କଳାକାରଙ୍କ ହାତ ବାନ୍ଧି ଦେଇଛି ଲକଡାଉନ୍: ବରା ବିକୁଛନ୍ତି ଅର୍ଗାନ୍ କଳାକାର

ବାଉଁଶୁଣି (ବୌଦ୍ଧ) ବାଉଁଶୁଣି ପଞ୍ଚାୟତ ଡିମିରିପାଲି ଥାନାପଡ଼ାରେ ଅର୍ଗାନ (କି ବୋର୍ଡ) କଳାକାର ସୁଦାମ ବିଶିଙ୍କ ଘର। ସ୍ତ୍ରୀ ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ ପରିବାର ଦୁଃଖ କଷ୍ଟରେ ଚଳି ଯାଉଥିଲା। ସମ୍ବଳ କହିଲେ ଖାଦ୍ୟ ସୁରକ୍ଷା ଯୋଜନାରେ ପାଉଥିବା ୧୫ କେଜି ଚାଉଳ। ଚାଷ ପାଇଁ ଜମି ମଧ୍ୟ ନାହିଁ। ଏଭଳି ସ୍ଥିତିରେ ଗତ ଚାରି ମାସ ହେଲା ଲକଡାଉନ୍ ଯୋଗୁଁ ସାଂକୃତିକ କାର୍ଯ୍ୟକ୍ରମ ଗୁଡିକରେ କଟକଣା ଜାରି କରାଯାଇଥିବାରୁ ସୁଦାମଙ୍କ ପରିବାର ଘୋର ଆର୍ଥିକ ଅନାଟନ ମଧ୍ୟରେ ଚଳୁଥିବା ସେ ପ୍ରକାଶ କରିଛନ୍ତି। ଯେହେତୁ ପୂର୍ବରୁ ସେ ବଲାଙ୍ଗୀର ସମ୍ବଲପୁର ଝାରସୁଗୁଡା ଅନୁଗୁଳ ଫୁଲବାଣୀ ଆଦି ଜିଲ୍ଲାର ବିଭିନ୍ନ ପର୍ବପର୍ବାଣି ଓ ଯାନିଯାତ୍ରାର କାର୍ଯ୍ୟକ୍ରମ ତଥା ଅପେରା ପାରାୟଣ ରାମଲୀଳା କୃଷ୍ନଲୀଳା ଭଜନ ସମାରୋହ ଆଦି ସାଂକୃତିକ କାର୍ଯ୍ୟକ୍ରମ ମାନଙ୍କରେ ଅର୍ଗାନ୍ (କି ବୋର୍ଡ) ବଜାଇ ଭଲ ଦୁଇ ପଇସା ରୋଜଗାର କରୁଥିଲେ।

ତେବେ କଟକଣା ଯୋଗୁଁ ସବୁ କାର୍ଯ୍ୟକ୍ରମ ବନ୍ଦ ହୋଇ ଯିବାରୁ ପରିବାର ଚଳାଇବା ପାଇଁ ତାଙ୍କୁ କଷ୍ଟକର ହୋଇ ପଡ଼ିଥିଲା । ତେଣୁ ବାଧ୍ୟ ହୋଇ ବାଉଁଶୁଣି ବଜାର ହାଇସ୍କୁଲ ରୋଡ଼ର ଏକ କ୍ୟାବିନରେ ସପ୍ତାହେ ହେଲା ଏକ ଛୋଟିଆ ଜଳଖିଆ ଦୋକାନ ଖୋଲି ବରା ପକୁଡି ବିକି ଦିନକୁ ମାତ୍ର ୨୦୦ ଶହ ଟଙ୍କା ରୋଜଗାର କରି ଯେନତେନ ପ୍ରକାରେ ପରିବାର ଚଳାଇବାକୁ ଏକ ରକମ ସଂଘର୍ଷ କରୁଛନ୍ତି। ଯେହେତୁ କଟକଣା ଜାରି ପାଇଁ ସକାଳ ୭ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ଜିଲ୍ଲାରେ ଦୋକାନ ଖୋଲିବାର ଅନୁମତି ରହିଛି। ସୁଦାମଙ୍କ ଭଳି ଜିଲ୍ଲାରେ ଅନେକ କଳାକାରଙ୍କ ବୃତ୍ତୀ ବନ୍ଦ ହୋଇ ଯାଇଥିବାରୁ ଏଭଳି କଳାକାର ପରିବାର ମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ବିଭିନ୍ନ ସାଂକୃତିକ ସଂଗଠନ ଗୁଡ଼ିକ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧିତ ଖବର