ଓପିଟିସିଏଲ ସୁରକ୍ଷାକର୍ମୀ କାର୍ଯ୍ୟରୁ ଅନ୍ତର ମାମଲା: ଠିକାଦାରଙ୍କୁ ଘେରିଲେ ସୁରକ୍ଷାକର୍ମୀ 

୨ଦିନ ମଧ୍ୟରେ ବୋନସ୍ ଦେବାକୁ ପ୍ରତିଶ୍ରୃତି ଦେଲେ ଠିକାଦାର

ଜୟପୁର: ଓପିଟିସିଏଲର ସୁରକ୍ଷା କର୍ମୀ ଭାବେ ଆଉଟସୋର୍ସିଂ ସଂସ୍ଥା ଗଞ୍ଜାମ ସିକ୍ୟୁରିଟି ସର୍ଭିସ ଦ୍ବାରା ନିଯୁକ୍ତି ଦିଆଯାଇଥିଲା। ତେବେ ଏହାରି ମଧ୍ୟରେ ଏହି ସୁରକ୍ଷା କର୍ମୀମାନଙ୍କୁ କାର୍ଯ୍ୟରୁ ସଂସ୍ଥା ଅନ୍ତର କରିଥିଲା। ଏହାକୁ ନେଇ ସୁରକ୍ଷା କର୍ମୀମାନେ ଦୀର୍ଘ ଦିନ ଧରି ସାଉଥକୋ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ଏବଂ ଜାତୀୟ ରାଜପଥ ଆଦିରେ ଧାରଣା ଦେଇ ପୁନଃନିଯୁକ୍ତି ଏବଂ ବକେୟା ଭତ୍ତା, ବୋନସ ଆଦି ପ୍ରଦାନ କରିବାକୁ ଦାବି କରିଥିଲେ।

ଏମାନଙ୍କ ମଧ୍ୟରୁ ୩୩ଜଣ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଏହାକୁ ନେଇ ଅଭିଯୋଗ ବି ଦାଖଲ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଜିଲ୍ଲାଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ ଓପିଟିସିଏଲର ଅଧିକାରୀ, ଆଉଟସୋର୍ସିଂ ସିକ୍ୟୁରିଟି ସଂସ୍ଥାର ପରିଚାଳକ ବିଧାନ ଚନ୍ଦ୍ର ପଣ୍ଡା, ଶ୍ରମିକ ନେତା ଯୁଧିଷ୍ଠିର ରାଉଳ , ପ୍ରମୋଦ କୁମାର ମହାନ୍ତି ଓ ଅଭିଯୋଗକାରୀ ସୁରକ୍ଷାକର୍ମୀଙ୍କୁ ଆଲୋଚନା କରିବା ପାଇଁ ଆଜି ଡାକିଥିଲେ।

ଉକ୍ତ ସଂସ୍ଥା ପକ୍ଷରୁ ଦୀର୍ଘ ୧୦ରୁ ୧୨ବର୍ଷ ଧରି କାମ କରିଥିବା କର୍ମଚାରୀଙ୍କୁ ଅନ୍ତର କରି ନୂଆ ନୂଆ ପିଲାଙ୍କୁ ତଥା ୮ମ ପାସ୍ ପିଲାଙ୍କୁ ବି ନିଯୁକ୍ତି ଦେଇଥିବା ସୁରେନ୍ଦ୍ର ପଟ୍ଟନାୟକ, ଜଗନ୍ନାଥ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି। ଏପରିକି ତେନ୍ତୁଳିଖୁଣ୍ଟିରେ ୨୬ଜଣ ସୁରକ୍ଷା କର୍ମୀ ରହିବା ସ୍ଥାନରେ ମାତ୍ର ୪ଜଣ ରଖିବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ସୁବାସ ଚନ୍ଦ୍ର ହାଲୱା।

ଏପରିକି ନିୟମିତ ଭାବେ କାମ କରି ଆସୁଥିବା ସୁରକ୍ଷା କର୍ମୀଙ୍କୁ ଅନ୍ତର କରି ନୂଆ ନିଯୁକ୍ତି ପଛରେ ରାକେଟ୍ ରହିଛି ବୋଲି ଏମାନେ ଅଭିଯୋଗ କରିଥିଲେ। ଏପରିକି ଏମାନଙ୍କର ବୋନସ୍, ଭତ୍ତା ଆଦି ବି ସଂସ୍ଥା ପକ୍ଷରୁ ଦିଆଯାଇ ନଥିବା ଏବଂ ଅଚାନକ ଭାବେ ବିନା ନୋଟିସରେ କାର୍ଯ୍ୟରୁ ଅନ୍ତର କରିବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ଏମାନେ ପ୍ରଶ୍ନ କରିଛନ୍ତି।


