ଓଏମ୍‌ସି ଖଣି କାମକୁ ବିରୋଧ, ୧୪ ମାସ ପରେ ପୁଣି ଡମ୍ପ୍ ଆନ୍ଦୋଳନ

କାଳିଆପାଣି : ଓଡ଼ିଶା ଖଣି ନିଗମ(ଓଏମ୍‌ସି) କ୍ରୋମ୍‌ ଜୋନ ଅଧୀନସ୍ଥ ସୁକୁରଙ୍ଗି କ୍ରୋମାଇଟ୍‌ ଖଣି ଲିଜ୍ ଅଞ୍ଚଳରେ ଥିବା ଚିରିଗୁଡ଼ା ବସ୍ତିରେ ଦୀର୍ଘ ଦିନରୁ ରହି ଆସୁଥିବା ବସ୍ତିବାସିନ୍ଦା ସପରିବାର ଆଜି ଉକ୍ତ ଖଣିର ଡମ୍ପିଂ ୟାର୍ଡ କାମକୁ ପ୍ରବଳ ବିରୋଧ କରିଛନ୍ତି। ୧୪ ମାସ ପରେ ସମାନ ଉପାୟରେ ରାଜୁ ପାତ୍ର, ରଞ୍ଜନ ଥଟାରି, ଦୁର୍ଗା ମହାରଣା, ବାବୁରାମ ପାତ୍ର, ସୁନିନି ଦେଇ ପ୍ରମୁଖଙ୍କ ନେତୃତ୍ବରେ ପରିବାର ମୁଖ୍ୟମାନେ ୫୦ରୁ ଅଧିକ ପିଲାଛୁଆ ଧରି ଡମ୍ପ୍ ରାସ୍ତା ଅବରୋଧ କରିଥିଲେ । ସଂଘବଦ୍ଧ ଭ‌ାବେ ଓଏମ୍‌ସି ଖଣି କାର୍ଯ୍ୟକୁ ବିରୋଧ କରିଥିଲେ । ବସ୍ତିବାସିନ୍ଦାଙ୍କ ପ୍ରତିବାଦ ପାଇଁ ଆଜି ଖଣି କାର୍ଯ୍ୟ ବ୍ୟାହତ ହୋଇଥିଲା ।

ପ୍ରକାଶ ଯେ, ସକାଳୁ ଖଣି ପରିସରରେ ଅପ୍ରୀତିକର ପରିସ୍ଥିତି ଜାଣି ସୁକୁରଙ୍ଗି ଖଣିର ବରିଷ୍ଠ ପ୍ରବନ୍ଧକ ଇଂ ମାୟାଧର ପାତ୍ର, ଖଣି ପ୍ରବନ୍ଧକ ଇଂ ଗଣେଶ୍ବର ଭୂୟାଁ, ନିରାପତ୍ତା ପ୍ରବନ୍ଧକ ଶ୍ରୀକାନ୍ତ କୁମାର ସାହୁ, ନିରୀକ୍ଷକ ବିଶ୍ବଜିତ ଦାସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ଉଦ୍ୟମ କରିଥିଲେ ମଧ୍ୟ ସମାଧାନର ସୂତ୍ର ବାହାରିନଥିଲା । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ଦେଖି ସୁକିନ୍ଦା ତହସିଲଦାର ବୁଲବୁଲ୍‌ ବେହେରା, କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲି, ଯାଜପୁରରୋଡ ଖଣି ସର୍କଲ କନିଷ୍ଠ ଖଣି ଅଧିକାରୀ ଡମ୍ବରୁଧର ମହାନ୍ତ, ଆଞ୍ଚଳିକ ପ୍ରବନ୍ଧକ ଇଂ ପ୍ରସନ୍ନ କୁମାର ସ୍ବାଇଁ ସଦଳବଳ ପହଞ୍ଚି ଲୋକଙ୍କୁ ଦ୍ବିତୀୟ ବାର ବୁଝାସୁଝା କରିଥିଲେ। ତଥାପି ପରିସ୍ଥିତିରେ ସୁଧାର ଆସିନଥିଲା। ‘ପ୍ରଥମେ ବିସ୍ଥାପନ ଓ ଥଇଥାନ ନିଷ୍ପତ୍ତି ଏବଂ ପରେ ଏଠି ଖଣି ଡମ୍ପ୍ କାମ’ ବୋଲି ବସ୍ତିବାସିନ୍ଦା ଓଏମ୍‌ସି କର୍ତ୍ତୃପକ୍ଷଙ୍କୁ ରୋକ୍‌ଠୋକ୍‌ ଶୁଣାଇଥିଲେ।

ସମ୍ବନ୍ଧିତ ଖବର