗଡ଼ ସହରର ପାନୀୟ ଜଳ ଯୋଗାଣର ଏକ ବଡ଼ ଉତ୍ସ ହୋଇଥିବା ବେଳେ ଜିଲ୍ଲାର ଚାଷବାସ ପାଇଁ ମଧୢ ଏହାର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। କିନ୍ତୁ ଏ ଜୀବନରେଖା ଏବେ ନିଜ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛି। ଏକଦା ଚିରସ୍ରୋତା ଥିବା ନଦୀ ଏବେ କିଛି ବର୍ଷ ହେଲା ବର୍ଷା ଋତୁ ବ୍ୟତୀତ ଅନ୍ୟ ସମୟରେ ଶୁଖିଲା ପଡ଼ୁଛି। କାରଣ ଉପରମୁଣ୍ଡରେ ଛତିଶଗଡ଼ ସରକାର ବନ୍ଧ ପରେ ବନ୍ଧ ବାନ୍ଧି ଇବ୍ ପାଣିକୁ ଅଟକାଇ ରଖୁଛନ୍ତି। କିନ୍ତୁ ଓଡ଼ିଶା ସରକାର ହାତରେ ହାତ ବାନ୍ଧି ବସି ଯାଇଛନ୍ତି। ୨୦୦୫ରୁ ଛତିଶଗଡ଼ ଇବ୍ ପାଣିକୁ ନିଜ କବ୍ଜାକୁ ନେଇ ଯାଇଥିଲେ ମଧ୍ୟ ଓଡ଼ିଶାର ଚେତା ପଶି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
୧୫ ବର୍ଷ ପରେ ବି ଇବ୍ ନଦୀରେ କୌଣସି ବନ୍ଧ କି ଛୋଟ ଆନିକଟଟେ ତିଆରି କରିପାରିଲେ ନାହିଁ। କେବଳ ଯୋଜନା, ସର୍ଭେ, ଡିପିଆର୍, ଅନୁମୋଦନର ପ୍ରକ୍ରିୟା ମଧ୍ୟରେ ବନ୍ଧ ବାନ୍ଧିବା କାର୍ଯ୍ୟ ଅଟକି ରହିଛି। ୧୯୮୦ରେ ବାଲିଶଙ୍କରା ବ୍ଲକ୍ କଟନିଡିହି ଠାରେ ଯୁଗୀଯୁଗେନ ଦୁଇ ପାହାଡ଼ ମଝି ଇବ୍ ନଦୀରେ ୧୨ ଶହ କୋଟି ବ୍ୟୟରେ ବୃହତ ବନ୍ଧ ତିଆରି ପାଇଁ ଯୋଜନା ହୋଇଥିଲା। ତତ୍କାଳୀନ ବିଧାୟକ ଗଜାଧର ମାଝୀ ବନ୍ଧ ବିରୋଧରେ ସ୍ବର ଉଠାଇଥିଲେ। ବନ୍ଧ ବାତିଲ ହୋଇ ଯାଇଥିଲା। ତା’ ପରଠାରୁ ଇବ୍ ନଦୀରେ ବନ୍ଧ ବାନ୍ଧିବା କଥାକୁ ଭୁଲିଗଲେ ସରକାର। ୩୦ ବର୍ଷ ପରେ ସୁନ୍ଦରଗଡ଼ ସହରର ପାନୀୟ ଜଳ ସ˚କଟ ଦୂର କରିବା ଓ ପ୍ରାୟ ୧୦ ହଜାର ହେକ୍ଟର ଜମି ଜଳସେଚନ ପରିକଳ୍ପନାରେ ୨୦୧୦/୧୧ ଆର୍ଥିକ ବର୍ଷରେ କୋପ୍ସିଙ୍ଗା ଠାରେ ୪ ଶହ କୋଟିର ଇବ୍ ବ୍ୟାରେଜ ପ୍ରକଳ୍ପ ଜଳ ସମ୍ପଦ ବିଭାଗର ଅନୁମୋଦନ ଲାଭ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଅର୍ଥ ଅଭାବ ଦର୍ଶାଇ ପ୍ରକଳ୍ପର ବ୍ୟୟ ଅଟକଳକୁ ୫୦ କୋଟିକୁ ହ୍ରାସ କରିଥିଲା ବିଭାଗ। ପରେ ପରେ ତାହା ବି ମିଳିଲା ନାହିଁ, ପ୍ରକଳ୍ପର ଫାଇଲ ଡଷ୍ଟବିନ୍କୁ ଚାଲିଗଲା।