ଅଚାନକ ଭାବେ ଓପିଟିସିଏଲ୍ ସୁରକ୍ଷା କର୍ମୀଙ୍କ ସଂଖ୍ୟା କମାଇଛି।  ଏହି ସଂସ୍ଥା ଅଧିନରେ ୭୨୦ଜଣ କାମ କରୁଥିବା ବେଳେ ଏବେ ମାତ୍ର ୨୯୯ଜଣଙ୍କୁ ରଖିବାକୁ ଓପିଟିସିଏଲ୍ ନିର୍ଦେଶ ଦେଇଥିବା କହିଛନ୍ତି ସିକ୍ୟୁରିଟି ସଂସ୍ଥାର ପରିଚାଳକ ଶ୍ରୀ ପଣ୍ଡା। ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ୍ କରିଥିବା ଏବଂ ଗୃହ ବିଭାଗର ନିୟମ ଓ ଗାଇଡ୍ ଲାଇନ୍ ଅନୁଯାୟୀ ନିଯୁକ୍ତି ଦିଆଯାଇଛି ବୋଲି କହିଛନ୍ତି ଶ୍ରୀ ପଣ୍ଡା। ଶ୍ରୀ ପଣ୍ଡାଙ୍କୁ ଆଲୋଚନା ପାଇଁ ଆସିଥିବା ବେଳେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ସୁରକ୍ଷା କର୍ମୀମାନେ ଘେରାଉ କରିବା ପରେ ସେ ଏଦିଗରେ ସ୍ବତନ୍ତ୍ର ଧ୍ୟାନ ଦେବେ ବୋଲି କହିଥିଲେ। ତା ସହ ନିଯୁକ୍ତି ଦିଆଯାଇଥିବା ୨୯୯ଜଣଙ୍କର ଶିକ୍ଷାଗତ ପ୍ରମାଣପତ୍ରର ଯାଂଚ ବି କରାଯିବ , ସେଭଳି କିଛି ପ୍ରାର୍ଥୀ ନିୟମ ବାହାରେ ରହିଥିଲେ ସେମାନଙ୍କୁ ତୁରନ୍ତ ବାହାର କରି ଦେବେ ବୋଲି ପ୍ରତିଶ୍ରୃତି ଦେଇଥିଲେ ଶ୍ରୀ ପଣ୍ଡା।

ଅନ୍ୟପଟେ ଜିଲ୍ଲାଶ୍ରମ ଅଧିକାରୀଙ୍କ ଉପସ୍ଥିତିରେ ଅନ୍ତର କରାଯାଇଥିବା ୩୩ଜଣ ସୁରକ୍ଷା କର୍ମୀଙ୍କର ୨୦୧୮-୧୯ର ବୋନସ୍ ଆସନ୍ତା ୨ଦିନ ମଧ୍ୟରେ ଶ୍ରୀ ପଣ୍ଡା ଦେବେ ବୋଲି ପ୍ରତିଶ୍ରୃତି ଦେଇଥିବା କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପାଣିଗ୍ରାହୀ। ଗ୍ରାଚ୍ୟୁଟି ଟଙ୍କାକୁ ନେଇ ଓପିଟିସିଏଲ୍ ପକ୍ଷରୁ ସମଗ୍ର ରାଜ୍ୟ ସ୍ତରରେ ବିଚାରାଧିନ ରହିଛି ଏବଂ ଏକା ସହ ମିଳିବ ବୋଲି ଓପିଟିସିଏଲର ଅଧିକାରୀମାନେ କହିଥିବା କହିଛନ୍ତି ଜିଲ୍ଲାଶ୍ରମ ଅଧିକାରୀ। କର୍ମଚାରୀମାନେ ସେମାନଙ୍କ କାଗଜପତ୍ର ଏହାରି ମଧ୍ୟରେ ଓପିଟିସିଏଲ୍ ନିକଟରେ ଦାଖଲ କରିଲେ ତାକୁ ପଠାଇ କିଭଳି ଗ୍ରାଚ୍ୟୁଟି ମିଳିବ ସେ ବ୍ୟବସ୍ଥା କରାଯିବ।

ଆସନ୍ତା ସୋମବାର ଦିନରେ ପୁଣି ଉକ୍ତ ସଂସ୍ଥା ପକ୍ଷରୁ କେତେ ଜଣଙ୍କର ବୋନସ୍ ଟଙ୍କା ଦେଲେ ତାହାର ବିବରଣୀ ରଖିବେ ବୋଲି କହିଛନ୍ତି ଜିଲ୍ଲାଶ୍ରମ ଅଧିକାରୀ। ପୁନଃନିଯୁକ୍ତି, ପୁରୁଣା ବୋନସ, ଭତ୍ତା ଆଦି ଏକାଥରକରେ ପ୍ରଦାନ କରିବା ଦାବି ପୂର୍ବଭଳି କାୟମ୍ ରହିଛି ବୋଲି କହିଛନ୍ତି ଶ୍ରମିକ ନେତା ଯୁଧିଷ୍ଠିର ରାଉଳ।

ସମ୍ବନ୍ଧିତ ଖବର