ପ୍ରାଥମିକ ବିଦ୍ୟାଳୟ ସ୍ଥାନାନ୍ତରକୁ ବିରୋଧ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବଂଶାଜାଲ ପଞ୍ଚାୟତ ଭାଡ଼ିଦର ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ସ୍ଥାନାନ୍ତର ବିରୋଧ କରାଯାଇଛି। ବୁଧବାର ଏ ବାବଦରେ ଗ୍ରାମବାସୀ ଉପଜଲ୍ଲାପାଳ ପଦ୍ମନାଭ ବେହେରାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଘଟଣାକୁ ନେଇ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଗ୍ରାମବାସୀ ଓ ଅଞ୍ଚଳର ଜନ ପ୍ରତିନିଧି ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ଉପମୁଖ୍ୟ ସଚେତକ ତଥା ବିଧାୟକ ଇଂ ରୋହିତ ପୂଜାରୀ ମଧ୍ୟ ସ୍କୁଲ ସ୍ଥାନାନ୍ତର ନ କରିବା ପାଇଁ ଉପଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି।

ଗ୍ରାମବାସୀଙ୍କ ଦାବି ଅନୁଯାୟୀ ସ୍କୁଲରେ ନିର୍ଦ୍ଧାରିତ ସଂଖ୍ୟକ ଛାତ୍ରଛାତ୍ରୀ ଅଛନ୍ତି। ତଥାପି ତାଙ୍କ ସ୍କୁଲକୁ ବଂଶାଜାଲ ଗ୍ରାମକୁ ସ୍ଥାନାନ୍ତରିତ କରାଯାଇଛି। ଏହା ସେମାନଙ୍କ ଗ୍ରାମଠାରୁ ୫ କିଲୋମିଟର ଦୂର। ଛାତ୍ରଛାତ୍ରୀଙ୍କୁ ବଂଶାଜାଲ ଯିବାକୁ ହେଲେ ସୁରୁବାଲି ଜୋର ଦେଇ ଯିବାକୁ ପଡ଼ିବ। ଉକ୍ତ ଜୋରରେ ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ ହୋଇ ନାହିଁ। ସେହିପରି ତାଙ୍କ ସ୍କୁଲ୍‌କୁ ଚୁଡାପୁଡୁଗ ଗ୍ରାମକୁ ସ୍ଥାନାନ୍ତରିତ କରାଗଲେ ସେଠାରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ୫ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡ଼ିବ। ଏହି ରାସ୍ତାଟି ପାହଡ଼ିଆ ଓ ଜଙ୍ଗଲିଆ ହୋଇଥିବାରୁ ହିଂସ୍ରଜନ୍ତୁଙ୍କ ଭୟ ରହିଛି। ଏସବୁକୁ ଦୃଷ୍ଟିରେ ରଖି ସ୍କୁଲ୍‌ ସ୍ଥାନାନ୍ତର ନିର୍ଦେଶକୁ ବାତିଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ଗ୍ରାମବାସୀ ଧାରଣାରେ ବସିବା ପାଇଁ ଚେତାବନୀ ଦେଇଛନ୍ତି। ଦାବି ପ୍ରଦାନ ସମୟରେ ୱାର୍ଡସଭ୍ୟ ଶେଷ ମିର୍ଦ୍ଧା, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ପ୍ରଧାନ, ବଂଶଜାଲ ସେବା ସମବାୟ ସମିତି ସଭାପତି ଲକ୍ଷ୍ମଣ ପ୍ରଧାନ, ଜଗନ୍ନାଥ ଦେହୁରୀ, ରଂଜିତ ବେହେରା, ସନ୍ତୋଷ ଦେହୁରୀ, ଦାଶରଥି ବେହେରା, ତାରା ପ୍ରଧାନ, ବାସନ୍ତୀ ମିର୍ଦ୍ଧା, ଉପେନ୍ଦ୍ର ନାଏକ, ସନ୍ତୋଷ ପ୍ରଧାନଙ୍କ ସମେତ ଶତାଧିକ ଗ୍ରମବାସୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର