ରାୟଗଡ଼ା: ଗଞ୍ଜେଇ ଚାଷର ମୂଳତ୍ପାଟନ ଓ ଚୋରା ଚାଲାଣ ରୋକିବାକୁ ରାୟଗଡ଼ା ପୁଲିସ ଆରମ୍ଭ କରିଛି ଅପରେସନ ଗ୍ରିନ୍ ଡାଇମଣ୍ଡ। ଜିଲ୍ଲାର ଦୁର୍ଗମ ଏବଂ ମାଓ ଇଲାକାରେ ହୋଇଥିବା ଚାଷକୁ ଠାବ କରିବା ପାଇଁ ପୁଲିସ-ଅବକାରୀ-ଯବାନଙ୍କ ପକ୍ଷରୁ ଚାଲିଛି ମିଳିତ ଚଢ଼ାଉ। ଗତ ସପ୍ତାହକ ମଧ୍ୟରେ ୧୯୪ ଏକରରେ ହୋଇଥିବା ଗଞ୍ଜେଇ ଚାଷକୁ ପୁଲିସ ନଷ୍ଟ କରି ସାରିଲାଣି। ଏଥିସହିତ ବିଗତ ବର୍ଷ ଜବତ ହୋଇଥିବା ୫୬୭୭. ୮୬୫ କେଜି ଗଞ୍ଜେଇକୁ ପୁଲିସ ପୋଡ଼ି ନଷ୍ଟ କରିଛି। ରାୟଗଡ଼ା-କନ୍ଧମାଳ-କଳାହାଣ୍ଡି-ଗଜପତି ଜିଲ୍ଲାର ସୀମାନ୍ତ ଅଞ୍ଚଳ ଗଞ୍ଜେଇ ମାଫିଆଙ୍କ ପାଇଁ ଚରାଭୂଇଁ ପାଲଟିଥିଲା। ମାଓ ଭୟରେ ଏହି ଅଞ୍ଚଳରେ ପୁଲିସ-ପ୍ରଶାସନର ପାଦ ପଡୁନଥିବାରୁ ସ୍ଥାନୀୟ ଲୋକଙ୍କୁ ହାତବାରିସ୍ କରି ମାଫିଆ ଗଞ୍ଜେଇ ଚାଷ କରି ବାର୍ଷିକ କୋଟି କୋଟି ଟଙ୍କା ଲାଭ ପାଉଥିଲେ। ଗଞ୍ଜେଇ ଚାଷରୁ ଆଦାୟ ଟଙ୍କା ମାଓ ସଂଗଠନ ସମେତ ବେଆଇନ କାମରେ ଲାଗୁଥିବାରୁ ସରକାର ଏହି ଚାଷ ଉପରେ ରୋକ ଲଗାଇବାକୁ ଯୋଜନା କରିଛନ୍ତି। ବିଗତ କିଛିବର୍ଷ ଧରି ପୁଲିସ ପକ୍ଷରୁ ଅପରେସନ ଗ୍ରିନ ଡାଇମଣ୍ଡ ଆରମ୍ଭ ହୋଇଥିବା ବେଳେ ପ୍ରତିବର୍ଷ ଗଞ୍ଜେଇ ଚାଷ ନଷ୍ଟ ପରିମାଣ ବଢ଼ି ଚାଲିଛି। ଗଞ୍ଜେଇ ଚାଷ କରୁଥିବା ବ୍ୟକ୍ତି ଏବଂ ମାଫିଆଙ୍କ ବିରୁଦ୍ଧରେ ପୁଲିସ କଠୋର ହେବା ପରେ ବହୁ ଲୋକ ଏବେ ଗଞ୍ଜେଇ ଚାଷରୁ ମୁହଁ ଫେରାଇ ଅନ୍ୟ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଚନ୍ଦ୍ରପୁର, ମୁନିଗୁଡ଼ା, ପଦ୍ମପୁର, ଗୁଡାରି ଅଞ୍ଚଳର ବହୁ ଦୁର୍ଗମ ଇଲାକାରେ ଏବେ ଗଞ୍ଜେଇ ବଦଳରେ ମାଣ୍ଡିଆ ଓ ଅନ୍ୟ ଫସଲ ହେଉଛି। ତଥାପି ଗଞ୍ଜେଇ ଚାଷ ଓ ଚୋରା ଚାଲାଣ କମୁନଥିବାରୁ ପୁଲିସ ପକ୍ଷରୁ ଧରପଗଡ଼ ଅଭିଯାନକୁ ଜୋରଦାର କରାଯାଇଛି।
ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ତତ୍ତ୍ବାବଧାନରେ ଗତ ସପ୍ତାହକ ମଧ୍ୟରେ ଜିଲ୍ଲାର ୧୯୪ ଏକରରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ଗୁଡାରି ଥାନାର ଖଇରାଗୁଡାରେ ୪୫ ଏକର, ଚନ୍ଦ୍ରପୁର ଥାନାର ଡେକାପଙ୍କାଳରେ ୨୧ ଏକର, ବଣ୍ଡାଗୁଡିରେ ୧୨ ଏକର, ପଦ୍ମପୁର ଥାନାର ଡନମାରେ ୪୮ ଏକର, ଚନ୍ଦ୍ରପୁର ଥାନାର ଖଜୁରିପଡାରେ ୧୧ ଏକର, ପଦ୍ମପୁର ଥାନାର ମହାଡିମ୍ବରେ ୩୫ ଏକର, ଡୁନାମାରେ ୨୨ ଏକର ଗଞ୍ଜେଇ ଚାଷ ନଷ୍ଟ ହୋଇଛି। ଏବେ ଗଞ୍ଜେଇ ଅମଳ ସମୟ ହୋଇଥିବାରୁ ପୁଲିସ-ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ ଚାଲିଛି। ବହୁ ଦୁର୍ଗମ ଇଲାକାରେ ହୋଇଥିବା ଚାଷ ସମ୍ପର୍କରେ ପୁଲିସ ସୂଚନା ପାଇବାରେ ବିଳମ୍ବ ହେଉଥିବାରୁ ପୁଲିସ-ଅବକାରୀ ବିଭାଗର ଚଢ଼ାଉ ପୂର୍ବରୁ ମାଫିଆ ଗଛ କାଟି ମଧ୍ୟ ନେଉଛନ୍ତି। ଗୁଇନ୍ଦା ସୂଚନା ଆଧାରରେ ଅଧିକାଂଶ ଅଞ୍ଚଳକୁ ପୁଲିସ ଠାବ କରିବାରେ ସକ୍ଷମ ହେଉଛି। ମାଓ ଇଲାକାରେ ସୁରକ୍ଷା ଦୃଷ୍ଟିକୋଣରୁ ସିଆରପିଏଫ, ଡିଭିଏଫ ଯବାନଙ୍କୁ ସାମିଲ କରାଯାଉଛି। ଜିଲ୍ଲାର ଚନ୍ଦ୍ରପୁର, ଗୁଡାରି, ପଦ୍ମପୁର, ଗୁଣପୁର ଥାନା ଇଲାକାରେ ପ୍ରବଳ ମାତ୍ରାରେ ଗଞ୍ଜେଇ ଚାଷ ହେଉଥିବା ଜଣା ପଡିଛି। ରାୟଗଡ଼ା ପୁଲିସ ମାଫିଆଙ୍କୁ ଟାର୍ଗେଟ କରି ଚଢ଼ାଉକୁ ଜୋରଦାର କରିବା ପରେ ଗଜପତି ଜିଲ୍ଲା ସୀମାନ୍ତ ଦେଇ ବହୁ ମାଫିଆ ଚୋରା ଚାଲାଣ କରୁଛନ୍ତି। ଗତ ବର୍ଷ ପୁଲିସ ଚଢ଼ାଉ କରି ବିଭିନ୍ନ ଥାନା ଇଲାକାରୁ ଜବତ କରିଥିବା ୫୬୭୭.୮୬୫ କେଜି ଗଞ୍ଜେଇକୁ ନଷ୍ଟ କରିଥିବା ବେଳେ ୧୭ଟି ମାମଲାର ଫଇସଲା କରିଛି।