ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ବିଜେଡିରେ ପୁଣି ଉଠିଲା ବିରୋଧ ସ୍ୱର। ବିଜେଡି ଦଳରୁ ଇସ୍ତଫା ଦେଲେ ଦୁଇ ବ୍ଲକ ଅଧ୍ୟକ୍ଷଙ୍କ ସହ ଏକାଧିକ ନେତା ଓ ଦଳୀୟ କର୍ମୀ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଟିକେଟ ଅଙ୍କ ଛିଡିବାରେ ଯେତିକି ଡେରି ହେଉଛି ଗୋଷ୍ଠୀ କନ୍ଦଳ ସେତିକି ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଜଣେ ପ୍ରାର୍ଥୀନୀଙ୍କ ସପକ୍ଷରେ ଗତକାଲି ମେଳି ହୋଇଥିବା ବେଳେ ଆଜି ତାହାକୁ ବିରୋଧ କରି ଏକାଧିକ ବ୍ଲକ ଅଧ୍ୟକ୍ଷ, ଏକାଧିକ ସରପଞ୍ଚ ଏବଂ ସମିତି ସଭ୍ୟ ଏକତ୍ରିତ ହୋଇ ଲଷ୍ମୀ ପ୍ରିୟା ନାୟକଙ୍କୁ ଘୋର ବିରୋଧ କରିଥିଲେ। ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଥମୁନି ଗୋଷ୍ଠୀ କନ୍ଦଳ।ଜଣେ ସମ୍ଭାବ୍ୟ ପ୍ରାର୍ଥୀନୀକୁ ବିରୋଧ କରି ଦଳ ଛାଡିଲେ ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ ବାକା ଏବଂ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିରସାନି। ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଏକାଧିକ ସରପଞ୍ଚ,ସମିତି ସଭ୍ୟ ଓ ଅନେକ କର୍ମୀ। ସୂଚନାଯୋଗ୍ୟ ଯେ ଗତକାଲି ମାଥିଲିଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ବୈଠକ ହୋଇଥିଲା।
ସେଥିରେ ଏହି କର୍ମକର୍ତ୍ତାମାନଙ୍କୁ ଅଣଦେଖା କରିବା ସହ ଲଷ୍ମୀ ପ୍ରିୟା ନାୟକଙ୍କ ସପକ୍ଷରେ ନାରାବାଜି କରିଥିଲେ। ଯାହାକୁ ବିରୋଧ କରିଛନ୍ତି ବିଜେଡିର ଆଉ ଏକ ଗୋଷ୍ଠୀ। ଲଷ୍ମୀ ପ୍ରିୟା ନାୟକଙ୍କୁ ଛାଡି ଯାହାକୁ ଟିକେଟ ଦେଲେ ଆମେ ପୁଣିଥରେ ଦଳରେ ସାମିଲ ହୋଇ ଦଳକୁ ଜିତେଇବୁ ବୋଲି କହିଛନ୍ତି। ଗତକାଲି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଆଉ ଏକ ଗୋଷ୍ଠୀଙ୍କ ସହ ବିଜେଡି ଦଳର ପର୍ଯ୍ୟବେକ୍ଷକ ଏବଂ ନେତା ସହ ସ୍ଥାନୀୟ କିଛି ଲୋକ ପ୍ରତିନିଧି ଏବଂ ଭୋଟରଙ୍କୁ ନେଇ ଏକ ବୈଠକ କରିଥିଲେ। ଏଥିରେ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କର ଉପରେ ଲୋକଙ୍କ ଆସ୍ଥା ଅଛି। ଦଳ ଯାହାକୁ ଟିକେଟ ଦେଲେ ବି ଦଳ ବିଜୟ ହେବ ବୋଲି ଦମ୍ଭୋକ୍ତି ପ୍ରକାଶ ପାଇଥିଲା। ଏହାସହ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଲଷ୍ମୀ ପ୍ରିୟା ନାୟକ ପର୍ଯ୍ୟନ୍ତ ଗୁଣଗାନ କରିବା ସହ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ଏହାକୁ ନେଇ ଆଜି ବିରୋଧୀ ଗୋଷ୍ଠୀ ଏକତ୍ରିତ ହୋଇ ଲକ୍ଷ୍ମୀ ପ୍ରିୟାକୁ ବିରୋଧ କରିଥିଲେ।ଦଳ ପ୍ରାର୍ଥୀ ଚୟନରେ ବିଳମ୍ବ କରୁଥିବାରୁ ଗୋଷ୍ଠୀ କନ୍ଦଳ ଧିରେ ଧିରେ ବଢିବାରେ ଲାଗିଛି।ଘୋଷଣା ପରେ ହିଁ ଏହାର ପୂର୍ଣ୍ଣଛେଦ ପଡିବ ବୋଲି କୁହାଯାଇଛି।