ଏହା ପରେ ୨୦୧୬ରେ ତତ୍କାଳୀନ ଜିଲ୍ଲାପାଳ ଭୂପିନ୍ଦର ସି˚ ପୁନିଆଙ୍କ ସହ ଆଲୋଚନା କରି ୩ କୋଟିର ଏକ ଆନିକଟ ନିର୍ମାଣ ପ୍ରସ୍ତାବ ଦେଲା ପୌର ପରିଷଦ। ହେଲେ ତାକୁ ବି ନାଲିଫିତା ଭିତରେ ବାନ୍ଧି ଦେଇ ୨୦୧୭ ମାର୍ଚ୍ଚ ୧୭ରେ ଜିଲ୍ଲା ପ୍ରଶାସନ ଏକ କ୍ଷୁଦ୍ର କ˚କ୍ରିଟ ଡ୍ୟାମ (ଷ୍ଟୋରେଜ ଷ୍ଟ୍ରକ୍ଚର୍ର) ନିର୍ମାଣ ପାଇଁ ପ୍ରସ୍ତାବ ଆଣିଥିଲେ। ଏହାର ସର୍ଭେ ପାଇଁ ୩୦ ଲକ୍ଷ ୩୦ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ତାହା ବି ଆଗକୁ ବଢ଼ିଲା ନାହିଁ। ୨୦୧୮ ଜାନୁଆରିରେ ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନାରେ ଇବ୍ନଦୀର ଦରବାର ଘାଟରେ ବନ୍ଧ ନିର୍ମାଣ ପାଇଁ ଜଳସଚେନ ବିଭାଗ ପ୍ରସ୍ତାବ ଆଣି ସର୍ଭେ ପାଇଁ ଡିଏମ୍ଏଫ୍ରୁ ଅର୍ଥ ମଞ୍ଜୁର କରିବାକୁ ଜାନୁଆରି ୩୦ରେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲା ବିଭାଗ।
ଡିଏମ୍ଏଫ୍ରୁ ଆବଶ୍ୟକ ୬୬ ଲକ୍ଷ ୭୪ ହଜାର ଟଙ୍କା ମିଳିବା ପରେ ଇବ୍ ଅନୁସନ୍ଧାନ ବିଭାଗ ପ୍ରସ୍ତାବିତ ବନ୍ଧର ସର୍ବେକ୍ଷଣ କରି ଡିପିଆର୍ଭ ଦାଖଲ କରିଥିଲେ। କିନ୍ତୁ ଇବ୍ରେ ଆବଶ୍ୟକ ଜଳ ଅଭାବରୁ ଦରବାର ଘାଟରେ ବାଲି ଜମା ହେବ ଓ ବନ୍ଧ ନିର୍ମାଣ ଫଳପ୍ରଦ ହେବ ନାହିଁ କହି ବୈଷୟିକ ଅନୁମୋଦନ କମିଟି ପ୍ରକଳ୍ପକୁ ଡଷ୍ଟବିନ୍କୁ ଫିଙ୍ଗିଦେଲେ। ଏହା ପରେ ଇବ୍ର ଉପର ମୁଣ୍ତରେ ପ୍ରସ୍ତାବିତ ଅଢେ଼ଇ ହଜାର କୋଟିର ତେଲିଯୋର ଡ୍ୟାମ୍ ନିର୍ମାଣ କଥା ଉଠି ହଜି ଯାଇଥିଲା। ପରେ ପରେ ଇବ୍ ବ୍ୟାରେଜ ପାଇଁ ଆଉ ଏକ ନୂଆ ପ୍ରସ୍ତାବ ଆସିଲା। ବୈଷୟିକ ଅନୁମୋଦନ ପରେ ୨୦୧୯ ନଭେମ୍ବରରେ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ୬୮.୧ କୋଟି ଟଙ୍କା ମଞ୍ଜୁର କରି ଜଳସେଚନ ବିଭାଗକୁ ପ୍ରକଳ୍ପର ଟେଣ୍ଡର ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତାର ଟେଣ୍ଡର ହେବା ପୂର୍ବରୁ ବିଧାୟିକା କୁସୁମ ଟେଟେଙ୍କ ପ୍ରସ୍ତାବକ୍ରମେ ଜଳସଚେନ ବିଭାଗ ୨୧୭ କୋଟିର ଅନ୍ୟ ଏକ ପ୍ରକଳ୍ପ ପାଇଁ ପ୍ରକଳ୍ପ ସବିଶେଷ ତଥ୍ୟ ପ୍ରସ୍ତୁତ କରିଥିଲେ। କିନ୍ତୁ ତାହା ବି ଫାଇଲ ଭିତରେ ବନ୍ଦ ପଡ଼ିଥିବା ବେଳେ ଇବନଦୀରେ କେବେ ବନ୍ଧ ହେବ ତାହା ନିଶ୍ଚିତ ହୋଇପାରିନାହିଁ। ଗୋଟିଏ ପଟେ ସରକାରଙ୍କ ଉଦାସୀନତା, ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ଅନ୍ୟପଟେ ଛତିଶଗଡ଼ର କବଜା ଶେଷରେ ଇବନଦୀକୁ ମରଣଶଯ୍ୟାରେ ଶୁଆଇଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି।