ଭଞ୍ଜନଗର: ଜୀବନର କଷଟି ପଥରରେ ସମସ୍ତଙ୍କ ଲେଖା‌ ହୋଇଛି ଭାଗ୍ୟ ଆଉ ଭବିଷ୍ୟତ। ଦୁଃଖ ଆଉ ସୁଖକୁ ପାଥେୟ କରି ଜୀବନ ସଂଗ୍ରାମରେ ମଣିଷ ଆଗକୁ ବଢିଥାଏ। ସେଥିପାଇଁ ଲୋଡିଥ‌ାଏ ନିଜର ବୋଲି ଗୋଟିଏ ପରିବାର। କିନ୍ତୁ ଜନ୍ମରୁ ନିଜର ବୋଲି କାହାକୁ କହିନପାରିବା କେତେ ଯେ କଷ୍ଟ ତାହା ଜରେ ଅନୁଭବି ହିଁ କହିପାରିବ। ଜନ୍ମ ସମୟରୁ ନିଜ ମାଁକୁ ହରାଇବା ସହ ଚାଲି ଶିଖିନଥିବା ବୟସରେ ନିଜ ବାପାଙ୍କୁ ହରାଇବାର କଷ୍ଟକୁ ଜଣେ ନୀରିହ ଶିଶୁକୁ ଦେଇ ଭଗବାନ ଯେ କେତେ ନିଷ୍ଠୁର ହୋଇପାରନ୍ତି। ତାହା ଟୋକାଗଣ୍ଡା ଗ୍ରାମର ହଜାରୀ ନାଇକ(୧୭)ର କରୁଣ କାହାଣୀ ଦେଖିଲେ ଜାଣିପାରିବ। ପିଲାଟି ଦିନରୁ ବାପା ମାଁ ଛାଡି ଆର ପାରିକୁ ଚାଲି ଯାଇଥିବା ବେଳ‌େ ନିଜର ପିଉସା ପିଉସୀ ଝିଅ ଭଳି ପାଳି ଆସିଥିବା ବେଳେ ଭଗବାନ ସେମାନଙ୍କୁ ମଧ୍ୟ ତା’ ଠାରୁ ଛଡାଇ ନେଲେ। ଦୁଃଖର ସମୁଦ୍ର ଭିତରେ ଥାଇ ମଧ୍ୟ ନିଜର ମାନସିକ ବିକୃତି ଯୋଗୁ ସେହି କଷ୍ଟକୁ ଅନୁଭବ ବି କରିପାରିନାହିଁ ହଜାରୀ।ଏପଟେ ସାହି ବାସିନ୍ଦା ପାଲଟିଛନ୍ତି ତାର ଏକ ମାତ୍ର ସାହା ଭରଷା।

Advertisment

ଭଞ୍ଜନଗର ବ୍ଳକ୍‌ ଅର୍ନ୍ତଗତ ଟୋକାଗଣ୍ଡା ଗ୍ରାମର ୧୭ ବର୍ଷିୟା ଅସହାୟ ହଜାରୀ ନାଇକ। ବାପା ରାମ ନାଇକ ଓ ମାଁ କସ୍ତୁରୀ। ହଜାରୀ ଜନ୍ମ ହେବାର ୭ ମାସ ବେଳକୁ ମା ସନିପାତରେ ଆକ୍ରାନ୍ତ ହେବା ସହ ଗରୀବ ଶ୍ରେଣୀର ହୋଇଥିବାରୁ ଭଲ ଚିକିତ୍ସା କରିନପାରିବାରୁ ଆରପାରିକୁ ଚାଲିଯାଇଥିଲେ। ଏହାର କିଛି ଦିନ ବାପା ରାମ ମଧ୍ୟ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ। ଏଭଳି ଦୁଃଖଦ ପରିସ୍ଥିତିରେ ବ‌ର୍ଷକର ଝିଅର ଦାୟିତ୍ବ ନେଇଥିଲେ ରାମଙ୍କର ଭଉଣୀ। ନିଜର ସନ୍ତାନ ନଥିବାରୁ ଜଣେ ପିଉସୀ ପରି ନୁହଁ ମା ପରି ପାଳିବା ପାଇଁ ନିଜ ଗ୍ରାମ ପଳାସ ପଲ୍ଲୀ ଛାଡି ଆସି ଏଠାରେ ରହିବା ସହ ହଜାରୀର ଦେଖାଶୁଣା କରିଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା ହଜାରୀର ବୟସ ବଢିବା ସାଙ୍ଗକୁ ସେ ‌ଜଣେ ମାନିସିକ ବିକଳାଙ୍ଗ ବୋଲି ଜଣାପଡିଥିଲା।  ତାର ଅପସ୍ମାର ରୋଗ ରହିଥିବା ସାହି ପଡିଶା ଲୋକ ପ୍ରକାଶ କରିଛନ୍ତି। ଏତେ ସବୁ ଦୁଃଖ ଦୁର୍ଦ୍ଦିନ ପରେ ମଧ୍ୟ ପିଉସା ପିଉସୀ ସାଙ୍ଗରେ ହଜାରୀର ଜୀବନ ରଥ ଆଗକୁ ବଢିବା‌ରେ ଲାଗିଥିଲା। ହଠାତ୍‌ କିନ୍ତୁ କାହାର କୁଦୃଷ୍ଟି ପଡିଲା ପରି ଗତବ‌‌ର୍ଷ ପିଉସୀ ଟିବିରେ ଆକ୍ରାନ୍ତ ହୋଇ ଆର ପାରିକୁ ଚାଲିଯିବା ପରେ ପିଉସା ମଧ୍ୟ କିଛିଦିନ ପରେ ମୃତ୍ୟୁ ବରଣ କରିଥି‌ଲେ। ପୁଣି ଏକାକୀ ହୋଇଯାଇଥିଲା ହଜାରୀ।

ଦୁଃଖର କରାଳ ଗର୍ଭରେ ପସି ଯାଇଥିଲେ ମଧ୍ୟ ନିଜର ସାମାଜିକ ସ୍ଥିତି ନେଇ ସାମାନ୍ୟତମ ଅବଗତ ନଥିଲା ପରି ତାର ବ୍ୟବହାର। ସରକାରୀ ସହାୟତାରେ ବାପା ଖଣ୍ଡେ ଘର ତିଆରି କରିଦେଇଥିବା ବେଳେ ସମ୍ପତି କହିଲେ କିଛି ଜାମାପଟା,ଗୋଟିଏ ଲୁହା ବାଲ୍‌ଟି ଓ ଗୋଟିଏ ଭଙ୍ଗା ଡେକ୍‌ଚି। ଚାରି କାନ୍ଥର ଘରକୁ ଛାଡିଦେଲେ ଆଉ କିଛି ଆସବାପତ୍ର ଘରେ ନଥିବା ଦେଖିବାକୁ ମିଳିଛି। ଏକୁଟିଆ ଦିନରାତି ବାରଣ୍ଡାରେ ସେ ପଡି ରହୁଥିବା ବେଳେ ସାହି ବାସିନ୍ଦା ଯିଏ ଯାହା ଦେଲା ଖାଏ ନହେଲେ ନାହିଁ। କେବେ କାହାରିକୁ କିଛି ମାଗିବାର କେହି ଦେଖିନାହାନ୍ତି। କେହି କେହି ତାର ଦୁଃଖଦ ପରିସ୍ଥିତି ଦେଖି ପୋଷାକ ଦେଲେ ଖୁସିରେ ପିନ୍ଧୁଥିବା ସ୍ଥାନିୟ ବାସିନ୍ଦା ପ୍ରକାଶ କରିଛନ୍ତି। ମାନସିକ ବିକଳାଙ୍ଗ ହୋଇଥିଲେ ମଧ୍ୟ ‌କେବେ କାହାରିକୁ ଆଘାତ ପହଞ୍ଚାଇ ନଥିବା ସାହି ଲୋକ କହିଛନ୍ତି। ତେବେ ସାହି ବାସିନ୍ଦାଙ୍କ ସହାୟତାରେ କେତେ ଦିନ ହଜାରୀର ଭାଗ୍ୟ ଚାଲିବ ବୋଲି ପ୍ରଶ୍ନ କରିଛନ୍ତି। ଏଭଳି ଦୁର୍ଦ୍ଦିନରେ ଦିନ କାଟୁଥିବା ଯୋଗୁ ତାକୁ ସରକାର ଥଇଥାନ କରିବା ବ୍ୟବସ୍ଥା କରିଲେ ହଜାରୀର ଭବିଷ୍ୟତ ଭଲ ହୋଇପାରିବ ‌ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।