ବିରୋଧୀଙ୍କର କଥା ବେଶି, କାମ କମ୍‌: ଭି‌ କେ ପାଣ୍ଡିଆନ୍‌

ବୌଦ୍ଧ/ସୋନପୁର/ବୀରମହାରାଜପୁର: ବିଜୁ ଜନତା ଦଳ (ବିଜେଡି) ନେତା ଭୈରବ କାର୍ତ୍ତିକ ପାଣ୍ଡିଆନ ରବିବାର ବୌଦ୍ଧ, ସୋନପୁର ଏବଂ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ବିଧାନସଭା ପ୍ରାର୍ଥୀ ଯଥାକ୍ରମେ ପ୍ରଦିପ ଅମାତ, ନିରଂଜନ ପୂଜାରୀ ଓ ପଦ୍ମନାଭ ବେହେରାଙ୍କ ପାଇଁ ପ୍ରଚାର କରିଛନ୍ତି। ବୌଦ୍ଧରେ ବିପୁଳ ଜନସମାବେଶକୁ ସମ୍ବୋଧନ କରି ପାଣ୍ଡିଆନ କହିଛନ୍ତି ଯେ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବାରେ ବିଶ୍ବାସ କରନ୍ତି। ଲୋକଙ୍କୁ କାମର ହିସାବ ଦେବାରେ ବିଶ୍ବାସ କରନ୍ତି। ଲୋକଙ୍କ ଅସୁବିଧାକୁ ନିଜ ଅସୁବିଧା ଭାବି ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଅନ୍ତି। କିନ୍ତୁ ବିରୋଧୀ ଦଳ ଲୋକଙ୍କ ସ୍ବାର୍ଥ ଅପେକ୍ଷା ନିଜ ସ୍ବାର୍ଥ ଉପରେ ଅଧିକ ଗୁରୁତ୍ବ ଦିଅନ୍ତି । ନିର୍ବାଚନ ଆସିଲେ ସେମାନେ ପର୍ଯ୍ୟଟକ ଭଳି ଆସନ୍ତି, ବଡ ବଡ କଥା କୁହନ୍ତି। ମିଠା ମିଠା ପ୍ରତିଶ୍ରୁତି ଦିଅନ୍ତି। ନିର୍ବାଚନ ସରିଗଲେ ଆଉ ମିଳନ୍ତି ନାହିଁ। ସେ କହିଛନ୍ତି, ବୌଦ୍ଧ ଜିଲ୍ଲାର ପୁରୁଣାକଟକକୁ ଏନଏସି ଓ ବୌଦ୍ଧକୁ ପୌରାଞ୍ଚଳ ମାନ୍ୟତା ଦିଆଯାଇଛି। ଲୋକଙ୍କ ପ୍ରସ୍ତାବକ୍ରମେ ଭୈରବୀ ମନ୍ଦିର ଓ ଚନ୍ଦ୍ରଚୂଡ ମନ୍ଦିରର ବିକାଶ ପାଇଁ ଯଥାକ୍ରମେ ୪ କୋଟି ଓ ସାଢେ ତିନି କୋଟି ଟଙ୍କା ଦିଆଯାଇଛି।

ବୀରମହାରାଜପୁରରେ ସମବେତ ଜନତାଙ୍କୁ ଉଦବୋଧନ ଦେଇ ପାଣ୍ଡିଆନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସାରା ଓଡିଶାବାସୀଙ୍କୁ ନିଜ ପରିବାର ଭାବେ ଭାବନ୍ତି ଓ ସେମାନଙ୍କ ଉନ୍ନତି ପାଇଁ ଦିନରାତି ପରିଶ୍ରମ କରୁଛନ୍ତି। ମୁଖ୍ୟମନ୍ତ୍ରୀ ସବୁବେଳେ ବନ୍ୟା, ବାତ୍ୟା, ମରୁଡି, ସୁଖ ଦୁଃଖ ସବୁଥିରେ ଓଡିଶାବାସୀଙ୍କ ସାଥିରେ ଅଛନ୍ତି ଓ ସେମାନଙ୍କ ପାଇଁ କାମ କରୁଛନ୍ତି । କିନ୍ତୁ ବିରୋଧୀ ଦଳ କେବଳ ଭୋଟ ପାଇଁ ଓଡ଼ିଶା ଆସନ୍ତି। ବଡ଼ବଡ କଥା କୁହନ୍ତି। କିନ୍ତୁ କାମ ଘର ଶୂନ। କଥା ବେଶି କାମ କମ୍‌ – ହେଉଛି ବିରୋଧୀଙ୍କ ପରିଚୟ। ଭୋଟ ପାଇଁ ସେମାନେ ଆସନ୍ତି। ୫ ବର୍ଷରେ ଥରେ ଆସନ୍ତି। ଘୋଡା ଦେବୁ, ହାତୀ ଦେବୁ କୁହନ୍ତି। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ କରିବେ ବୋଲି କୁହନ୍ତି। କିନ୍ତୁ, ଭୋଟ ସରିଲେ ସବୁ ଭୁଲିଯାନ୍ତି। ବିଜେପି ଦଳର ନିର୍ବାଚନୀ ପ୍ରତିଶ୍ରୁତି ସଂପର୍କରେ ସ୍ମରଣ କରାଇଦେଇ ପାଣ୍ଡିଆନ କହିଥିଲେ ଯେ ଯୁବକଙ୍କ ପାଇଁ ଦୁଇ କୋଟି ଚାକିରି ଓ ଚାଷୀଙ୍କ ପାଇଁ ଧାନର ଏମଏସପି ଦୁଇ ଗୁଣ କରିବା ପ୍ରତିଶ୍ରୁତି କରିବା କୁଆଡ଼େ ଗଲା ?

ଛାତ୍ରଛାତ୍ରୀମାନଙ୍କ ପାଇଁ ଆରମ୍ଭ କରାଯାଇଥିବା ନୂଆ-ଓ ବୃତ୍ତି ସଂପର୍କରେ ସୂଚନା ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ, ଯେଉଁଠାରେ କଲେଜ ଯାଉଥିବା ୯୫ ପ୍ରତିଶତ ଛାତ୍ରଛାତ୍ରୀ ବୃତ୍ତି ପାଉଛନ୍ତି। ଝିଅମାନେ ୧୦ ହଜାର ଓ ପୁଅମାନେ ୯ ହଜାର ଟଙ୍କା ପାଉଛନ୍ତି। ଲୋକଙ୍କ ସେବାରେ ମୁଖ୍ୟମନ୍ତ୍ରୀ ନିଜକୁ ସମର୍ପିତ କରିଛନ୍ତି। ଲୋକଙ୍କ ମୁହଁରେ ହସ ଫୁଟିଲେ, ମୁଖ୍ୟମନ୍ତ୍ରୀ ଖୁସି ହୁଅନ୍ତି। ତେଣୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଦୁଇ ଥର ଭୋଟ ଦେଇ ବିଜୁ ଜନତା ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାନ୍ତୁ।

ସୋନପୁର ଜିଲ୍ଲା ବିନିକା ଠାରେ ଆୟୋଜିତ ସଭାରେ ଯୋଗ ଦେଇ ପାଣ୍ଡିଆନ କହିଥିଲେ ଯେ ବିନିକା ଓ ଡୁଙ୍ଗୁରିପାଲ୍ଲୀ ସହିତ ମୋର ସ୍ବତନ୍ତ୍ର ସଂପର୍କ ରହିଛି। ଏଠାରେ ମୁଁ ପ୍ରଶିକ୍ଷଣ ପାଇଥିଲି। ନିର୍ବାଚନ ସରିଗଲେ ବିରୋଧୀ ଦଳଙ୍କୁ ଆପଣ ଖୋଜିଲେ ବି ପାଇବେ ନାହିଁ। କିନ୍ତୁ ନିର୍ବାଚନ ସରିଲେ ଆମେ ଆସିବୁ ଓ ପୁଣି ହିସାବ ଦେବୁ। ସେ କହିଥିଲେ ଯେ ଡୁଙ୍ଗୁରିପାଲ୍ଲୀ ଓ ରାମପୁରକୁ ଏନଏସିର ମାନ୍ୟତା ଦିଆଯାଇଛି। ନିରଞ୍ଜନ ପୂଜାରୀ ବହୁତ ଦକ୍ଷତାର ସହ କାମ କରିଥାନ୍ତି। ତାଙ୍କ କାମ କରିବାର ଉଦାହରଣ ସୋନପୁରର ଜିଲ୍ଲା ହସ୍ପିଟାଲ। ତେଣୁ ଏଥର ପୁଣିଥରେ ବିଜେଡିକୁ ଭରସିବାକୁ ପାଣ୍ଡିଆନ ସୋନପୁରବାସୀଙ୍କୁ ଅପିଲ କରିଥିଲେ।

ସମ୍ବନ୍ଧିତ ଖବର