ମଦମୁକ୍ତି ଯୁବବାହିନୀର ମଦ ବିରୋଧୀ ଶୋଭାଯାତ୍ରା

ସୁନ୍ଦରଗଡ଼: ଓଡ଼ିଶାକୁ ମଦମୁକ୍ତ ରାଜ୍ୟ ଘୋଷଣା ଦାବିରେ ମଦମୁକ୍ତି ଯୁବ ବାହିନୀ ଅଭିଯାନ ଆରମ୍ଭ କରିଛି। ଏହି ପରିପ୍ରେକ୍ଷିରେ ଆଜି ସୁନ୍ଦରଗଡ଼ରେ ଏକ ମଦ ବିରୋଧୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ମେଡିକାଲ ଛକରୁ ପୁରୁଣା ବସଷ୍ଟାଣ୍ଡ୍ ଛକ ପ୍ରର୍ଯ୍ୟନ୍ତ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ମଦମୁକ୍ତି ଯୁବ ବାହିନୀ ମଦମୁକ୍ତିର ବାର୍ତ୍ତା ବାଣ୍ଟିଥିଲେ। ଓଡ଼ିଶାରେ ସରକାରଙ୍କ ମଦ ନୀତି ଯୋଗୁଁ ପ୍ରତ୍ୟକ ଦିନ ଘଟୁଥିବା ଘଟଣା ଓ ସରକାର ଏବଂ ରାଜ ନେତାମାନେ କିପରି ଏହି ସମସ୍ୟାକୁ ଅଣଦେଖା କରିଚାଲିଛନ୍ତି ସେ ସମ୍ପର୍କରେ ପ୍ଲା-କାର୍ଡ ଓ ଗୀତ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ମଦ ବିକ୍ରି ପାଇଁ ରାଜ୍ୟ ସରକାର ଲାଇସେନ୍ସ ପ୍ରଦାନ କରି ଓଡ଼ିଶାର କୋଣ ଅନୁକୋଣରେ ୪୬ ଶହରୁ ଅଧିକ ମଦ ଦୋକାନ ଖୋଲିଛନ୍ତି। ମଦରୁ ବହୁତ ରାଜସ୍ବ ମିଳୁଥିବା କଥା ସମ୍ପୂର୍ଣ୍ଣ ମିଛ।

ରାଜ୍ୟ ସରକାରଙ୍କ ମୋଟ ବଜେଟର ମାତ୍ର ୨.୫ ରୁ ୩ ପ୍ରତିଶତ ଅବକାରୀ ଆୟ। ଗୁଜୁରାଟ, ବିହାର ଭଳି ଓଡ଼ିଶା ସରକାରଙ୍କୁ ଏହି ଅର୍ଥ ନମିଳିଲେ ମଧ୍ୟ ରାଜ୍ୟ ସହଜରେ ଚାଲି ପାରିବ। କିନ୍ତୁ ମଦ କାରଣରୁ ରାଜ୍ୟରେ ଗାଡ଼ି ଦୁର୍ଘଟଣା, ଘରୋଇ ହିଂସା, ନାରୀ ନିର୍ଯାତନା, ହତ୍ୟା, ଗୋଷ୍ଠୀ ସଂଘର୍ଷ ପରି ଘଟଣା ଦିନକୁ ଦିନ ବଢ଼ି ଚାଲିଥିବା ଏବଂ ଏହି କାରଣରୁ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ରାଜସ୍ବ ହରାଉଥିବା ଯୁବ ବାହିନୀ ପ୍ରକାଶ କରିଥିଲା। ତେଣୁ ରାଜସ୍ବ ପାଇଁ ନୁହେଁ, ବରଂ ରାଜ୍ୟରେ କୃଷି, ରୋଜଗାର, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ନିଯୁକ୍ତି ଭଳି ବିଭିନ୍ନ ମୌଳିକ ସମସ୍ୟା ଉପରୁ ଜନସାଧାରଣଙ୍କ ନଜର ହଟାଇବା ଏହା ଏକ ଉଦ୍ୟମ। ଯୁବ ଗୋଷ୍ଠୀଙ୍କୁ ନିଶା ଦ୍ୱାରା ମାନସିକ ପଙ୍ଗୁ କରିବା ସହ ସରକାରଙ୍କୁ ଏ ସଂକ୍ରାନ୍ତରେ ପ୍ରଶ୍ନ ପଚାରିବାର କ୍ଷମତା ହରାଇବା ଭଳି ଷଡ଼ଯନ୍ତ୍ର କରି ରାଜ୍ୟ ସରକାର ମଦ ବିକ୍ରି କରୁଛନ୍ତି ବୋଲି ମଦମୁକ୍ତି ଯୁବବାହିନୀ ସୁନ୍ଦରଗଡ଼ ଜିଲ୍ଲା ସଂଯୋଜକ ଜିତେନ୍ଦ୍ରିୟ ଧୁରୁଆ ପ୍ରକାଶ କରିଛନ୍ତି।

ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ମଦ ବିକ୍ରି କରିବା ଏକ ଜନମଙ୍ଗଳକାରୀ ସରକାରଙ୍କ ଲକ୍ଷଣ ନୁହେଁ, ତେଣୁ ଏହି ବ୍ୟବସ୍ଥାଗତ ବିଶ୍ୱାସଘାତକତା ବିରୋଧରେ ଆଜି ଯୁବଗୋଷ୍ଠୀ ସ୍ୱର ଉତ୍ତୋଳନ କରିବାକୁ ମଦମୁକ୍ତି ଯୁବବାହିନୀର ସୁନ୍ଦରଗଡ଼ ଜିଲ୍ଲା ସହସଂଯୋଜକ ବଳରାମ ନାଏକ ଯୁବକମାନଙ୍କୁ ଆହ୍ୱାନ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବାକୁ ମଦମୁକ୍ତି ଯୁବବାହିନୀ ଓଡ଼ିଶାର ବିଭିନ୍ନ ବ୍ଲକରେ ପ୍ରଭାତ ଫେରି, ପଦ ଯାତ୍ରା, ଯୁବ ସମ୍ବାଦ କାର୍ଯ୍ୟକ୍ରମ ଆୟୋଜିତ କରୁଥିବା ଝାରସୁଗୁଡା ସଂଯୋଜକ ପ୍ରଶାନ୍ତ ରଣା ପ୍ରକାଶ କରିଛନ୍ତି। ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ରଣା, ପ୍ରକାଶ ରୋହିଦାସ, ମଧୁସୂଦନ ଭଇଁସା, ଉଜ୍ଵଳ ସେଠି, ରାଜେଶ ବେହେରା, ସୁଶାନ୍ତ ପିଙ୍ଗ, ତ୍ରିଲୋଚନ ପ୍ରଧାନ, ଟିଙ୍କୁ ଡନସେନା, ପ୍ରକାଶ ସାଙ୍କ୍ରିଆ, ଜିତେନ୍ଦ୍ର ମାଝୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର