ରାଉରକେଲା: ଦକ୍ଷିଣପୂର୍ବ ରେଳବାଇ ମହାପ୍ରବନ୍ଧକ (ଜିଏମ୍‌) ଅନିଲ କୁମାର ମିଶ୍ରା, ଆର୍‌ପିଏଫ୍‌ ରେଳ ଆଇଜି ସଞ୍ଜୟ କୁମାର ମିଶ୍ରା ଆଜି ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ରେଳଷ୍ଟେସନ ପରିଦର୍ଶନ କରିଥିଲେ। ଜିଏମ୍‌ ଶ୍ରୀ ମିଶ୍ରା ଝାରସୁଗୁଡା ଓ ସରଡ଼େଗା ନିରୀକ୍ଷଣ କରିଥିଲେ। ସରଡ଼େଗାରେ କୋଇଲା ବୋଝେଇ କ୍ଷମତାକୁ ବଢ଼ାଇବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଏମ୍‌ ଶ୍ରୀ ମିଶ୍ରା ପ୍ରଥମେ ଝାରସୁଗୁଡା ରେଳଷ୍ଟେସନ ଓ ୟାର୍ଡ ନିରୀକ୍ଷଣ କରିଥିଲେ।

Advertisment

ଝାରସୁଗୁଡା ଷ୍ଟେସନର ସୁରକ୍ଷା ଓ ବିକାଶମୂଳକ କାମକୁ ପ୍ରାଥମିକତା ଦେବାକୁ ବିଭାଗୀୟ ଅଧକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଧୁତୁରା ଷ୍ଟେସନ ସାଇଡିଂ ପରିଦର୍ଶନ କରିବା ପରେ ରାଉରକେଲାରେ ପହଞ୍ଚିଥିଲେ। ରାଉରକେଲା ଷ୍ଟେସନରେ ନବନର୍ମିତ ଆର୍‌ଆର୍‌ଆଇ କେବିନ୍‌ ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ। ଏହା ପରେ ବାଙ୍ଗୁରକେଲା ଷ୍ଟେସନରେ ନବ ନିର୍ମିତ ବିଲ୍‌ଡିଂକୁ ନିରୀକ୍ଷଣ କରିଥିଲେ। ଶେଷରେ ବିଶ୍ରା ଷ୍ଟେସନରେ ପହଞ୍ଚିଥିଲେ। ସେଠାରୁ ଚକ୍ରଧରପୁର ଅଭିମୁଖେ ଯାତ୍ରା କରିଥିଲେ। ବିଶ୍ରା ଷ୍ଟେସନରେ ପୂର୍ବପରି ୫ ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଦାବିରେ ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଜିଏମ୍‌ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଜିଏମ୍‌ଙ୍କ ସହ ଚକ୍ରଧରପୁର ମଣ୍ଡଳ ଅଧିକାରୀ ଏଜେ ରାଠୋରଙ୍କ ସହ ରେଳ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।