କାଲିଠୁ ଗଡ଼ିବ ସରକାରୀ ବସ୍‌: ପ୍ରଥମ ପର୍ଯ୍ୟାୟରେ ଭଞ୍ଜନଗରରୁ ଯିବ ୨ଟି

ଭଞ୍ଜନଗର: ସରକାର ଏବଂ ଓଏସ୍‌ଆରଟିସି ଆସନ୍ତାକାଲି ଠାରୁ ବସ୍‌ ଚଳାଚଳ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ଅଢେଇ ମାସରୁ ଅଧିକ ସମୟ ଧରି କରୋନା କଟକଣା ପାଇଁ ସମସ୍ତ ଯାତ୍ରୀବାହୀ ବସ୍‌ ଚଳାଚଳ ବନ୍ଦ ରହିଥିଲା। ବର୍ତ୍ତମାନ କଟକଣା କୋହଳ ହେବାପରେ ସରକାର ବସ୍‌ ଚଳାଚଳ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହି କ୍ରମରେ ଭଞ୍ଜନଗର ଠାରୁ ୨ଟି ରୁଟ୍‌ରେ ସରକାରୀ ବସ୍‌ ଯିବା ପାଇଁ ସରକାର ସ୍ଥିର କରିଥିବା ଜଣାପଡିଛି। ଭଞ୍ଜନଗର ଠାରୁ ସୁନାବେଡ଼ା ଡିଲକ୍ସ ବସ୍‌ ଆସନ୍ତାକାଲି ଦିନ ୩.୨୦ରୁ ଛାଡିବାକୁ ଥିବା ବେଳ ଭଞ୍ଜନଗରରୁ କଟକ ଯାଉଥିବା ଏସି ଡିଲକ୍ସ୍‌ ବସ୍‌ ସକାଳ ୫,୨୦ରେ ଛାଡିବ ବୋଲି ଡିଟିଏମ୍‌ ରବୀନ୍ଦ୍ର ବେହେରା ସୂଚନା ଦେଇଛନ୍ତ। ସେହିପରି ପୁରୀ ମାଳତୀପାଟପୁର ଠାରୁ ଭଞ୍ଜନଗର ରୁଟ୍‌ରେ ଏକ ବସ୍‌ ଚଳାଚଳ କରିବ ବୋଲି ସୂଚନା ମିଳିଛି। ଭଞ୍ଜନଗର ଠାରୁ ୭ଟି ରୁଟ୍‌ରେ ପୂର୍ବରୁ ବିଭିନ୍ନ ସ୍ଥାନକୁ ବସ୍‌ ଚଳାଚଳ କରୁଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨ଟି ରୁଟ୍‌ରେ ବସ୍‌ ଚଳାଇବା ପାଇଁ ଓଏସ୍‌ଆରଟିସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଟ୍ରେନ୍‌ ଯେଗେ ଆସୁଥିବା ପ୍ରବାସୀମାନଙ୍କୁ ଜିଲ୍ଲାର ବିଭିନ୍ନ ବ୍ଲକ୍‌କୁ ଛାଡିବା ପାଇଁ କିଛି ବସ୍‌ ଲାଗିଥିଲା। ଏଥିରେ ନିୟୋଜିତ ଥିବା ପ୍ରାୟ ୨୬ ଜଣ ଚାଳକ ଓ କର୍ମଚାରୀ ମାନେ ସଙ୍ଗରୋଧ ସାରି ଏବେ ଘରୋଇ ସଙ୍ଗରୋଧରେ ରହିଛନ୍ତି। ତେବେ କିଛି ଚାଳକଙ୍କୁ ପ୍ରବାସୀମାନଙ୍କୁ ନେବା ଆଣିବା ଦାୟିବ ଦିଆଯାଇନଥିବା ବେଳେ ସେମାନେ ବର୍ତ୍ତମାନ ଯାତ୍ରୀମାନଙ୍କୁ ନେଇ ନିଜନିଜ ରୁଟ୍‌ରେ ଯିବେ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଜିଲ୍ଲାରେ ସଟ୍‌ ଡାଉନ୍‌ ଜାରି ହୋଇଥିବାରୁ ଓଏସ୍‌ଆଟିସି କାଉଣ୍ଟର ଖୋଲାଯାଇନାହିଁ। ଅନ୍‌ଲାଇନ ମଧ୍ୟ କେହି ଟିକଟ୍‌ କାଟିନଥିବା ଜଣାପଡିଛି। ଘରୋଇ ବସ୍‌ ଚଳାଚଳ ପାଇଁ ସରକାର ଅନୁମତି ପ୍ରଦାନ କରିଦେଇଥିଲେ ମଧ୍ୟ ଯାତ୍ରୀ ହେଉନଥିବାରୁ ହାତ ଗଣତି କିଛି ବସ୍‌କୁ ଛାଡିଦେଲେ ବାକି ବସ୍‌ ପୂର୍ବ ଭଳି ଠିଆ ହୋଇ ରହିଛି।

ସରକାର ଓଏସ୍‌ଆଟିସି ଚଳାଚଳ ପାଇଁ କିଛି ନିୟମାବଳୀ ଜାରି କରିଛନ୍ତି। ବସ୍‌ ଗୁଡିକରେ ଯେତିକି ସଂଖ୍ୟକ ସିଟ୍‌ ଅଛି ସେତିକି ଯାତ୍ରୀ ହିଁ ଯାଇପାରିବେ। କୌଣସି ପରିସ୍ଥିତିରେ ଯାତ୍ରୀ ଛିଡା ହୋଇ ଯିବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଜାରି କରାଯାଇଛି। ସେହିପରି ବିନା ମାସ୍କରେ କୌଣସି ଯାତ୍ରୀଙ୍କୁ ବସ୍‌ କର୍ମଚାରୀ ବସ୍‌ରେ ଚଢାଇବେ ନାହିଁ। ଏହାସହ ସମସ୍ତ ରୁଟ୍‌ରେ ଯିବାକୁ ଥିବା ବସ୍‌ ଗୁଡିକୁ ସଂପୂର୍ଣ୍ଣ ବିଶୋଧନ କରାଯିବ ବୋଲି ଜଣାପଡିଛି। ଚାଳକ ଓ ବସ୍‌ କର୍ମଚାରୀମାନେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।

ସମ୍ବନ୍ଧିତ ଖବର