ତେଲକୋଇ: ତେଲକୋଇ ଥାନା ଖୁଣ୍ଟାପଡ଼ା ପଞ୍ଚାୟତ କନ୍ତଲେଇ ଗ୍ରାମର ରୁଗୁଡ଼ିସାହିରେ ଗତକାଲି ରାତିରେ ଡକାୟତି ହୋଇଛି। ରାତି ପ୍ରାୟ ୨ଟାବେଳେ ୫ଜଣ ଡକାୟତ ଶୁଭା ବେହେରାଙ୍କ ଘରେ ପଶି ବନ୍ଧୁକ ଓ ଛୁରି ଦେଖାଇ ୨୫ ହଜାର ଟଙ୍କା ଏବଂ ୪ ଭରି ସୁନାଗହଣା ଲୁଟି ନେଇଛନ୍ତି। ଶୁଭା ଓ ତାଙ୍କ ପୁଅ ଦୁର୍ଯ୍ୟୋଧନଙ୍କ ସହ ଦୁର୍ବୃତ୍ତଙ୍କ ଧସ୍ତାଧସ୍ତି ହୋଇଥିଲା। ଦୁର୍ବୃତ୍ତଙ୍କ ଛୁରିମାଡ଼ରେ ଦୁର୍ଯ୍ୟୋଧନ ଆହତ ହୋଇଛନ୍ତି।
ଗରମ ଓ ଗୁଳୁଗୁଳି ଯୋଗୁଁ ଘରର ବାହାର ବାରଣ୍ଡାରେ ଶୁଭା ଶୋଇଥିଲେ।
ଘରେ ପୁଅ ଦୁର୍ଯ୍ୟୋଧନ, ତାଙ୍କ ସ୍ତ୍ରୀ ଏବଂ ଦୁଇଛୁଆ ଶୋଇଥିଲେ। ମୁଖ୍ୟ ଫାଟକ ଖୋଲାଥିବାରୁ ଦୁର୍ବୃତ୍ତମାନେ ସହଜରେ ଘରେ ପଶି ଆଲମିରା ଖୋଲି ଟଙ୍କା ଓ ସୁନାଗହଣା ବାହାର କରିଥିଲେ। ଏହି ସମୟରେ ଦୁର୍ଯ୍ୟୋଧନ ଉଠି ପଡ଼ିବାରୁ ଦୁର୍ବୃତ୍ତଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା। ଦୁର୍ବୃତ୍ତମାନେ ତାଙ୍କୁ ବନ୍ଧୁକ ଦେଖାଇବା ସହ ଛୁରିରେ ଆକ୍ରମଣ କରି ଟଙ୍କା, ସୁନା ନେଇ ଚମ୍ପଟ ମାରିଥିଲେ। ହଳେ ଚପଲ, ଗୋଟିଏ ଶାବଳ ଓ ଏକ ଖଣ୍ଡା ଛାଡ଼ି ଚାଲିଯାଇଥିଲେ। ଏନେଇ ଅଭିଯୋଗ ପରେ ତେଲକୋଇ ଥାନାରେ କେସ୍ ନମ୍ବର ୧୦୪/୨୦୨୩ରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଦୁର୍ବୃତ୍ତମାନେ ଛାଡ଼ି ଯାଇଥିବା ସାମଗ୍ରୀକୁ ଜବତ କରିଛି। ଦୁର୍ବୃତ୍ତମାନେ ମୁହଁରେ କପଡ଼ା ବାନ୍ଧିଥିବାରୁ ସେମାନଙ୍କୁ ଚିହ୍ନି ହେଲା ନାହିଁ ବୋଲି ପରିବାର ଲୋକେ କହିଛନ୍ତି।