କୃଷି ଆଇନଙ୍କୁ ବିରୋଧ କରି ଗଣତାନ୍ତ୍ରିକ ମହିଳା ସମିତିର ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ପ୍ରତିବାଦ

ଭଦ୍ରକ: କେନ୍ଦ୍ର ସରକାରଙ୍କର କଳା କୃଷି ଆଇନକୁ ବିରୋଧ କରିବା ସହ ଏଭଳି କଳା ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଭଦ୍ରକ ଜିଲ୍ଲା ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା। ଦରଦାମର ଅହେତୁକ ମୂଲ୍ୟ ବୃଦ୍ଧି କରାଯିବା ଦ୍ବାରା ସାଧାରଣ ଲୋକଙ୍କ ଉପରେ ଏହାର ପ୍ରବାଭ ପଡୁଛି।

ସେହିପରି ପେଟ୍ରୋଲ ଡିଜେଲ ଦର ହୁ ହୁ ହୋଇ ବୃଦ୍ଧି କରାଯାଉଛି।ଏହା ଅଗଣତାନ୍ତ୍ରିକ। ଦରଦାମ ଉପରେ କେନ୍ଦ୍ର ସରକାରଙ୍କର ନିୟନ୍ତ୍ରଣ ନାହିଁ। ଆଦାନୀ ଓ ଆମ୍ବାନୀ ଭଳି ବଡ ବଡ ଶିଳ୍ପପତିଙ୍କ ନିକଟରେ କେନ୍ଦ୍ର ସରକାର ବନ୍ଧା ପଡିଛନ୍ତି। ସେମାନଙ୍କୁ ସୁହା‌ଇଲା ଭଳି ଆଇନ୍ କରିବା ଦ୍ବାରା ସାଧାରଣ ଲୋକ କ୍ଷତିରେ ପଡୁଛି। ଆଦାନୀ ଓ ଆମ୍ବାନୀ ବିକ୍ରୀ କରୁଥିବା ସାମଗ୍ରୀ ବୟକଟ କରିବା ଦାବି ନେଇ ଆଜିର ପ୍ରତିବାଦ ସଭା କରାଯାଇଥିଲା। କଳା କୃଷି ଆଇନକୁ ବାତିଲ କରିବା ଦାବିରେ ଦିଲ୍ଲୀରେ  ଆଜକୁ ୧୬ ଦିନ ଧରି‌ ଆନ୍ଦୋଳନ, ଧାରଣା, ଧର୍ମଘଟ ଚାଲିଥିବା ବେଳେ କୃଷକମାନଙ୍କର ସ୍ବାର୍ଥରକ୍ଷା କରିବା ଦିଗରେ ସବୁସ୍ତରରୁ ସମର୍ଥନ ମିଳୁଥିବା ବେଳେ କେନ୍ଦ୍ର ସରକାର ଏ ଦିଗ‌ରେ ଏବେ ମଧ୍ୟ ନୀରବରେ ବସିଯାଇଛି।

ଏଇ କୃଷି ଆଇନ ଦ୍ବାରା  କେବଳ କୃଷକ ନୁହେଁ ସବୁ ବର୍ଗର ଲୋକ କ୍ଷତିଗ୍ରସ୍ତ ହେବେ। ତେଣୁ ଏଭଳି ଆଇନ୍ ତୁରନ୍ତ ପ୍ରତ୍ୟାହ‌ାର କରିବାକୁ ଦାବି କରି ଭଦ୍ରକ ଜିଲ୍ଲା ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଜିଲ୍ଲା ସଭାନେତ୍ରୀ  ପ୍ରତିଭା ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା କରାଯାଇଥିଲା। ଏଇ ପ୍ରତିବାଦ ସଭାରେ ସମିତିର  ସର୍ବଭା‌ରତୀୟ  ସଂପାଦିକା ତାପସୀ ପ୍ରହରାଜ, ଜିଲ୍ଲା ସଂପାଦିକା ମମତା ଜେନା, କାମିନୀ ନାୟକ, ପ୍ରଭାତି ଦାସ, ସୁମତି ନାୟକ, ସଂଜିତା ମହାପାତ୍ର, ରୋଜାଲିନ ସାମ୍ୟବାଦୀ, ତସଲିମା ବିବି, ସୀତାରାଣୀ ଦାସ, ସିଟୁର  ଜିଲ୍ଲା ନେତା ଆଇନଜୀବୀ ଦିବ୍ୟଦସିଂହ ନାୟକ  ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏଭଳି କଳା ଆଇନକୁ  କେନ୍ଦ୍ର ସରକାର ପ୍ରତ୍ୟାହାର  ନକରିବା ପର୍ଯ୍ୟନ୍ତ  ସାରା ଭାତର ବର୍ଷରେ ସବୁସ୍ତରରେ  ଆନ୍ଦୋଳନ, ଧାରଣା, ଧର୍ମଘଟ ଚାଲୁ ରହିଥିବ ବୋଲି ଶ୍ରୀମିତୀ ପ୍ରହରାଜ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର