ବାରିପଦା: ମାତ୍ର ୩ବର୍ଷ ବୟସରୁ ଅନାଥ ହୋଇଯାଇଥିଲେ କହିଲେ ଚଳେ। ମା’ ବାପା କେହି ନଥିବାରୁ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହୋଇ ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଥିଲେ ଦୁଇ ଯାଆଁଳା ଶିଶୁ ଆୟୂଷ ଏବଂ ପିୟୁଷ। ମାତ୍ର କରୋନା ମହାମାରୀ ସମୟରେ ଅନ୍ତତଃ ଏହି ଦୁଇ ଯାଆଁଳା ଭାଇଙ୍କ ପାଇଁ ଖୁସି ଖବର ଆଣିଛି। ଦିନେ ପରିଚୟ ହରାଇଥିବା ଏହି ଦୁଇ ଶିଶୁଙ୍କୁ ଆପଣାଇଛନ୍ତି ଇଟାଲୀୟ ଦମ୍ପତି । ସମସ୍ତ ଆଇନଗତ ପ୍ରକ୍ରିୟା ସମାପ୍ତ କରି ଏହି ଇଟାଲୀୟ ଦମ୍ପତି ଉପରୋକ୍ତ ଦୁଇ ଯାଆଁଳା ଭାଇଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଏଥିସହିତ ଆୟୂଷ ଏବଂ ପିୟୁଷ ପାଇଛନ୍ତି ସ୍ଥାୟୀ ଠିକଣା।

Advertisment

ଏହି ଦୁଇଜଣ ଯାଆଁଳା ଶିଶୁପୁତ୍ରଙ୍କୁ ତିନି ବର୍ଷ  ବୟସରେ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ ସମିତ, ମୟୂରଭଞ୍ଜଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ପରେ ଉକ୍ତ ଦୁଇ ଶିଶୁଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନ, ସାଇକନ୍ୟାଶ୍ରମ ବାଲନିକେତନ, ରାସଗୋବିନ୍ଦପୁରରେ ରଖା ଯାଇଥିଲା। ବର୍ତ୍ତମାନ ଏହି ଦୁଇ ଶିଶୁଙ୍କ ବୟସ ୭ ବର୍ଷ। ଆଉ ଏବେ ସେମାନେ ବଢ଼ିବେ ଓ ପଢ଼ିବେ ଇଟାଲୀରେ । ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିବା ଏହି ଇଟାଲୀୟ ଦମ୍ପତ୍ତିଙ୍କ ମଧ୍ୟରୁ ପିତା ଶିକ୍ଷା ବିଭାଗର ନିୟନ୍ତ୍ରକ ଭାବେ କାର୍ଯ୍ୟ କରୁଥିବାବେଳେ ମା’ ଜଣେ ବ୍ୟାଙ୍କ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।

ରାସଗୋବିନ୍ଦପୁର‌ ସାଇ କନ୍ୟାଶ୍ରମରେ ରଖାଯିବା ପରେ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥା, ମୟୂରଭଞ୍ଜ ସହିତ ସଂଯୋଗ କରାଯାଇଥିଲା। ପରେ ଏହି ଶିଶୁ ଦୁଇଜଣଙ୍କୁ ଇଟାଲିର ଏକ ନିଃସନ୍ତାନ ଦମ୍ପତ୍ତି ପୋଷ୍ୟ ସନ୍ତାନଭାବରେ ଗ୍ରହଣ କରିବାକୁ ଆବେଦନ କରିଥିଲେ। ସମସ୍ତ ଆଇନଗତ ପ୍ରକ୍ରିୟା ସମାପ୍ତ ହେବା ପରେ ଏହି ଇଟାଲୀୟ ଦମ୍ପତ୍ତି ଆଜି ବାରିପଦାରେ ଉପସ୍ଥିତ ରହି ଶିଶୁ ଦୁଇଜଣଙ୍କୁ ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ଵାଳ, ସୁରକ୍ଷା ଅଧିକାରୀ(ଅଣଅନୁଷ୍ଠାନିକ) ଅମର କୁମାର ଦେ, ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାର ପରିଚାଳିକା ପଲ୍ଲବୀ ବିଶ୍ଵାଳ, ସାଇ କନ୍ୟାଶ୍ରମ ସୁପରିଟେଣ୍ଡେଣ୍ଟ୍‌ ଗିରିଜା ଶଙ୍କର ରାଉତଙ୍କ ଉପସ୍ଥିତିରେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ।

କରୋନା ମହାମାରୀ କାଳରେ ସବୁଠୁ ନକରାତ୍ମକ ଖବର ଆସୁଥିବାବେଳେ ଏହି ଖବର ଏକ ସୁଖବର ନିଶ୍ଚୟ। ସମୟର ଚକ୍ର ମଣିଷକୁ କେଉଁ ପରିସ୍ଥିତିରୁ କେଉଁ ସ୍ଥାନରେ ପହଞ୍ଚାଇଥାଏ ତାହାର ଏକ ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆୟୂଷ ଓ ପିୟୁଷଙ୍କ କ୍ଷେତ୍ରରେ। ଅନାଥ ଯାଆଁଳା ଭାଇ ଆୟୂଷ ପିୟୁଷଙ୍କ ରାସଗୋବିନ୍ଦପୁରର ଏକ ଶିଶୁ ଆଶ୍ରମରୁ ଇଟାଲୀ ଯାତ୍ରା ଅନେକ ଅନେକ ସଫଳତା ଆଣିଦେଉ, ଏପରି କାମନା ସମସ୍ତେ କରିଛନ୍ତି।