କମୁଛି ପୁଲିସ୍‌ର ବଳ:ହଜାରେ ମାମଲାକୁ ୧୨ ଅଫିସର

ବରଗଡ଼: ବର୍ଷତମାମ ବରଗଡ଼ ଜିଲ୍ଲାରେ ସମ୍ବେଦନଶୀଳ ଏବଂ ସଂଗୀନ ଅପରାଧ ଘଟୁଥିବା ନଜିର ରହିଛି। ପରିସଂଖ୍ୟାନ ଅନୁସାରେ ବର୍ଷକୁ ଟାଉନ ଥାନାରେ ପ୍ରାୟ ୬ଶହ ଏବଂ ସଦର ଥାନାରେ ୩୦୦ ମାମଲା ରୁଜୁ ହେଉଛି। ଏହାବାଦ ଉଭୟ ଥାନାରେ ପାଖାପାଖି ୫୦-୬୦ ବଡ଼ ଅପରାଧ ମାମଲା ରୁଜୁ ହେଉଛି। ମୋଟାମୋଟି ଭାବେ ବର୍ଷକୁ ପ୍ରାୟ ହଜାରେ ମାମଲା ପୁଲିସ୍‌ ରେକର୍ଡରେ ଚଢ଼ୁଛି। କିନ୍ତୁ ଏତିକି ମାମଲାର ତଦନ୍ତ କରିବାକୁ ପୁଲିସ୍‌ ପାଖରେ ଅଫିସର ନାହାନ୍ତି। ଏସ୍‌ଆଇ ଏବଂ ଏଏସ୍‌ଆଇଙ୍କୁ ମିଶାଇ ମାତ୍ର ଅଛନ୍ତି ୧୨ ଜଣ। ଅର୍ଥାତ ଜଣେ ଅଫିସରଙ୍କ ମୁଣ୍ଡରେ ବର୍ଷକୁ ୮୦ରୁ ଅଧିକ ମାମଲା ପଡ଼ୁଛି। ମାତ୍ରାଧିକ ବୋଝ ଯୋଗୁଁ ଅଧିକାଂଶ ମାମଲାର ତଦନ୍ତ ଠିକଣା ସମୟରେ ଶେଷ ନହେବା ସ୍ୱାଭାବିକ। ବରଗଡ଼ ପୁଲିସ୍‌ର ବଳ ଦିନକୁ ଦିନ କମି ଚାଲିଛି। ସହର ଏବଂ ଉପକଣ୍ଠରେ ହାଇଟେକ୍‌ ଅପରାଧ ଘଟୁଥିବାବେଳେ ପୁଲିସ୍‌ ଅଫିସର୍‌ ସଂଖ୍ୟାରେ ପତନ ଘଟୁଛି। ଟାଉନ ଥାନାରେ ବର୍ତମାନ ଅଫିସର ମରୁଡ଼ି ଲାଗି ରହିଛି। ଟାଉନ ଥାନା ଅଧିନରେ ବରଗଡ଼ ପୌରାଞ୍ଚଳ ବାଦ ୧୪ଟି ପଞ୍ଚାୟତ ରହିଛି। କିନ୍ତୁ ଏଠାରେ ୪ଜଣ ଏସ୍‌ଆଇ ଓ ୪ ଜଣ ଏଏସ୍‌ଆଇ ନିଯୁକ୍ତ ଅଛନ୍ତି। ପୁରୁଣାକାଳିଆ ଜନସଂଖ୍ୟା ଘନତ୍ୱ ରେକର୍ଡ ଆଧାରରେ ଟାଉନ ଥାନା ଚାଲିଛି।

ଅର୍ଥାତ ଦଶନ୍ଧି ତଳେ ସେବେକାର ଜନସଂଖ୍ୟା ଆଧାରରେ ଏହି ଥାନାରେ ୩ଜଣ ଏସ୍‌ଆଇ ଏବଂ ୭ଜଣ ଏଏସ୍‌ଆଇ ମଂଜୁରୀ ପ୍ରାପ୍ତ ପଦବୀ ରହିଛି। ସହର ପରିସୀମା ଏବଂ ଜନସଂଖ୍ୟା ବଢ଼ି ଚାଲିଥିଲେ ମଧ୍ୟ ମଂଜୁରୀ ପ୍ରାପ୍ତ ପଦବୀ ସଂଖ୍ୟାରେ କିଛି ପରିବର୍ତନ ହୋଇନାହିଁ। ଆଶ୍ଚର୍ଯ୍ୟର କଥା ଟାଉନ ଥାନାର ନିଜସ୍ୱ ପିସିଆର୍‌ ଭେନ୍‌ ନାହିଁ। ତିନୋଟି ଯାକ ପିସିଆର୍‌ ଭେନ୍‌ ଏଏସ୍‌ପିଙ୍କ ତତ୍ୱାବଧାନରେ ଥିବା କଣ୍ଟ୍ରୋଲ ରୁମ୍‌ ପରିଧିରେ ରହିଛି। ସ୍ଥିତି ଏଭଳି ଯେ ସହରରେ ଗୋଟିଏ ବଡ଼ ରାଲି ହେଲେ ପୁଲିସ୍‌ ଝାଳନାଳ ହୋଇଯାଉଛି। ରାଲିରେ ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ୍‌କୁ ଅଫିସର୍‌ ଏବଂ ଫୋର୍ସ ନିଅଣ୍ଟ ପଡ଼ୁଛି। ମାତ୍ର ଦୁଇ ବର୍ଷ ତଳେ ଟାଉନ ଥାନାରେ ମୋଟ୍‌ ୧୫ଜଣ ଅଫିସର ଥିଲେ। ହେଲେ ଏଠାରୁ ଅଫିସର ବଦଳି ପରେ ଭରଣା ପାଇଁ ପୁଲିସ୍‌ ମୁଖ୍ୟାଳୟ ଚିନ୍ତା କରୁନାହିଁ। ସଦର ଥାନାର ମଧ୍ୟ ଏକା ଅବସ୍ଥା। ୨୦୦୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଥାନାରେ ଏବେ ଜଣେ ଏସ୍‌ଆଇ ଏବଂ ୩ଜଣ ଏଏସ୍‌ଆଇ ଅବସ୍ଥାପିତ ଅଛନ୍ତି। ୧୫ଟି ପଞ୍ଚାୟତ ସଦର ଥାନା ଅଧିନରେ ରହିଛି।

ଏହାର ଦୂରବର୍ତୀ ପଞ୍ଚାୟତ ୨୫ କିଲୋମିଟର ଦୂରରେ। ମାତ୍ର ୪ଜଣ ଅଫିସର ଏତିକି ପରିଧିରେ ଆଇନଶୃଙ୍ଖଳା ସମ୍ଭାଳିବା କାଠିକର। ସଦର ଥାନା ପାଖରେ ମାତ୍ର ଗୋଟିଏ ପିସିଆର୍‌ ରହିଛି। ଯାହା ଜାତୀୟ ରାଜପଥରେ ପାଟ୍ରୋଲିଂ ପାଇଁ ନିୟୋଜିତ ରହୁଛି। ଏଣେ ଗାଁ ଗହଳିରେ କିଛି ଅଘଟଣ ଘଟିଲେ ବିକଳ୍ପ ଯୋଗାଡ଼ କରିବା ପୁଲିସ୍‌ ପକ୍ଷେ ମୁସ୍କିଲ ସାବ୍ୟସ୍ତ ହେଉଛି। ଅଫିସର ମରୁଡ଼ି ଯୋଗୁଁ ଗୁଡ଼ାଏ ମାମଲାର ତଦନ୍ତ ମନ୍ଥର ଗତିରେ ଚାଲୁଛି। ଏହାର ସୁଯୋଗ ନେଇ ବରଗଡ଼ ସହର ସମେତ ଜିଲ୍ଲାରେ ଅପରାଧିକ କାର୍ଯ୍ୟକଳାପ ବଢ଼ୁଛି। ସପ୍ତାହେ ତଳେ ଜିଲ୍ଲାରୁ ୮ଜଣ ଅଫିସର୍‌ଙ୍କ ରେଂଜ ବଦଳି (ଅନ୍ୟ ଜିଲ୍ଲାକୁ) ହୋଇଛି। କିନ୍ତୁ ଏହା ବଦଳରେ ଜିଲ୍ଲାକୁ ମାତ୍ର ୩ଜଣ ଅଫିସର୍‌ ବଦଳି ହୋଇ ଆସିଛନ୍ତି। ଫଳରେ ପ୍ରାୟ ଅଧିକାଂଶ ଥାନାରେ ଅଫିସର୍‌ ଅଭାବ। ଜିଲ୍ଲାର ଅନେକାଂଶ ଥାନାରେ ପୁଲିସ୍‌ ଅଫିସର ଅଭାବ ଥିବା ଏସ୍‌ପି ଯୁଗଳ କିଶୋର ସ୍ୱୀକାର କରିଛନ୍ତି। ଏନେଇ ପୁଲିସ୍‌ ମୁଖ୍ୟାଳୟକୁ ଅବଗତ କରାଯାଉଥିଲେ ହେଁ ସ୍ଥିତିରେ କିଛି ସୁଧାର ହେଇନଥିବା ସେ ପ୍ରତିକ୍ରିୟା ରଖିଛନ୍ତି।

ସମ୍ବନ୍ଧିତ ଖବର