ପାଣି ପାଇଁ ଓମ୍‌ଫେଡର ଟ୍ୟାଙ୍କର ଅଟକାଇଲେ ସାହିବାସିନ୍ଦା

ଜୟପୁର: ଜୟପୁର ପୌରପାଳିକା ଅନ୍ତର୍ଗତ ଢ଼େପଗୁଡାରେ ପାଣି ସମସ୍ୟା ରହିଥିବା ବେଳେ ସାହିବାସିନ୍ଦା ଆ‌ନ୍ଦୋଳନ କରିଛନ୍ତି। ଓମ୍‌ଫେଡ କମ୍ପାନୀ ପାଣି ନେଉଥିବାବେଳେ ସାହିବାସିନ୍ଦା ପାଣି ଟ୍ୟାଙ୍କରକୁ ଅଟକାଇ ଦେଇଥିଲେ । ଆମକୁ ପାଣି ନଦେଲେ ଟ୍ୟାଙ୍କର ଛାଡିବୁ ନାହିଁ ବୋଲି ଧାରଣା ଦେଇଥିଲେ । ଘଟଣାସ୍ଥଳରେ ‌ଜନସ୍ବାସ୍ଥ୍ୟ ଅଧିକାରୀ ପହଞ୍ଚ ପ୍ରତିଶୃତି ଦେବା ପରେ ସାହିବାସୀନ୍ଦା ଆନ୍ଦେଳନରୁ ଓହରିଥିଲେ। ପୌରପାଳିକାର ୮ ନମ୍ବର ୱାର୍ଡର ଢ଼େପଗୁଡା ଅଞ୍ଚଳରେ ଗତ ୨ ସପ୍ତାହ ଧରି ପିଏଚ୍‌ଡି ପାଣି ସଠିକ ଭାବେ ମିଳିପାରୁ ନାହିଁ। ପୂର୍ବରୁ ‌ସକାଳୁ ଓ ସନ୍ଧ୍ୟା‌ରେ ପାଣି ଆସୁଥିବା ବେଳେ ଏବେ ‌ରାତିରେ ପାଣି ଆସୁଛି। ଦିନ ବେଳା ପାଣି ପାଇପାରୁନଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିନ ବେଳା କାମକୁ ଯାଉଥିବା ବେଳେ ବିଳମ୍ବିତ ରାତିରେ ପାଣି ଆସିଲେ ତାହାକୁ ରଖିବା ପାଇଁ ତାହାକୁ ରଖିବା କଷ୍ଟ ହେଉଛି। ଯାହାଫଳରେ ରୋଷେଇ ଠାରୁ ଆରମ୍ଭ କରି ନିତ୍ୟବ୍ୟହବାର ପାଇଁ ପାଣି ସୁବିଧାରେ ପାଇପାରୁନଥିବା ସାହିବାସିନ୍ଦା କହିଛନ୍ତି। କିନ୍ତୁ ଢ଼େପଗୁଡା ଥିବା ଜନସ୍ବାସ୍ଥ୍ୟ ବିଭାଗର ପାଣି ଟାଙ୍କିରୁ ଓମଫେଡ୍ ବିଭାଗ ପାଣି ନେଉଛି।

ଯଦି ଓମ୍‌ଫେଡକୁ ପାଣି ଦିଆଯାଇପାରୁଛି ତେବେ ସାହିଲୋକଙ୍କୁ କାହିଁକି ପାଣି ମିଳିପାରୁନାହିଁ ବୋଲି ସାହିଲୋକେ କହିଛନ୍ତି। ଏନେଇ ଆଜି ପୂର୍ବାହ୍ନ ୧୦ଟା ବେ‌ଳେ ଓମ୍‌ଫେଡ କମ୍ପାନୀର ଟ୍ୟାଙ୍କର ଗାଡି ପାଣି ନେଉଥିବା ବେଳେ ସାହିବାସୀନ୍ଦା ଗାଡିକୁ ଅଟକାଇ ଆନ୍ଦୋଳନ କରିଥିଲେ। ଗାଡିକୁ ଛାଡି ନଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସେଠାରେ ପହଞ୍ଚି ସାହିଲୋକଙ୍କୁ ବୁଝାସୁଝା କରିଥିଲେ। ଦିନ ବେଳା ଓଏଚପିସି ବିଦ୍ୟୁତ ଉତ୍ପାଦନ କମ କରୁଥିବା ବେଳେ ସନ୍ଧ୍ୟାରେ ଅଧିକା କରୁଛି। ତେଣୁ ଦିନବେଳା ଡ୍ୟାମରେ ପାଣି କମ୍ ରହୁଥିବା ବେଳେ ସବୁ ଅଞ୍ଚଳକୁ ପାଣି ଯୋଗାଇ ହେଇପାରୁନାହିଁ। ତେଣୁ ସନ୍ଧ୍ୟାରେ ସବୁ ଅଞ୍ଚଳକୁ ପାଣି ପହଞ୍ଚୁଥିବା ବେଳେ ଢ଼େପଗୁଡାରେ ରାତି ହୋଇଯାଉଛି।

ଏଥିସହ ଢ଼େପଗୁଡା ଠାରେ ୩ଟି ଜଳଭଣ୍ଡାର ରହିଥିବା ବେଳେ ଗୋଟିକରେ ୧୮ ଲକ୍ଷ ବିଶିଷ୍ଟ, ୧୩ ଲକ୍ଷ ବିଶିଷ୍ଟ ଓ ୭ ଲକ୍ଷ ବିଶିଷ୍ଟ ଟାଙ୍କି ରହିଛି। ସେଠାରୁ ପାରାବେଡା, ଶ୍ରୀରାମନଗର, ବଙ୍ଗଳାବାଡ, ନୂଆସାହି, ଗୌଡସାହି, ଖ୍ରୀଷ୍ଟଆନ ସାହି ଓ ଢ଼େପଗୁଡା ଆଦି ଅଞ୍ଚଳକୁ ପାଣି ଯୋଗାଇ ଦିଆଯାଉଛି। ଓମଫେଡ୍ କମ୍ପାନୀ ହାତୀଶାଳ ନିକଟରୁ ପାଣି ନେଉଥିବା ବେଳେ ରାସ୍ତା ଖରାପ ଯୋଗୁଁ ଢ଼େପଗୁଡାରୁ ପାଖାପାଖି ୨୦ ହଜାର ଲିଟର ପାଣି ନେଉଛି। ଏଥିସହ ‌ଡ୍ୟାମରେ ପାଣି ଅଧିକା ରହିଲେ ଦିନବେଳା ସୁବିଧାରେ ଢ଼େପଗୁଡାରେ ପାଣି ପହଞ୍ଚି ପାରିବ ଏବଂ ସାହିରେ ଥିବା ବୋରୱେଲକୁ ମରାମତି କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ଏହି ଆନ୍ଦୋଳନରେ ରବିନ୍ଦ୍ର କୁମାର ମହାପାତ୍ର, କେ ସରୋଜିନୀ, ଏ ପୁଷ୍ପା, ସିଏଚ୍ ସୂଜାତା, କେ ଭାରତୀ, ଏ ଭାର୍ଗବୀ ଓ ଆର ତେଜସ୍ବନୀ ପ୍ରମୁଖ ମହିଳାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର