ପ୍ରତୀକ୍ଷାର ଅନ୍ତ, ସୁଜାତା ପାଇବେ ବୀମା ରାଶି

କମ୍ପାନୀକୁ ଫୁଲବାଣୀ ସ୍ଥାୟୀ ଲୋକ ଅଦାଲତଙ୍କ ନିର୍ଦ୍ଦେଶ

ଫୁଲବାଣୀ : ଦୀର୍ଘ ୮ ବର୍ଷର ପ୍ରତୀକ୍ଷା ଅନ୍ତ ହୋଇଛି। ଫୁଲବାଣୀ ପେଞ୍ଜିସାହିର ବିଧବା ସୁଜାତା ନାୟକ ଶେଷରେ ବୀମାରାଶି ପାଇବା ନେଇ ନିଶ୍ଚିତ ହୋଇଛି। ଏ ନେଇ ଆଜି ଫୁଲବାଣୀ ସ୍ଥାୟୀ ଲୋକ ଅଦାଲତ ଜୀବନ ବୀମା କଂପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। ସୁଜାତା ନାୟକଙ୍କ ସ୍ବାମୀ ବସନ୍ତ ନାୟକ ଗତ ୨୦୧୧ ମସିହା ଜାନୁଆରି ୨୮ ତାରିଖରେ ବୀମା କରିଥିଲେ। ୧୦ ମାସ ପରେ ଅର୍ଥାତ ସେହି ବର୍ଷ ନଭେମ୍ବର ୨୮ ତାରିଖରେ କୌଣସି କାରଣରୁ ବସନ୍ତଙ୍କ ମୃତ୍ୟୁ ହୋଇ ଯାଇଥିଲା। ସେ କରିଥିବା ବୀମାରାଶି ପାଇବା ପାଇଁ ସୁଜାତା ୨୦୧୨ ମସିହାରେ ଜୀବନ ବୀମା‌ ଅଫିସରେ ଦରଖାସ୍ତ କରିଥିଲେ। ହେଲେ ବସନ୍ତ ଅସୁସ୍ଥ ଥିବା କଥା ବୀମା କରିବା ସମୟରେ ଲୁଚାଇଥିଲେ କହି ବୀମା ରାଶି ଦିଆଯିବ ନାହିଁ ବୋଲି କର୍ତ୍ତୃପକ୍ଷ କହିଥିଲେ। ବାରମ୍ବାର ଦୌଡି ନିରାଶ ହେବା ପରେ ଶେଷରେ ସୁଜାତା ଫୁଲବାଣୀ ସ୍ଥାୟୀ ଲୋକ ଅଦାଲତର ଆଶ୍ରୟ ନେଇଥିଲେ। ଏହି ମାମଲାର ବିଚାର କରି ଲୋକ ଅଦାଲତର ଅଧ୍ୟକ୍ଷ ସନ୍ତୋଷ କୁମାର ନାୟକ ବୀମାରାଶି ପ୍ରଦାନ କରିବାକୁ କଂପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଖର୍ଚ୍ଚ ବାବଦକୁ ୧ହଜାର ଟଙ୍କା ଏବଂ ବିଳମ୍ବ ସମୟର ସୁଧ ପ୍ରଦାନ କରିବାକୁ ସେ କହିଛନ୍ତି। ସ୍ଥାୟୀ ଲୋକ ଅଦାଲତର ସଭ୍ୟ ମାର୍ଟିନ ପ୍ରଧାନ ଓ ବ୍ରଜବନ୍ଧୁ ମଲ୍ଲିକ ଉପସ୍ଥିତ ଥିଲେ।
ସମ୍ବନ୍ଧିତ ଖବର