ବରୀ/ଅଭିମନ୍ୟୁ ବାଲିଆ: ବରୀ ବ୍ଲକ୍‌ର ଆଦର୍ଶ ବିଦ୍ୟାଳୟର କାଗଜପତ୍ର ଠିକଣା ଜଗନ୍ନାଥପୁର, କିନ୍ତୁ ଅଟିରା ପଞ୍ଚାୟତର ସନ୍ଥନଠାରେ ସ୍ଥାୟୀ ଗୃହ ନିର୍ମାଣ ହେଉଛି। ଧାର୍ଯ୍ୟତାରିଖ ଶେଷ ହୋଇଥିଲାବେଳେ ନିର୍ମାଣ କାର୍ଯ୍ୟ ସରିନାହିଁ। ବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରିବାକୁ ଯାଇ ବିଗତ ଆର୍ଥିକ ବର୍ଷରେ ବରୀସ୍ଥିତ କୃପାସିନ୍ଧୁ ବିଦ୍ୟାଭବନରେ ଅସ୍ଥାୟୀ ଭାବେ ଶିକ୍ଷାଦାନ ଆରମ୍ଭ କରାଯାଇଥିଲା। ପିଲାମାନଙ୍କୁ ପାଠ ପଢ଼ାଇବାକୁ ଅଭିଭାବକମାନେ ମଧ୍ୟ ବହୁ କଷ୍ଟ ସହି ଏଠାରେ ଆଣି ଛାଡୁଥିଲେ। ଚଳିତ ଶିକ୍ଷାବର୍ଷ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଅସ୍ଥାୟୀ ଭାବେ ସ୍ଥାନ ପରିବର୍ତ୍ତନ କରି ଶଙ୍ଖାରିଗଡ଼ ଛକସ୍ଥିତ ଭଳିନୂଆଗାଁଠାରେ ଥିବା ନବଭାରତୀ ବିଦ୍ୟାଭବନରେ ପାଠ ପଢ଼ାଯିବ ବୋଲି ନିର୍ଦେଶ ଜାରି କରିଛନ୍ତି। ଶିକ୍ଷାଧିକାରୀଙ୍କ ପତ୍ର ସଂଖ୍ୟା ୬୯୨୭ ତା ୬.୬.୨୦୨୩ ରିଖ ଜାରିହେବା ପରେ ଅଭିଭାବକଙ୍କ ମହଲରେ ଅସନ୍ତୋଷ ବୃଦ୍ଧିପାଇଛି।

Advertisment

ବରୀ ବ୍ଲକର ବିଭିନ୍ନ ଅଞ୍ଚଳରୁ ଏପରିକି ଦୀର୍ଘ ୨୦ କିମି ଦୂରରୁ ପିଲାମାନଙ୍କୁ ଆଣି କୃପାସିନ୍ଧୁ ବିଦ୍ୟାଭବନେରେ ଛାଡୁଥିବା ବେଳେ ପୁଣି ଏବେ ଆଉ ୫ କିଲୋମିଟର ଦୂରକୁ ଯିବାକୁ ପଡ଼ିବ। ଏଣୁ ଏହି ନିର୍ଦେଶର ପୁନର୍ବିଚାର କରିବାକୁ ଦାବି କରି ଆଜି ଅଭିଭାବକ ସଂଘ ପକ୍ଷରୁ ଅଟିରାସ୍ଥିତ ସ୍ଥାୟୀ ବିଦ୍ୟାଳୟ ନିର୍ମାଣ ହେଉଥିବା ସ୍ଥାନରେ ଧାରଣା ଦିଆଯାଇଥିଲା। ତୁରନ୍ତ ସ୍ଥାୟୀ ଗୃହ ନିର୍ମାଣ ସଂପୂର୍ଣ୍ଣ କରି ଏଠାରେ ଶିକ୍ଷାଦାନ କରାଯାଉ ଏବଂ ସେପର୍ଯ୍ୟନ୍ତ ଯେଉଁଠି ପଢ଼ାଯାଉଥିଲା ସେହି ଠାରେ ହେଉ ବୋଲି ଦାବି ରହିଛି। ବିଶ୍ବନାଥ ତ୍ରିପାଠୀଙ୍କ ନେତୃତ୍ବରେ ବହୁ ଅଭିଭାବକ ଆଜିର ଧାରଣାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଏନେଇ ଏକ ଦାବିପତ୍ର ଯାଜପୁର ଜିଲ୍ଲାପାଳ ଯାଜପୁର, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ଦେଶକ, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ, ଜିଲ୍ଲା ଓ ବ୍ଲକ୍‌ ଶିକ୍ଷାଧିକାରୀ, ବରୀ ବିଧାୟିକା ଏବଂ ୫-ଟି ସଚିବଙ୍କ ପାଖକୁ ପଠାଇଥିବା ଜଣାପଡ଼ିଛି।