ମହାକାର୍ତ୍ତିକରେ ଦର୍ଶନ ଦେବେ ମହାଦେବ!

ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ସରକାରଙ୍କ ଘୋଷଣା ପରେ ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା

ଭଞ୍ଜନଗର: ରାତି ପାହିଲେ ଧର୍ମମାସ କାର୍ତ୍ତିକର ପ୍ରଥମ ସୋମବାର। ପ୍ରତିବର୍ଷ ଶ୍ରଦ୍ଧାଳୁମାନେ ଏହି ମାସକୁ ଅତି ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥାନ୍ତି। ମାସ ସାରା ବିଭିନ୍ନ ଗ୍ରାମାଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଥିଲା। ମାସ ସାରା ଗ୍ରାମାଞ୍ଚଳରେ ନାମ ସଂକିର୍ତ୍ତନ ସହ ପ୍ରବଚନ ଆଦି କାର୍ଯ୍ୟକ୍ରମ ଜାରି ରହିଥାଏ। କିନ୍ତୁ ଚଳିତ ବର୍ଷ କରୋନା ପାଇଁ ସାମାଜିକ ଓ ସାମୂହିକ କାର୍ଯ୍ୟକୁ ସରକାର ସଂପୂର୍ଣ୍ଣ ବନ୍ଦ ରଖିଥିବା ବେକଳେ ଧାର୍ମିକ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିଛି।

ଦୀର୍ଘ ୮ ମାସ ଧରି ମନ୍ଦିରଗୁଡ଼ିକ ବନ୍ଦ ରହିଥିବା ବୋଳେ ଗତ ଅନଲକ ୪ରୁ ସରକାର ଆର୍ଥିକସ୍ଥତିକୁ ଦୃଷ୍ଟିରେ ରଖି କୋଭିଡ ଗାଇଡଲାଇନ ପାଳନ କରିବା ସର୍ତ୍ତରେ କଟକଣାକୁ କୋହଳ କରିଛନ୍ତି। କିନ୍ତୁ ଧାର୍ମିକ ଅନୁଷ୍ଠାନକୁ ବନ୍ଦ ରଖିଥିଲେ। ତେଣୁ ଏହି ବର୍ଷ କାର୍ତ୍ତିକ ମାସରେ ମଧ୍ୟ ମନ୍ଦିରରେ ଦେବାଦେବୀ ଦର୍ଶନରୁ ଶ୍ରଦ୍ଧାଳୁମାନେ ବଞ୍ଚିତ ହେବେ ବୋଲି ଏକ ପ୍ରକାର ଅନୁମାନ କରାଯାଉଥିବା ବେଳେ ଗତକାଲି ସରକାର ଘୋଷଣା କରିଥିବା ଅନ୍ଲକ୍ ୬ରେ ଧାର୍ମିକ ଅନୁଷ୍ଠାନ ସ୍ଥାନୀୟ ପ୍ରଶାସନର ନିଷ୍ପତି ପ୍ରକାରେ ଖୋଲିବା ନିମନ୍ତେ ସରକାର ଗାଇଡ ଲାଇନ ଜାରି କରିଥିବାରୁ କାର୍ତ୍ତିକରେ ଦେବ ଦର୍ଶନ ହେବା ଆଶା ଉଜ୍ବଳ ହୋଇଛି।

ତେବେ କିଭଳି ଏବଂ କେଉଁ କେଉଁ ମନ୍ଦିରକୁ ଖୋଲିବାକୁ ପ୍ରଶାସନ ଅନୁମତି ଦେବ ତାହା ସ୍ପଷ୍ଟ ହୋଇ ନଥିବା ବେଳେ କାର୍ତ୍ତକ ମାସର ପ୍ରଥମ ସୋମବାରରେ ମନ୍ଦିର ଖୋଲିବ ନା ନାହିଁ ମନ୍ଦିର କମିଟି ସହ ପୂଜକ ଓ ଶ୍ରଦ୍ଧାଳୁ ମାନେ ଅପେକ୍ଷା କରି ରହିଛନ୍ତି। ପବିତ୍ର କାର୍ତ୍ତିକ ମାସରେ ବିଶେଷ କରି ଶିବାଳୟଗୁଡ଼ିକରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ଜମିଥାଏ। ଶ୍ରଦ୍ଧାଳୁମାନେ ମାସ ସାରା ଆମିଷ ଖାଦ୍ୟ ବର୍ଜନ କରିବା ସହ ସାତ୍ତ୍ବିକ ଆହାର ଗ୍ରହଣ କରିଥାନ୍ତି। ହବିଷ୍ୟାଳିମାନେ ମାସ ସାରା ବ୍ରତ ଧାରଣ କରିଥାନ୍ତି। ମନ୍ଦିରଗୁଡ଼ିକରେ ଆକାଶ ଦୀପ ଲଗାଯିବା ସହ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।

ଭଞ୍ଜନଗର ଆଖପାଖରେ ଥିବା ଢୁଢୁଆର ବାଞ୍ଚେଶ୍ବର ମନ୍ଦିର,ଗାମୁଣ୍ଡି ଗ୍ରାମର ଗୁପ୍ତେଶ୍ବର ମନ୍ଦିର,ଗୋଲାପଡା ସପ୍ନେଶ୍ବର,ସୋରଡ଼ା ପଞ୍ଚାନନ ଶିବ ମନ୍ଦିର,ବୁଗୁଡ଼ା ବୃଦ୍ଧାଖୋଲ ମନ୍ଦିର,ଭଞ୍ଜନଗର ବେଲେଶ୍ବର ମନ୍ଦିରରେ ପ୍ରବଳ ଜନସମାଗମ ହୋଇଥାଏ। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ରସଲକୋଣ୍ଡା ଜଳ ଭଣ୍ଡାର ନିକଟରେ ଥିବା ପାହାଡ ଉପରେ ଥିବା ବେଲେଶ୍ବର ପୀଠର ଏହି ମାସରେ ସ୍ବତନ୍ତ୍ରତା ରହିଛି। ଏଠାରେ ଜଳ ସେଚନ କର୍ମଚାରୀ ସାଂସ୍କୃତିକ ପରିଷଦ(ବିଡେକା) ପକ୍ଷରୁ ୬୧ ଫୁଟ ଉଚ୍ଚତା ବିଶିଷ୍ଟ ଶିବଙ୍କ ପ୍ରତିମୂର୍ତ୍ତି ତିଆରି କରାଯାଇଥିବାରୁ ଏହା ସମସ୍ତଙ୍କ ଆର୍କଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହା ବିଶ୍ବର ୯ମ ଏବଂ ଦେଶର ୬ଷ୍ଠ ଉଚ୍ଚତମ ଶିବ ମୂର୍ତ୍ତି ହୋଇଥିବା ବେଳେ ରାଜ୍ୟରେ ଏହା ପ୍ରଥମ ବୋଲି ଜଣାପଡିଛି। ଏଥିସହ ଏଠାରେ ପଥର ଖୋଦିତ ସୁନ୍ଦର କାରୁକାର୍ଯ୍ୟ ଭରା ୪୫ ଫୁଟ ଉଚ୍ଚର ବେଲେଶ୍ବର ମହାଦେବଙ୍କ ସୌନ୍ଧର୍ଯ୍ୟପୂ୍ର୍ଣ୍ଣ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଏହା ଭିତରେ ଥିବା ସ୍ଫଟିକ ଶିବ ଲିଙ୍ଗ ଅତ୍ୟନ୍ତ ମନଲୋେଭ ହୋଇଛି। ଏହି ମନ୍ଦିରକୁ ମିଶାଇ ଏଠାରେ ୭ ଟି ମନ୍ଦିର ନିର୍ମାଣ କରାଯାଇଛି। ପୂର୍ବରୁ ଚନ୍ଦ୍ର ଶେଖରଙ୍କ ଏକ ଭବ୍ୟ ମନ୍ଦିର ରହିଥିବା ବେଳେ ଗତବର୍ଷ ତ୍ରୟମ୍ବକେଶ୍ବର,ରାମେଶ୍ବର,ବିଶେଶ୍ବର ମନ୍ଦିର ସମତେ ପାର୍ବତି,କାର୍ତ୍ତିକ ଓ ଗଣେଷ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଦୀର୍ଘ ଦିନ ଧରି ଏହି ମନ୍ଦିର ଗୁଡ଼ିକରେ ଭକ୍ତ ମାନଙ୍କ ପ୍ରବେଶ ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ କେବଳ ପୂଜକ ମାନଙ୍କ ଦ୍ବାରା ରୀତିନୀତି ସମ୍ପନ୍ନ କରାଯାଉଛି। ତେତବେ ମନ୍ଦିର ଖୋଲିବା ନେଇ ପ୍ରଶାସନ କଣ ନିଷ୍ପତି ନେଉଛି ତାକୁ ସମସ୍ତଙ୍କ ଅପେକ୍ଷା।

ଗୌର ଚନ୍ଦ୍ର ପରିଡା,ଶ୍ରଦ୍ଧାଳୁ ଭଞ୍ଜନଗର
କାର୍ତ୍ତିକ ମାସକୁ ଧର୍ମ ମାସ ଭାବେ ଜଣା ଯାଉଥିବା ବେଳେ ଭୋରରୁ ଉଠି ବୁଡ ପକାଇବା ସହ ମନ୍ଦିରରେ ଠାକୁର ଦର୍ଶନ କଲେ ପାପ କ୍ଷୟ ହେବା ସହ ପୂ୍ଣ୍ଣ୍ୟ ମିଳେ। ତଣେୁ ବର୍ତ୍ତମାନ ସବୁକିଛି କୋହଳ ହୋଇଥିବା ବେଳେ କୋଭିଡ ନିୟମ ଅନୁଯାୟୀ ମନ୍ଦିର ଖୋଲିବାକୁ ପ୍ରଶାସନ ଅନୁମତି ଦେବା ଆବଶ୍ୟକ।

ପ୍ରସନ୍ନ କୁମାର ସ୍ବାଇଁ,ସଦସ୍ୟ ବିଡ଼େକା
ମନ୍ଦିର ଖୋଲିବା ପାଇଁ ସରକାର ଅନୁମତି ଦେଇଥିବା ବିଭିନ୍ନ ଗଣମାଧ୍ୟମରୁ ଜାଣିବାକୁ ପାଇଛୁ। କିନ୍ତୁ ସ୍ଥାନିୟ ପ୍ରଶାସନ ଏନେଇ ଆମକୁ କୌଣସି ଅନୁମତି ଦେଇ ନଥିବାରୁ କୋଭିଡ ନିୟମକୁ ଦୃଷ୍ଟିରେ ରଖି ସାଧାରଣ ଭକ୍ତ ଦର୍ଶନକୁ ମନ୍ଦିର ବନ୍ଦ ରହିଛି। କେବଳ ପୂଜକ ମାନେ ଯାଇ ପୂଜା କରୁଛନ୍ତି। ଯଦି ମନ୍ଦିର ଖୋଲିବାକୁ ଅନୁମତି ନମିଳେ ତେବେ ସେହି ପୂଜକ ମାନେ ହିଁ ଆକାଶ ଦୀପ ଟେକି ରୀତିନୀତି ସଂମ୍ପନ୍ନ କରିବେ।

ରାଜେନ୍ଦ୍ର ମିଞ୍ଜ,ଉପଜିଲ୍ଲାପାଳ,ଭଞ୍ଜନଗର
ପୂଜା ସହିତ ଜୀବନର ମଧ୍ୟ ଗୁରୁତ୍ବ ରହିଛି। କାର୍ତ୍ତିକ ମାସକୁ ଦୃଷ୍ଟିରେ ରଖି ସାମୁହିକ ବୁଡକୁ ଚଳିତ ବର୍ଷ ବନ୍ଦ ରଖିବା ପାଇଁ ନିଷ୍ପତି ନିଆଯାଇଛି। ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତି ନେବ। ଯଦି ମନ୍ଦିର ଖୋଲିବା ପାଇଁ ଅନୁମତି ଦିଆଗଲେ ମଧ୍ୟ କୋଭିଡ ନିୟମ ସମସ୍ତଙ୍କୁ କଡାକଡି ମାନିବାକୁ ବାଧ୍ୟ।

ସମ୍ବନ୍ଧିତ ଖବର