ଖୋର୍ଦ୍ଧା: ଐତିହାସିକ ବରୁଣେଇ ପାଦଦେଶରେ ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣରେ ଅହେତୁକ ବିଳମ୍ବ ହେଉଥିବାରୁ ବିଭିନ୍ନ ପାଇକ ସଂଗଠନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ଏକ ବୈଠକ ବସିଥିଲେ । ସଂଗଠନର ଅଧ୍ୟକ୍ଷ ଭୀମସେନ ପ୍ରଧାନଙ୍କ ଅନୁଷ୍ଠିତ ଏହି ବୈଠକରେ ପାଇକ ସ୍ମାରକୀ ନିର୍ମାଣରେ ବିଳମ୍ବ ଓ ପ୍ରଶାସନିକ ସ୍ତରରେ ଆବଶ୍ୟକ ସକ୍ରିୟତା ପ୍ରକାଶ ପାଉନଥିବାରୁ ଚିନ୍ତା ପ୍ରକଟ କରାଯାଇଥିଲା । ଏଥିରେ ସଂଗଠନର କାର୍ଯ୍ୟକାରୀ ସଭାପତି ଦଳବେହେରା ମୃତ୍ୟୁଞ୍ଜୟ ଛୋଟରାୟ, ମୁଖ୍ୟ ସଂକଳକ ଇଂ ଶିଶିର କୁମାର ନାୟକ, ଉପଦେଷ୍ଟା ଅମରେନ୍ଦ୍ର ମହାପାତ୍ର, ଉପସଭାପତି ପ୍ରଫୁଲ୍ଲ କୁମାର ସାମନ୍ତରାୟ, ରମେଶ ଚନ୍ଦ୍ର ପାତାଳସିଂହ, ରାମ ନାରାୟଣ ଦାଶ, ଗତିକୃଷ୍ଣ ଉତରକବାଟ, ଡ ନିରଞ୍ଜନ ମହାନ୍ତି, ସମରେନ୍ଦ୍ର ବଳିଆରସିଂହ, ଧରଣୀଧର ଛୋଟରାୟ, ସୁଷମା ପ୍ରଧାନ, ସମ୍ଭବ ବଳିଆରସିଂହ ପ୍ରମୁଖ ଯୋଗ ଦେଇଥିଲେ ।
ଏନେଇ ଆଗାମୀ ଦିନରେ ସଂଗଠନ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏକ ସ୍ମାରକପତ୍ର ଦିଆଯିବା ନେଇ ସ୍ଥିର ହୋଇଥିଲା । ଏହି ଅବସରରେ ସତ୍ୟବାଦୀ ବଳିଆରସିଂହଙ୍କୁ ଓଡ଼ିଶା ସାହିତ୍ୟ ଅକାଦମୀ ପକ୍ଷରୁ ଆଜୀବନ ସାହିତ୍ୟ ସାଧନା ପାଇଁ ସମ୍ମାନିତ କରାଯାଇଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା । କଳିଙ୍ଗ ପାଇକ ସଂଗଠନର ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ ଧନ୍ୟବାଦ ଦେଇଥିଲେ।
ସୂଚନାଯୋଗ୍ୟ ପ୍ରସ୍ତାବିତ ସ୍ମାରକୀ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ କରମୁକ୍ତ ୯ ଏକର ୬୮୫ ଡେସିମଲ ଜମିର ପଟ୍ଟା ହସ୍ତାନ୍ତରରେ ବିଳମ୍ବ ହେଉଛି । ଅପରପକ୍ଷରେ ଚଳିତ ବର୍ଷ ଜାନୁଆରୀ ୭ ତାରିଖରୁ କିସମ ପରିବର୍ତନ ନେଇ ଜଙ୍ଗଲ ବିଭାଗ ପ୍ରତିବାଦ କରିଛି । ଫଳରେ ନିର୍ମାଣ କାର୍ଯ୍ୟ କରୁଥିବା ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ ଟ୍ରଷ୍ଟ ର ଇଣ୍ଡିଆନ୍ ଇଂଜିନିୟର୍ସ ଲିଃ ନିଜର ପରବର୍ତୀ କାମ ଆଗେଇ ନେଇପାରୁନାହିଁ ।