ରାଉରକେଲା: ଅନ୍ୟାୟକୁ ପ୍ରତିବାଦ କରିବାରୁ ସମାଜସେବୀ ଚାନ୍ଦମଣି ସାଣ୍ଡିଲ ଗାଁରୁ ବାସନ୍ଦ ହୋଇଛନ୍ତି। ତାଙ୍କୁ ଗାଁର କିଛି ଲୋକ ଜୀବନରୁ ମାରିଦେବାକୁ ଧମକଚମକ ଦେଇଛନ୍ତି। ନ୍ୟାୟ ପାଇଁ ଆଜି ଚାନ୍ଦମଣି ଓ ତାଙ୍କ ପଡୋଶୀ ସରୋଜ କାଣ୍ଡୁଲାନା ରାଉରକେଲା ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି। ଯେଉଁମାନେ ତାଙ୍କ ବିରୋଧରେ ଏମିତି କଠୋର ପଦକ୍ଷେପ ନେଇଛନ୍ତି, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ଅନୁରୋଧ କରିଛନ୍ତି। ଏସ୍‌ପି ଶ୍ରୀ ମହାପାତ୍ର ଘଟଣାର ତଦନ୍ତ ପାଇଁ ସ୍ଥାନୀୟ ଚାନ୍ଦିପୋଷ ପୁଲିସକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସମାଜସେବୀ ଚାନ୍ଦମଣି ଏରଗେଡ଼ା ଗାଁରେ ପରିବାର ସହ ରହନ୍ତି। ଗାଁରେ ତାଙ୍କର ଦୋକାନ ରହିଛି। ଗତ ଶିବରାତ୍ରୀ ଦିନ ଗାଁର କିଛି ଯୁବକ ରାତିତମାମ ଡିଜେ ବଜାଇଥିଲେ। ଯାହାକୁ ଚାନ୍ଦମଣି ବିରୋଧ କରିଥିଲେ। ହେଲେ ଗ୍ରାମର ଲୋକମାନେ ଚାନ୍ଦମଣିଙ୍କର କୌଣସି କଥାକୁ ଶୁଣି ନଥିଲେ।

Advertisment

ଚାନ୍ଦମଣି ଏ ସଂକ୍ରାନ୍ତରେ ସ୍ଥାନୀୟ ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଥାନାରେ ଅଭିଯୋଗ ପହଞ୍ଚିବା ପରେ ଗାଁର ୫ ବସ୍ତିର କିଛି ମୁଖିଆ ଗତ ୧୦ ରେ ଏକ ଗୁପ୍ତ ବୈଠକ ଡାକିଥିଲେ। ଚାନ୍ଦମଣିଙ୍କୁ ଗାଁରୁ ବାସନ୍ଦ କରାଯାଇଥିଲା। ୫ ବସ୍ତିର କୌଣସି କାର୍ଯ୍ୟକ୍ରମରେ ଚାନ୍ଦମଣିକୁ ସାମିଲ ନ କରିବା। ଯେଉଁମାନେ ଚାନ୍ଦମଣିଙ୍କୁ ସହାୟତା କରିବେ କିମ୍ବା ତାଙ୍କ ଦୋକାନରୁ ଜିନିଷ କିଣିବେ ତାଙ୍କୁ ୫ ହଜାର ଜରିମାନା ଦେବା ଆଦି ବୈଠକରେ କଠୋର ନିଷ୍ପତ୍ତି ନିଆଯାଇଥିଲା। ବସ୍ତିବାସିନ୍ଦାଙ୍କ ଏଭଳି ନିଷ୍ପତ୍ତି ଯୋଗୁ ଚାନ୍ଦମଣି ଓ ତାଙ୍କ ପଡୋଣୀ ସରୋଜ କାଣ୍ଡୁଲାନା ପରିବାର ଗାଁରେ ଏକାକୀ ହୋଇଯାଇଥିଲେ।

ଚାନ୍ଦମଣିଙ୍କ ସହ ମିଶୁଥିବାରୁ ପଡୋଶୀ ସରୋଜକୁ ୫ ହଜାର ଟଙ୍କା ଦେବାକୁ ଗାଁର ଲୋକମାନେ ଧମକ ଦେଇଥିଲେ। ଚାନ୍ଦମଣି ଗାଁରୁ ବାସନ୍ଦ ହେବା ପରେ ଚାନ୍ଦିପୋଷ ଥାନାର ଦ୍ବାରସ୍ଥ ହୋଇଥିଲେ। ହେଲେ ଥାନା ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଚାନ୍ଦମଣି କହିଛନ୍ତି, ଗାଁର ୫ ବସ୍ତିବାସିନ୍ଦା ତାଙ୍କର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି। ଏସ୍‌ପିଙ୍କ ପକ୍ଷରୁ ତାଙ୍କୁ ଓ ତାଙ୍କ ପରିବାରକୁ ନ୍ୟାୟ ନ ମିଳିଲେ ମାନବାଅଧିକାର କର୍ମୀଙ୍କ ଜରିଆରେ ସେ କୋର୍ଟର ଦ୍ବାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି।